ବିଦ୍ୟାଳୟ ଗୃହଛାତ ରୁ ଫ୍ୟାନ ଖସି ଦୁଇ ଛାତ୍ରୀ ଆହତ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଠାକୁରପାଟଣା ଗ୍ରାମ ସ୍ଥିତ ରତ୍ନ ପୀର ବିଦ୍ୟା ନିକେତନ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି।ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ରାଜ କୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ମାର୍ଟ ସ୍କୁଲ ନିର୍ମାଣ କରୁଛନ୍ତି। ମାତ୍ର ପରବର୍ତ୍ତୀ ସମୟ ରେ ସେ ସବୁର ରକ୍ଷଣାବେକ୍ଷଣ ଅଭାବରୁ ତାହା ବିପଦସଙ୍କୁଳ ହୋଇ ପଡ଼ୁଛି। ଯାହାର ଭୟଙ୍କର ଦୃଶ୍ୟ ଆଜି ଦେଖିବାକୁ ମିଳିଛି କଳାପାଞ୍ଚଣ ଗ୍ରାମ ପଂଚାୟତ ଅଧିନସ୍ଥ ଠାକୁର ପାଟଣାରେ ଥିବା ରତ୍ନପୀର ବିଦ୍ୟାନିକେତନରେ। ଆଜି ଅଷ୍ଟମ ଶ୍ରେଣୀ ପରୀକ୍ଷା ସମୟ ରେ ଶ୍ରେଣୀ ଗୃହ ଛାତରୁଏକ ଫ୍ୟାନ ଖସି ୨ ଜଣ ଅଷ୍ଟମ ଶ୍ରେଣୀ ଛାତ୍ରୀ ଆହତ ହୋଇଛନ୍ତି।ପରୀକ୍ଷା ଦେବାକୁ ବସିଥିବା ଛାତ୍ରୀ ଖୁସବୁ ବେଗମ(୧୪) ଓ ଆଇଶା ଜାନ୍ (୧୪)ଙ୍କ ଉପରେ ଛାତ ରୁ ଫ୍ୟାନ ଖସିପଡ଼ିବାରୁ ସେ ଦୁଇଜଣ ଆହତ ହୋଇଥିଲେ।ଆହତ ଛାତ୍ରୀଙ୍କୁ ସ୍କୁଲର ପ୍ରଧାନ ଶିକ୍ଷକ ଓ ଅଭିଭାବକମାନେ ଚିକିତ୍ସା ପାଇଁ ତୁରନ୍ତ ଚାରିଛକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ।ଫ୍ୟାନଟି ଖସି ପଡିବାରୁ ଫ୍ୟାନର ପତ୍ର ଖୁସୁବ ବେଗମ କାନରେ ବାଜି କାନର କିଛି ଅଂଶ କଟିଯାଇଥିବା ବେଳେ ଅନ୍ୟ ଛାତ୍ରୀ ଆଇଶା ଜାନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଫଳରେ ମୁଣ୍ଡ ଫାଟିଯାଇଥିଲା।ଏ ସମ୍ପର୍କରେ ସ୍କୁଲର ପ୍ରଧାନ ଶିକ୍ଷକ ଝାଟି ମହାରଣାଙ୍କୁ ପଚାରିବାରୁ ଫ୍ୟାନଟି ଖରାପ ଥିଲା କହିବା ସହ ପିଲାଙ୍କୁ ଫ୍ୟାନ ଚଳାଇବାକୁ ବାରଣ କରାଯାଇଥିଲା କିନ୍ତୁ ଆଜି ସେହି ଫ୍ୟାନଟିକୁ ପିଲାମାନେ ଚଳାଇବାରୁ ଫ୍ୟାନଟି ଖସିପଡି ୨ଜଣ ଛାତ୍ରୀ ଆହତ ହୋଇଛନ୍ତି ବୋଲି କହିଛନ୍ତି।ଆହତ ଛାତ୍ରୀ ଦୁଇଜଣଙ୍କୁ ଚିକିତ୍ସା ପରେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି।ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଦ୍ବିତୀକାନ୍ତ ପ୍ରଧାନଙ୍କୁ ପଚାରିବାରେ ସେ କହିଥିଲେ ଯେ ଏହି ଘଟଣା ମୋ ନଜରକୁ ଆସିବା ପରେ ମୁଁ ତୁରନ୍ତ ସିଆରସିସିଙ୍କୁ ଘଟଣା ସମ୍ପର୍କରେ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛି। ସୂଚନା ଯୋଗ୍ୟ କି ଉକ୍ତ ବିଦ୍ୟାଳୟ ଟି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ନିଜ ନିର୍ବାଚନ ମଣ୍ଡଳୀ ର। ଏହି ଘଟଣା ଏବେ ସବୁଆଡେ ଚର୍ଚ୍ଚା ର ବିଷୟ ପାଲଟିଛି।


