ପଞ୍ଜୀକୃତ ହେବେ ୭୮ ପାଣି ପଞ୍ଚାୟତର ଚାଷୀ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ, ଭଣ୍ଡାରିପୋଖରୀ ଓ ହାଟଡିହୀ ବ୍ଲକ ଅଧିନ ଶାଳନିଆ ଏବଂ ବିଦ୍ୟାଧରପୁର ଜଳସେଚନ ବିଭାଗ ଅଧିନ ୭୮ ପାଣି ପଞ୍ଚାୟତର ଚାଷୀ ମାନଙ୍କୁ ପଞ୍ଜୀକୃତ କରାଯିବା ନେଇ ଜଳସେଚନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି । ମୋ ସରକାର ଯୋଜନାରେ ସମସ୍ତ ଚାଷୀ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସ୍ୱତନ୍ତ୍ର ପଞ୍ଜୀକରଣ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆସନ୍ତା ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଜଳସେଚନ ବିଭାଗର ସମସ୍ତ କର୍ମଚାରୀ ମାନେ ଗାଁ ଗାଁ ବୁଲି ଚାଷୀ ମାନଙ୍କ ଠାରୁ ଆଧାର ଓ ମୋବାଇଲ ନମ୍ବର ସଂଗ୍ରହ କରିବା ପରେ ତାହାକୁ ଅନ୍ଲାଇନ ମାଧ୍ୟମରେ ପଞ୍ଜୀକରଣ କରାଯିବ । ଏଥିନେଇ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସହାୟତାରେ ସଚେତନ କରାଯିବ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରେ ମଧ୍ୟ ଚାଷୀ ପଞ୍ଜୀକରଣ କାର୍ଯ୍ୟ ଚାଲୁ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


