୩ ଗୁଣା ହେବ ବିଧାୟକ ହାତପାଣ୍ଠି
ଭୁବନେଶ୍ୱର : ବିଧାୟକଙ୍କ ହାତପାଣ୍ଠି ବୃଦ୍ଧି କରିବାକୁ ଗତ କିଛି ବର୍ଷ ହେଲା ଦଳମତ ନିର୍ବିଶେଷରେ ସବୁ ବିଧାୟକ ଦାବି କରିଆସୁଛନ୍ତି । ଏପରିକି ମିଳିତ ଭାବେ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମଧ୍ୟ ଦାବି କରିଛନ୍ତି । ନିଜ ନିଜ ନିର୍ବାଚନମଣ୍ଡଳିରେ ଲୋକଙ୍କ ଅନୁରୋଧ ଏବଂ ଆବଶ୍ୟକତା ଅନୁଯାୟୀ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଅଧିକ ହାତପାଣ୍ଠିର ଆବଶ୍ୟକତା ରହିଛି ବୋଲି ବିଧାୟକମାନେ ଦାବି କରିଆସୁଥିଲେ । ଶେଷରେ ବିଧାୟକଙ୍କ ଦାବି ଅନୁଯାୟୀ ରାଜ୍ୟ ସରକାର ହାତପାଣ୍ଠିକୁ ଏକ କୋଟିରୁ ୩ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଏନେଇ ବିଧିବଦ୍ଧ ଭାବେ ଘୋଷଣା ହେବ ।
ନିଜ ନିଜ ନିର୍ବାଚନମଣ୍ଡଳିରେ ଭିତ୍ତିଭୂମୀ ବିକାଶ ପାଇଁ ୧୯୯୭-୯୮ ଆର୍ଥିକ ବର୍ଷରୁ ବିଧାୟକମାନଙ୍କୁ ହାତପାଣ୍ଠି ମିଳୁଛି । ପ୍ରଥମେ ଏହି ହାତପାଣ୍ଠି ପରିମାଣ ମାତ୍ର ୫ ଲକ୍ଷ ଟଙ୍କା ଥିବା ବେଳେ ଧିରେ ଧିରେ ଏହା ୭୫ ଲକ୍ଷକୁ ଏବଂ ୨୦୧୦ରେ ଏକ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ହେଲେ ପରିବର୍ତ୍ତିତ ପରିସ୍ଥିତିରେ ଦରବୃଦ୍ଧି ଏବଂ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ଏକ କୋଟି ଟଙ୍କା ଯଥେଷ୍ଟ ହେଉନାହିଁ । ଏଥିପାଇଁ ହାତପାଣ୍ଠି ବୃଦ୍ଧି କରିବାକୁ ଦାବି ହେଉଥିଲା । ଗତ ୯ ବର୍ଷ ହେଲା ହାତପାଣ୍ଠିରେ କୌଣସି ପରିବର୍ତ୍ତନ ହୋଇନାହିଁ । ବିଧାୟକମାନେ ନିଜ ଭୋଟରଙ୍କ ଆବଶ୍ୟକତା ଅନୁଯାୟୀ ପୋଖରୀ ଖୋଳିବାଠାରୁ ଆରମ୍ଭ କରି ରାସ୍ତା ନିର୍ମାଣ, ମନ୍ଦିର, ନଳକୂପ ଖନନ, ସ୍କୁଲ ଘର ମରାମତି ଭଳି ଯାବତୀୟ କାର୍ଯ୍ୟ ପାଇଁ ହାତପାଣ୍ଠିରୁ ଆର୍ଥିକ ସହାୟତା ଦେଇଥାନ୍ତି । କିନ୍ତୁ ଭିତ୍ତିଭୂମି ବିକାଶ ସହ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଏହି ରାଶି ଯଥେଷ୍ଟ ହେଉନାହିଁ । ତେଣୁ ଏହାକୁ ଅନ୍ୟୁନ ୩ କୋଟି କରିବାକୁ ବିଭିନ୍ନ ସମୟରେ ବିଧାୟକମାନେ ଦାବି କରୁଥିଲେ । ଏପରିକି ଏହି ଗୋଟିଏ ପ୍ରସଙ୍ଗରେ ବିରୋଧୀ ଓ ଶାସକ ଦଳ ସବୁବେଳେ ଏକମତ ହୋଇଥାନ୍ତି । ମିଳିତ ଭାବେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରି ଆବଶ୍ୟକତା ଜଣାଇଛନ୍ତି । ସରକାର ରାଜ୍ୟର ଆର୍ଥିକ ସ୍ଥିତି ଏବଂ ବିଧାୟକଙ୍କ ଆବଶ୍ୟକତାକୁ ତର୍ଜମା କରି ଶେଷରେ ହାତପାଣ୍ଠିକୁ ତିନିଗୁଣା ଅର୍ଥାତ ୧ କୋଟିରୁ ୩ କୋଟିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇ । ଏନେଇ ଅର୍ଥ ବିଭାଗର ମଂଜୁରୀ ପରେ ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ ମିଳିସାରିଥିବା ବେଳେ ଖୁବଶୀଘ୍ର ଏନେଇ ବିଧିବଦ୍ଧ ଘୋଷଣା ହେବ ବୋଲି ସୂଚନା ମିଳିଛି । ତେବେ ଅନେକ ସମୟରେ ବିଧାୟକଙ୍କ ହାତପାଣ୍ଠି ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ ହୁଏନାହିଁ । ବିଧାୟକମାନେ ପ୍ରକଳ୍ପ ତାଲିକା ଦେବା ପରେ ପ୍ରଶାସନିକ ମନ୍ଥରତା ଯୋଗୁଁ କାମ ଆରମ୍ଭ ହେବା ବିଳମ୍ବିତ ହୋଇଥାଏ ଏବଂ ବର୍ଷ ଶେଷକୁ ଅର୍ଥ ଖର୍ଚ୍ଚ ହୋଇପାରେନାହିଁ । ତେଣୁ ହାତପାଣ୍ଠି ବୃଦ୍ଧି ସହ ଏହାର ଖର୍ଚ୍ଚ ପ୍ରକ୍ରିୟାକୁ ମଧ୍ୟ ବ୍ୟବସ୍ଥିତ କରିବାକୁ ନିୟମାବଳୀ କଡାକଡି ହେବ । ଏଣିକି ହାତପାଣ୍ଠିରୁ ମଂଜୁରୀପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରାଯିବ । ନିକଟରେ ବିଧାନସଭାରେ ଉପସ୍ଥାପିତ ଏକ ତଥ୍ୟ ଅନୁଯାୟୀ ଗତ ୨୦୧୫-୧୬ରୁ ୨୦୧୮-୧୯ ମଧ୍ୟରେ ବିଧାୟକଙ୍କ ହାତପାଣ୍ଠି ବାବଦରେ ସରକାର ୭୩୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ସେ ମଧ୍ୟରୁ ୪୮୩ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ବେଳେ ଆହୁରି ୩୪ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିନଥିଲା ।