ଓଡ଼ିଶା ଶିକ୍ଷକ ସଂଘ ସମୂହର ରାଜ୍ୟ ସମୀକ୍ଷା ବୈଠକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାମନବମୀର ପବିତ୍ର ମୁହୂର୍ତ୍ତରେ ପୂର୍ବାହ୍ନ ୧୧ ଘଟିକା ସମୟରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ (ଏନ୍ପିଏସ୍)ମାନଙ୍କର ରାଜ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୨ ମସିହା ନଭେମ୍ବର ମାସର ଶେଷ ୪ ଦିନ ରାଜଧାନୀର ଗାନ୍ଧୀମାର୍ଗରେ ତିନିଗୋଟି ଦାବି ପୂରଣ ନିମନ୍ତେ ଐତିହାସିକ ଆନ୍ଦୋଳନ ହୋଇଥିଲା । ସୂଚନାଯୋଗ୍ୟ, ୨୯ ଡିସେମ୍ବର, ୨୦୨୨ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆମର ଦାବିଗୁଡ଼ିକ ଉପରେ ବୈଠକ ଅନୁଷ୍ଠିତ ହୋଇଥିଲା । ସେହିପରି ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଆମର ଦାବିଗୁଡ଼ିକ ଉପରେ ସ୍ପଷ୍ଟିକରଣ ରଖିସାରିଛନ୍ତି । ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ରିଜୋଲୁସନ୍ ନଂ. ୨୩୨୯୨ ତା ୨୯.୧୧.୨୦୧୭ ଅନୁଯାୟୀ ଏଲିମେଣ୍ଟାରି ଶିକ୍ଷକମାନଙ୍କର ଆବଶ୍ୟକୀୟ ଯୋଗ୍ୟତା +୨ ସିଟିକୁ ଉତ୍ତୀର୍ଣ୍ଣ ହୋଇଅଛି । ୨୦୧୯ କ୍ୟାଡର ରୁଲ୍ରେ ସର୍ବନିମ୍ନ ଯୋଗ୍ୟତା ମାଟ୍ରିକ ସିଟି / +୨ ସିଟି / ବି.ଏ. ସିଟିକୁ ସଂଶୋଧନ କରାଯାଇ +୨ ସିଟି / ବି.ଏ. ସିଟି ବୋଲି ଆବଶ୍ୟକୀୟ ଯୋଗ୍ୟତା କରାଯିବା ଆବଶ୍ୟକ । ସୁତରାଂ ୨୦୧୯ କ୍ୟାଡର ରୁଲ୍ ସଂଶୋଧନ କରାଯାଇ କ୍ଲଜ୍-୭ରେ ଏଲିମେଣ୍ଟାରି ଶିକ୍ଷକ (ଲେବୁଲ୍-୫ଏ)ଙ୍କ ପାଇଁ ଲିଖିତ ଯୋଗ୍ୟତାକୁ ମାଟ୍ରିକ ସିଟି ଉଚ୍ଛେଦ କରି +୨ ସିଟି / ବି.ଏ. ସିଟି / ବି.ଏ. ବି.ଏଡ୍. ରାଯାଉ । ଲେବୁଲ -୪ରେ ଗ୍ରାଜୁଏଟ୍ ଟିଚର ସାଇନ୍ସ କିମ୍ବା ଆର୍ଟସ୍ ପରିବର୍ତ୍ତେ କେବଳ ଗ୍ରାଜୁଏସନ୍ ସହିତ ସିଟି, ବି.ଏଡ୍ ଶିକ୍ଷକମାନଙ୍କୁ ଦିଆଯାଉ । ଏହାଦ୍ୱାରା ଗ୍ରାଜୁଏଟ୍ ଟିଚର ସାଇନ୍ସ ପଦବୀ ଖାଲି ରହିବ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ୧୫ ଅକ୍ଟୋବର, ୨୦୨୨ରେ ଠିକା ନିଯୁକ୍ତି ଉଚ୍ଛେଦ କରିଛନ୍ତି । ସରକାରଙ୍କ କଣ୍ଟ୍ରାକ୍ଚୁଆଲ୍, ୨୦୧୩ ନିୟମ ଅଧାରରେ ସେକେଣ୍ଡାରୀ ସ୍କୁଲରେ ନିଯୁକ୍ତ ଶିକ୍ଷକମାନେ ଯେପରି ସିବିଟି, ଓଏସ୍ଏସ୍ଟିଇଟି ବା କୌଣସି ଯୋଗ୍ୟତା ମାନଙ୍କ ପରୀକ୍ଷା ଦ୍ୱାରା ନିଯୁକ୍ତି, ସେହିପରି ୨୦୧୨ ମସିହାଠାରୁ ଏଲିମେଣ୍ଟାରୀ ବିଭାଗରେ ନିଯୁକ୍ତ ପ୍ରାଥମିକ ଶିକ୍ଷକମାନେ ସିଟି/ ବିଏଡ୍ ଯୋଗ୍ୟାତା ଥାଇ ଓଟିଇଟି ପରୀକ୍ଷା ଦେଇ ନିଯୁକ୍ତି ପାଇଛନ୍ତି । ତେଣୁ ୨୦୧୨ ଠାରୁ ନିଯୁକ୍ତ ପ୍ରଥମିକ ଶିକ୍ଷକମାନେ ସରକାରଙ୍କର କଣ୍ଟ୍ରାକ୍ଚୁଆଲ୍ ନିୟମ ଉଚ୍ଛେଦର ସୁବିଧା ପାଇପାରିବେ । ସେକେଣ୍ଡାରୀ ବିଦ୍ୟାଳୟରେ କେବଳ ଦୁଇଟି (୨) ଶ୍ରେଣୀ ଥିଲାବେଳେ ଏଲିମେଣ୍ଟାରୀ ବିଭାଗରେ ୧ମରୁ ୮ମ (ଆଠଟି) ଶ୍ରେଣୀକୁ ପଢ଼ାଉଥିବା ଶିକ୍ଷକମନେ ସେଲ୍-୬ରେ ଏବଂ ସେକେଣ୍ଡାରୀ ଶିକ୍ଷକମାନେ ସେଲ୍-୯ରେ ଦରମା ପାଉଛନ୍ତି । ଆମେ ନିବେଦନ କରୁଛୁ, ଆମକୁ ସେକେଣ୍ଡାରୀଠାରୁ ଗୋଟିଏ କମ୍ ସେଲ୍, ସେଲ୍-୮ରେ ଦରମା ପ୍ରଦାନ କରନ୍ତୁ । ସେହିପରି ୨୦୦୧ ଠାରୁ ନିଯୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କର ଦରମାରେ ଆର୍ଥିକ ଅଭିବୃଦ୍ଧି କରାଯାଉ । ଏଲିମେଣ୍ଟାରୀ ବିଦ୍ୟାଳୟରେ କାର୍ଯ୍ୟରତ ଅଥଚ ଉଚ୍ଚ ଯୋଗ୍ୟତା ଯଥା : ବିଏଡ୍/ ଏମ୍ଏଡ୍ଧାରୀମାନଙ୍କୁ ସେକେଣ୍ଡାରୀ ଏବଂ ହାଇଅର୍ ସେକେଣ୍ଡାରୀ ବିଦ୍ୟାଳୟମାନଙ୍କରେ ଅବସ୍ଥାପିତ କରାଯାଉ, ଶିକ୍ଷକ ବଦଳି ନୀତିରେ ସରଳୀକରଣ କରାଯାଉ । ସର୍ବୋପରି ଆମର ପ୍ରିୟ ତଥା ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶିକ୍ଷା ବ୍ୟବସ୍ଥାର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷମାନଙ୍କ ସମସ୍ୟାଗୁଡ଼ିକର ଅନୁଶୀଳନ କରିବା ପାଇଁ ବର୍ଷରେ ଅନ୍ତତଃ ଗୋଟିଏ ଦିନ ଶିକ୍ଷକମାନଙ୍କ ସହିତ ମିଶିବା ପାଇଁ ଖୋଲା ବୈଠକ ଆୟେ।।ଜନ କରନ୍ତୁ ବୋଲି ଆବାହକ ପ୍ରବୀଣ କୁମାର ଦାସ ଓ ସହ-ଆବାହକ ଓଡ଼ିଶା ପ୍ରାଥମିକ ଶିକ୍ଷକ ମହାସଂଘର ସୁବ୍ରତ କୁମାର ବଡ଼ଜେନା ଏକ ପ୍ରେସ୍ବାର୍ତ୍ତା ଜରିଆରେ ଜଣାଇଛନ୍ତି ।