ମନ୍ଦିର ରେ ବିଦେଶୀ ପ୍ରବେଶ କରିବା ରୁ ମାମଙ୍ଗଳା ଙ୍କ ମହାସ୍ନାନ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ର ସୁରକ୍ଷା ଦାଇତ୍ୱ ଘରୋଇ ସୁରକ୍ଷା ଏଜେନ୍ସି କୁ ଦିଆଯାଇଛି। ସୁରକ୍ଷାକର୍ମୀ ମାନେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମନ୍ଦିର ବେଢ଼ା ଭିତରକୁ ବି ଫଟୋ ଉଠାଇବାକୁ ଅନୁମତି ଦେଉନାହାନ୍ତି।ତେବେ ଆଜି ପୁରୀ ରୁ କାକଟପୁର ଅଞ୍ଚଳ କୁ ବୁଲିବାକୁ ଆସିଥିବା ଜଣେ ବିଦେଶୀ ପର୍ଯ୍ୟଟକ ସୁରକ୍ଷାକର୍ମୀ ଙ୍କୁ ଚକମା ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ବିଦେଶୀ ପର୍ଯ୍ୟଟକ ଙ୍କୁ ମନ୍ଦିର ରେ ଦେଖି କିଛି ସେବକ ମନ୍ଦିର ପ୍ରଶାସନ କୁ ଜଣାଇବା ପରେ ତାଙ୍କୁ ଅଟକ ରଖାଯାଇଥିଲା। ତାଙ୍କ ଠାରୁ ନିୟମ ଅନୁସାରେ ପ୍ରାୟ ୨୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇ ତାଙ୍କୁ ଛାଡି ଦିଆଯାଇଥିଲା। ବିଦେଶୀ ଙ୍କ ମନ୍ଦିର ପ୍ରବେଶ ଯୋଗୁଁ ମା ମଙ୍ଗଳା ଙ୍କୁ ପୂଜାପଣ୍ଡା ସୁବାସ ଚନ୍ଦ୍ର ପାଢ଼ୀ ପୁନଃ ସ୍ନାନ, ମାର୍ଜଣା କରିବା ସହିତ ମନ୍ଦିର କୁ ମାଘ ସ୍ନାନ କରା ଯାଇଥିଲା। ମା ଙ୍କ ପ୍ରସାଦ ସବୁକୁ ନିୟମ ଅନୁସାରେ ପୋତା ଯାଇ ନୂତନ ଭାବେ ପ୍ରସାଦ ପ୍ରସ୍ତୁତ କରାଯାଇଥିଲା ବୋଲି କହିଛନ୍ତି ଆଜି ର ପାଳିଆ ସେବକ ପାରେଶ୍ୱର ପାଢ଼ୀ।ମନ୍ଦିର ଭିତରକୁ ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିବା ଘଟଣା ମନ୍ଦିର ର ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।


