ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ଧାରଣା ଦେବ ରାଜ୍ୟ ଗୃହରକ୍ଷୀ ମହାସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ରାଜ୍ୟ ଗୃହରକ୍ଷୀ ମହାସଂଘ ତରଫରୁ ଆସନ୍ତା ୧୩.୦୩.୨୦୨୩ରିଖରୁ ଶାନ୍ତିପୂର୍ଣ୍ଣ ଧାରଣା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ୧୯୬୧ ଗୃହରକ୍ଷୀ ଆଇନ ୧୯୬୨ ମସିହା ନିୟମାବଳୀରେ ବ୍ୟାପକ ସଂଶୋଧନ, ସ୍ଥାୟୀ ନିଯୁକ୍ତି, ସାମାଜିକ ସୁରକ୍ଷା ଏବଂ ଚାକିରୀର ସର୍ତ୍ତାବଳୀ ପ୍ରଣୟନ କରି ନିୟମିତ କରିବା, ମାର୍ଚ୍ଚ ୨୨, ୨୦୧୩ ରିଖରେ ୭୪ଜଣ ଓ ୧୭/୧୮.୧.୨୦୧୮ରିଖରେ ୨୨ଜଣ ଗୃହରକ୍ଷୀଙ୍କ ନାମରେ ରୁଜୁ କରାଯାଇଥିବା ମିଥ୍ୟା ମୋକଦ୍ଦମାକୁ ପ୍ରତ୍ୟାହାର କରି ନିଯୁକ୍ତି ପ୍ରଦାନ କରିବା, ୨୦୧୬ ମସିହାରେ ମାନ୍ୟବର ସୁପ୍ରିମକୋର୍ଟ ଅଦାଲତ ଅବମାନନା ମାମଲାର ବିଚାର କରି ଦେଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା, ତା ୯.୧୧.୨୦୦୧ରିଖ ପତ୍ର ସଂଖ୍ୟା ୧୮୯୬ ନିର୍ଦ୍ଦେଶନାମା ଅନୁଯାୟୀ ଗୃହରକ୍ଷୀଙ୍କୁ ଅକଚ୍ୟୁଲାରି ଫାୟାର ଫୋର୍ସ ଭାବେ ପଦୋନ୍ନତି କରିବା ସହିତ ଖାଲି ପଡ଼ିଥିବା ୧୫୭୫ ଗୃହରକ୍ଷୀ ପଦବୀରେ ଆଇନତଃ ବିଚାରଧୀନ ଗୃହରକ୍ଷୀମାନଙ୍କୁ ସେହି ପଦବୀରେ ନିଯୁକ୍ତି ଦେବା ନିମନ୍ତେ ମହାସଂଘ ପକ୍ଷରୁ ଦୀର୍ଘ ଦିନ ଧରି ଅଭିଯୋଗ କରାଯାଉଥିଲେ ମଧ୍ୟ ସରକାରଙ୍କ ଏଥିପ୍ରତି ସମ୍ବେଦନଶୀଳ ମନୋଭାବ ରଖିବା ଆବଶ୍ୟକତା ଥିବାବେଳେ ଏହା କ୍ରିୟାଶୀଳ ନ ହେବାରୁ ତା ୧୩.୦୩.୨୦୨୩ରିଖରୁ ଗାନ୍ଧୀମାର୍ଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେବା ପାଇଁ ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଦାବୀପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ରାଜ୍ୟ ସଭାପତି ଉପେନ୍ଦ୍ର ମହାପାତ୍ର ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।


