ବିଜେଡ଼ି କର୍ମୀ ତୋଫାନ ଗୌଡ଼ ହତ୍ୟାକାଣ୍ଡ ମାମଲା ଉଭୟ ଗୋଷ୍ଠୀ ର ୪ ଅଭିଯୁକ୍ତ ଜେଲ ଗଲେ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ଗ୍ରାମରେ ରାଜନୈତିକ ଶତୃତାରୁ ୨ ଗୋଷ୍ଠି ଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ମାମଲାରେ କେ. ନୂଆଗାଁ ପୋଲିସ ପକ୍ଷରୁ ଉଭୟ ପକ୍ଷର ୪ ଜଣଙ୍କୁ ଗିରଫ କରାଯାଇଛି।ସେମାନେ ହେଲେ ଟୁକୁନା ଗୌଡ, ସିମାଞ୍ଚଳ ଗୌଡ, ବିଜୟ ଗୌଡ ଏବଂ ପ୍ରତିମା ଗୌଡ।ମଙ୍ଗଳବାର ଗିରଫ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି କୋର୍ଟ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ଶୁକ୍ରବାର ରାତି ପ୍ରାୟ ୮ ଟା ସମୟରେ ପୂର୍ବ ଶତୃତାକୁ କେନ୍ଦ୍ରକରି କାଳୁ ଗୌଡ ଏବଂ ଟୁକୁନା ଗୌଡଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।ଏହା କ୍ରମଶଃ ଉଗ୍ର ରୂପ ନେବାରେ ଟୁକୁନା ଗୌଡ ଓ ତାଙ୍କ ସହଯୋଗୀ ମାନେ ମିଶି କାଳୁ ଗୌଡ ଓ ତାଙ୍କ ଭଉଣୀ ଜ୍ଯୋତ୍ସ୍ନା ଗୌଡ ଏବଂ ପ୍ରତିମା ଗୌଡଙ୍କ ଉପରେ ଆକ୍ରମଣ କରିଥିଲେ।ସେହିଭଳି କାଳୁ ଗୌଡ ଓ ତାଙ୍କ ସହଯୋଗୀ ମିଶି ଟୁକୁନାଙ୍କ ଗୋଷ୍ଠି ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ଘଟଣାରେ ବିଜେଡ଼ି କର୍ମୀ ତୋଫାନ ଗୌଡ ନାମକ ଜଣେ ବ୍ଯକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ କାଳୁ ଗୌଡ ଓ ତାଙ୍କ ଦୁଇ ଭଉଣୀ ଗୁରୁତର ଆହତ ହୋଇଥିଲେ।ମୃତ ତୋଫାନଙ୍କ ବାପା ଉଆଳି ଗୌଡଙ୍କ ଏତଲା ଭିତ୍ତିରେ ପୋଲିସ ଥାନା ମାମଲା ନଂ. ୧୧୯/୨୩ ପ୍ରକାରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଗୁରୁତର ଆହତ କାଳୁ ଗୌଡଙ୍କ ପୁଅ ମନୋଜଙ୍କ ଏତଲା ଭିତ୍ତିରେ ଥାନା ମାମଲା ନଂ. ୧୨୦/୨୩ ପ୍ରକାରେ ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଏହି ଗୋଷ୍ଠି ସଂଘର୍ଷ ମାମଲାରେ ପୋଲିସ ଏକ ଖଣ୍ଡା ଏବଂ ଠେଙ୍ଗା ଜବତ କରିଥିବା ଜଣାପଡିଛି।


