ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ୭୩ତମ ସମ୍ମିଳନୀ ନିମନ୍ତେ ପୁନେଠାରେ ପ୍ରସ୍ତୁତି ପର୍ବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପରମହଂସ ପରିବ୍ରାଜକଚାର୍ଯ୍ୟ ସଦ୍ଗୁରୁ ଶ୍ରୀମଦ୍ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ସ୍ୱହସ୍ତ ପ୍ରତିଷ୍ଠିତ ନୀଳାଚଳ ସାରସ୍ୱତ ସଂଘ, ପୁରୀଙ୍କ ଦ୍ୱାରା ୭୩ତମ ଭକ୍ତ ସମ୍ମିଳନୀ ଫେବୃୟାରୀ ୨୦୨୪ ମସିହାରେ ପୁନେଠାରେ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇ ଏହାର ପ୍ରଥମ ପ୍ରସ୍ତୁତି ବୈଠକ ପୁନେ ମଞ୍ଜରୀସ୍ଥିତ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ଆସନ ମନ୍ଦିରରେ ତା ୧୪.୦୪.୨୦୨୩ରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ।ସମଗ୍ର ଭାରତବର୍ଷରୁ ବିଭିନ୍ନ ବିଭାଗର ମୁଖ୍ୟମାନେ ଯୋଗଦାନ କରି ଭକ୍ତ ସମ୍ମିଳନୀ ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ । ନୀଳାଚଳ ସାରସ୍ୱତ ସଂଘ ପୁରୀଙ୍କ ତରଫରୁ ସଂଘ ଭାପପତି ଶ୍ରୀ ସନ୍ତୋଷ କୁମାର ମହାନ୍ତି, ପରିଚାଳକ ଶ୍ରୀ ଶରତ ଚନ୍ଦ୍ର ସିଂଦେବ, ଉପସଭାପତି ଶ୍ରୀ କମ୍ଭୁ ଚରଣ ଧର ଓ ପରିଚାଳନା ମଣ୍ଡଳୀ ସଦସ୍ୟାମାନେ ଯୋଗଦାନ କରିଥିଲେ ଓ ସମ୍ମିଳନୀର ସମସ୍ତ ସେବା ବିଭାଗର ମୁଖ୍ୟମାନେ ଯୋଗଦାନ କରିଥିଲେ ଓ ସ୍ଥାନୀୟ ବିଧାୟକ ଶ୍ରୀ ଅଶୋକ ବାବୁ ପାୱାର ତଥା ଏନ.ସି.ପି. ଅଧ୍ୟକ୍ଷ ଶ୍ରୀ ସୁରେଶ ଘୁଲେ ମଧ୍ୟ ଯୋଗଦାନ କରି ସମସ୍ତ ପ୍ରକାର ସହଯୋଗ କରିବାକୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ସମଗ୍ର ବିଶ୍ୱରୁ ଅନ୍ୟୁନ ୧୦,୦୦୦ ଭକ୍ତ ଯୋଗଦାନ କରି ୫ ଦିନ ପର୍ଯ୍ୟନ୍ତ ସମ୍ମିଳନୀ କ୍ଷେତ୍ରରେ ଅବସ୍ଥାନ କରି ଏହି ଧର୍ମସଭାରେ ଯୋଗଦାନ କରି ସଦଗୁରୁ ନିଗମାନନ୍ଦଙ୍କ ପ୍ରବର୍ତ୍ତିତ ଆଦର୍ଶ, ଉଦ୍ଦେଶ୍ୟ ଓ ଭାବଧାରା ବିଷୟରେ ଆଲୋଚନା ଓ ଚର୍ଚ୍ଚା କରି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ତଥା ଭାରତ ବିଶ୍ୱଗୁରୁ ହେବାର ଯୋଜନାର ରୂପରେଖ ବିଷୟରେ ଆଲୋଚନା କରାଯାଇଥିଲା । ନୀଳାଚଳ ସାରସ୍ୱତ ସଂଘ ତରଫରୁ ଭାରତର ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ଏହି ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହୁଏ । ଏହା ୨୦୨୪ରେ ପୁନେଠାରେ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଥିବାରୁ ପୁନେର ବିଭିନ୍ନ ମହଲରେ ଆନନ୍ଦ ଉଲ୍ଲାସର ଆଭାସ ମିଳିଛି । ଏହି ବୈଠକକୁ ସଫଳ କରିବାରେ ପ୍ରବାସୀ ସଂଘ ସଭାପତି ଶ୍ରୀ ସଂଗ୍ରାମ ଧର, ସମ୍ପାଦକ ଶ୍ରୀ ସୂର୍ଯ୍ୟକାନ୍ତ ବଳ, କୋଷାଧ୍ୟକ୍ଷ ଶ୍ରୀ ରବି ନାରାୟଣ ଦାସ, ପୁନେ ସଖାସଂଘ ସଭାପତି ଶ୍ରୀ ବି ସୁରେଶ ତଥା ପ୍ରବାସୀ ଶାଖା ସଂଘର ସମସ୍ତ ସଦସ୍ୟମାନଙ୍କର ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି ।