ଆତ୍ମହତ୍ୟା ଅଭିଯୋଗ ଆଣିଲେ ୩ ଭଉଣୀ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଟ୍ରାକ୍ଟର ଚାଳକ ଥିବା ଭାଇକୁ ମାରିଦେଇ ତାକୁ ଆତ୍ମହତ୍ୟାର ରୂପଦେଇଥିବା ୩ ଭଉଣୀ ସଦର ଥାନାରେ ଅଭିଯୋଗ କରିବା ସହିତ ଭାଇର ହତ୍ୟାକାରୀକୁ ତୁରନ୍ତ ଧରିବା ପାଇଁ କେନ୍ଦ୍ରାପଡା ଏସଡିପିଓଙ୍କୁ ଭେଟି ନିବେଦନ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ସଦର ଥାନା ଅନ୍ତର୍ଗତ ଚକରପୁର ଗ୍ରାମର ଅନାମ ନାଥଙ୍କ ପୁଅ ସୁର ନାଥ ଗତ ୨ତାରିଖ ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଏକ ଖବରପାଇ ସୁର ନାଥର ତିନି ଭଉଣୀ ବାପଘର ଚକରପୁର ଗ୍ରାମରେ ୩ତାରିଖ ସକାଳେ ପହଁଚି ଥିଲେ । ସେତେବେଳକୁ ସୁରର ବଡବାପା ଫକିର ନାଥ ଓ ତା’ର ପୁଅମାନେ ସୁରର ଭଉଣୀମାନଙ୍କୁ ନଜଣାଇ କିମ୍ବା ଥାନାକୁ ଖବର ନଦେଇ ସୁରର ଶବକୁ ଦାହ କରିଦେଇଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏହାଛଡା ସୁର ରଶୀଦେଇଥିବା ବଡବାପା ଫକିରଙ୍କ ସେହି ଘର ଭିତରକୁ ଯାଇ ବିଭିନ୍ନ ସ୍ଥାନରେ ରକ୍ତଛିଟା ଲାଗିଥିବା ଦେଖି ସେ ସମ୍ପର୍କରେ ବଡବୋଉକୁ ସୁରର ଭଉଣୀମାନେ ପଚରାଉଚୁରା କରିବାରେ ବଡବାପାଙ୍କ ୨ପୁଅ ସେମାନଙ୍କୁ ଗାଳିଗୁଲଜ କରି ଏତେ ଖୋଳତାଡ କାହିଁକି କରୁଛ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି । ସୁର ଏକ ଟ୍ରାକ୍ଟର ଚାଳକ ଥିଲା ଓ ତା’ର ରୋଜଗାର ଅର୍ଥ ବଡବୋଉ ପାଖରେ ରଖୁଥିବା ବିଷୟରେ ସେ ଭଉଣୀମାନଙ୍କୁ ପୂର୍ବରୁ କହିଥିଲା । ସୁରର ମୃତ୍ୟୁ ସମ୍ପର୍କୀତ ଖବରରେ ତାଳମେଳ ରହୁନଥିବା ସେମାନେ ଅଭିଯୋଗ କରିବା ସହ ସେ ସମ୍ପର୍କରେ ଖୋଳତାଡ ନକରିବାକୁ ସେମାନଙ୍କୁ ଧମକ ଦିଆଯିବା ଓ ଭାଇର ଆତ୍ମହତ୍ୟା ସମ୍ପର୍କରେ ପୋଲିସକୁ ଖବର ଦିଆନଯିବା ଘଟଣା ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ତେଣୁ ସୁରର ୩ ବିବାହିତା ଭଉଣୀ ଅହଲ୍ୟା ନାଥ,ସୀତାରାଣୀ ନାଥ ଓ ରାଜଲକ୍ଷ୍ମୀ ନାଥ ସଦର ଥାନାରେ ଦେଇଥିବା ଏତଲାରେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଭାଇ ସୁରକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି । ଏ ସମ୍ପର୍କରେ ଆବଶ୍ୟକ ତଦନ୍ତ ପୂର୍ବକ ଦୋଷୀକୁ ଦଣ୍ଡବିଧାନ କରାଯିବାକୁ ସେମାନେ ଏସଡିପିଓଙ୍କ ନିକଟରେ ଦାବିକରିଛନ୍ତି ।


