ବିଦ୍ୟାଳୟରେ ପାଠପଢା ବଦଳରେ ରୋଷେଇ ପାଇଁ ପାଣି ବୋହି ରାନ୍ଧୁଛନ୍ତି ଛାତ୍ରଛାତ୍ରୀ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ବିଦ୍ୟାଳୟରେ ରୋଷେଇ କରୁଛନ୍ତି ଛାତ୍ରୀଛାତ୍ର। ଏହି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଝାଡ଼ବଲସକୁମ୍ପା ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ପାଠ ପଢ଼ିବା ପରିବର୍ତ୍ତେ ସ୍କୁଲରେ ରୋଷେଇ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯାଉଛି। ଶନିବାର ସକାଳୁଆ ସ୍କୁଲ ଚାଲିଥିବା ବେଳେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ପାଚିକା କୌଣସି କାର୍ଯ୍ୟରେ ବ୍ୟସ୍ତତା ଯୋଗୁଁ ସ୍କୁଲକୁ ଆସି ନ ଥିଲେ। ଯାହା ଦ୍ୱାରା ପ୍ରାଥମିକ ସ୍କୁଲରେ ପଢୁଥିବା ୨୫ ଜଣ ଛାତ୍ରୀଛାତ୍ରମାନଙ୍କ ପାଇଁ କୋମଳମତି ଛାତ୍ରମାନେ ପାଣି ବୋହିବା ସହିତ ଛାତ୍ରୀମାନେ ମଧ୍ୟାହ୍ନ୍‌ ଭୋଜନ ରାନ୍ଧିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲା ଶିକ୍ଷାଅଧିକାରୀ ଏହାର ତଦନ୍ତ କରି ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିହେଉଛି। ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷକ କୁମାର ମଣି ବେହେରାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ ସ୍କୁଲର ପାଚିକା ଉର୍ମିଳା ବେହେରାଙ୍କ ଦିଅରଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ସେ ସ୍କୁଲ ଯାଇ ପାରିନଥିଲେ। ଶିକ୍ଷକ ଦୁର୍ଯ୍ୟୋଧନ ପରିଡ଼ା ରୋଷେଇ କରିବା ପାଇଁ ମୁଁ ଦାୟିତ୍ୱ ଦେଇ କିଛି ଅଫିସ କାମରେ ଯାଇଥିଲି। ଅନ୍ୟପଟେ ସ୍କୁଲର ନଳକୁପ ଖରାପ ଥିବାରୁ ପିଇବା ପାଣି ଦୁଇ ବାଲଟି ଛାତ୍ରମାନେ ଆଣିବାକୁ ଯାଇଥିଲେ। ମାତ୍ର ରୋଷେଇ କରିବା ଘଟଣା ମିଥ୍ୟା ବୋଲି କହିଛନ୍ତି। ଆମ୍ଭେ ଏ ନେଇ ବ୍ଲକ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ ଉକ୍ତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ