ବିଏମ୍‌ସି କାର୍ଯ୍ୟାଳୟ ଘେରିଲେ ଭିନ୍ନକ୍ଷମ ଉଠାଦୋକାନୀ

ଭୁବନେଶବର, (ଯୁଗାବ୍ଦ ନ୍ୟୁଜ):ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ଡାକରାରେ ବିଶ୍ୱକପ୍ ହକି ଖେଳ ସମୟରେ ଉଚ୍ଛେଦ ହୋଇଥିବା ଶହ ଶହ ଭିନ୍ନକ୍ଷମ ଉଠାଦୋକାନୀମାନେ ଭୁବନେଶ୍ୱର କଳ୍ପନାଛକସ୍ଥିତ ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରିବା ପାଇଁ ଧାରଣା ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରଠାରେ ବିଶ୍ୱ ହକି କପ୍ ଖେଳର ଆୟୋଜନ ହୋଇଥିଲା । ହକି ଖେଳ ପୂର୍ବରୁ ଭୁବନେଶ୍ୱର ସହରକୁ ସୌନ୍ଦର୍ଯ୍ୟକରଣ କରିବା ଆଳରେ ସମ୍ବିଧାନର ଧାରା ୧୯(୧)ଛ ଓ ୨୧କୁ ନ ମାନି ବିଡିଏ, ବିଏମ୍‌ସିର ମିଳିତ ଉଚ୍ଛେଦକାରୀ ଦଳ ଭୁବନେଶ୍ୱରରେ ପାଖାପାଖି ୧୫ ହଜାରରୁ ଉର୍ଦ୍ଧ୍ୱ ଉଠାଦୋକାନ ଉଚ୍ଛେଦ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦୦ରୁ ଅଧିକ ଭିନ୍ନକ୍ଷମ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାଯିବା ଫଳରେ ଏହି ଭିନ୍ନକ୍ଷମ ଉଠାଦୋକାନୀମାନେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ପାଇଁ ଅର୍ଥ ବାଧକ ସାଜିଛି । ପିଏମ୍ ସେବା ନିଧି ଯୋଜନା, ବିଏମ୍‌ସିର ୩୦୦୦ ଟଙ୍କା କରୋନା ସହାୟତା ମଧ୍ୟ ପାଇବାରୁ ବଞ୍ôଚତ ହୋଇଛନ୍ତି ।ଶୁକ୍ରବାର ଦିନ ଭିନ୍ନକ୍ଷମ ଉଠାଦୋକାନୀ ସଂଘର ସଭାପତି ନାରାୟଣ ସାହୁଙ୍କ ନେତୃତ୍ୱରେ ରାଜେନ୍ଦ୍ର କୁମାର ପାତ୍ର, କାମିନୀ ଖଟୁଆ, ତେଜସ୍ମିନ ରାୟ, ସୁମତି ପ୍ରଧାନ, ହାରାମଣି ପ୍ରଧାନ, ଗୌରହରି ନାୟକ ୬ଜଣିଆ ପ୍ରତିନିଧି ମଣ୍ଡଳୀ, ବିଶ୍ୱ ହକି ଖେଳ ସମୟରେ ଉଚ୍ଛେଦ ଭିନ୍ନକ୍ଷମ ଉଠାଦୋକାନୀମାନଙ୍କୁ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରିବା, ବିଏମ୍‌ସି ପରିଚୟ ପତ୍ର ସମସ୍ତଙ୍କୁ ପ୍ରଦାନ କରିବା, ଉଚ୍ଛେଦ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ହଇରାଣ ହରକତ ହେଉଥିବା ଭିନ୍ନକ୍ଷମ ଉଠାଦୋକାନୀମାନଙ୍କୁ ଭରଣ ପୋଷଣ ପାଇଁ ୧୫ ଜହାର ଲେଖାଏଁ ଟଙ୍କା ପ୍ରଦାନ କରିବା, ଉଚ୍ଛେଦ ସମୟରେ ଆଇନ ମାନିନଥିବା କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ସମସ୍ତ ଭିନ୍ନକ୍ଷମମାନଙ୍କ ପାଇଁ ସରକାରୀ ଏବଂ ବେସରକାରୀସ୍ତରରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ଆଦି ୫ ଦଫା ଦାବି ନେଇ ବିଏମ୍‌ସି ମେୟର ସୁଲୋଚନା ଦାସଙ୍କ ସହ ବିଭିନ୍ନ ସମସ୍ୟା ଓ ଥଇଥାନ ଲାଗି ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ । ଆଲୋଚନା ପରେ ମେୟର ଦାବିଗୁଡ଼ିକ ଯଥାର୍ଥ ବୋଲି କହି ଉଚ୍ଛେଦ ହୋଇଥିବା ସମସ୍ତ ଭିନ୍ନକ୍ଷମ ଉଠାଦୋକାନୀମାନଙ୍କୁ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ବିଏମ୍‌ସି ସ୍ମାଟସିର୍ଟିର ବରିଷ୍ଠ ଅଧିକାରୀ ମନୋରଞ୍ଜନ ସାହୁଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ସାହୁ ଯେଉଁମାନଙ୍କର ବିଏମ୍‌ସି ଆଇ କାର୍ଡ଼, ଏଲ୍‌ଓଆର ସହିତ ସମସ୍ତ ତଥ୍ୟ ଅଛି ସେମାନଙ୍କୁ ଥଇଥାନ କରାଯିବା ସହ ଯେଉଁମାନଙ୍କ କୌଣସି ତଥ୍ୟ ନାହିଁ, ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ସେମାନଙ୍କ ଥଇଥାନର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ଯୋଗଦେଇ କହିଲେ ଯେ, ମହାମାରୀ କରୋନା, ଫନି, ବିଶ୍ୱ ହକି ଖେଳରେ ବହୁ ଦୋକାନୀ ସର୍ବସ୍ୱାନ୍ତ ହୋଇଛନ୍ତି । ସେମାନଙ୍କ ପାଇଁ ସରକାର ଆଇନ ଅନୁଯାୟୀ ଥଇଥାନ କରିବାର ଆବଶ୍ୟକତା ରହିଛି । ଯଦି ରାଜ୍ୟ ସରକାର ଭିନ୍ନକ୍ଷମ ଉଠାଦୋକାନୀମାନଙ୍କୁ ଆଇନ ଅନୁଯାୟୀ ଥଇଥାନ ନକରନ୍ତି ତେବେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଶ୍ରୀଯୁକ୍ତ ସାହୁ ଚେତାବନୀ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ