ଏଡମିସନ କରାଇବା ଆଳରେ ଠକୁଥିବା ୨ ଠକ ଗିରଫ

ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ ଚାକରି ପ୍ରଦାନ ଆଳରେ ପୂର୍ବରୁ ବାଲେଶ୍ୱରର ଯୁବକ-ଯୁବତୀ ଠକେଇରେ ଶିକାର ହୋଇଥିବା ନେଇ ଅଭିଯୋଗ ଉଠିଥିବା ବେଳେ ଏବେ ସରକାରୀ ଓ ଖ୍ୟାତନାମା ବେସରକାରୀ କଲେଜରେ ନାମ ଲେଖାଇବା ନାଁରେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ଠକିଥିବା ରାକେଟର ପର୍ଦ୍ଦାଫାସ କରିଛି ଜିଲା ସାଇବର ଥାନା ପୁଲିସ । ମେଡିକାଲ କଲେଜ ସମେତ ଖ୍ୟାତନାମା ଘରୋଇ କଲେଜରେ ବିଭିନ୍ନ ବିଭାଗର ବିଟେକରେ ନାମଲେଖା, ନିଟ ଓ ଓଜେଇଇ ପ୍ରଭୃତି ପରୀକ୍ଷାରେ ଭଲ ର‌୍ୟାଙ୍କ ପ୍ରଦାନ ନାମରେ ପାଖାପାଖି ୩ କୋଟି ଟଙ୍କା ଠକି ନେଇଥିବା ଦୁଇ ଅଭିଯୁକ୍ତଙ୍କୁ ସାଇବର ପୁଲିସ ଗିରଫ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଗିରଫ ଦୁଇ ଯୁବକ ହେଲେ ଯାଜପୁର ଅଞ୍ଚଳର ସୁମିତ କୁମାର ବିଶ୍ୱାଳ ଏବଂ ସୁନୀଲ କୁମାର ସାମନ୍ତରାୟ । ସେମାନେ ଭୁବନେଶ୍ୱର ସ୍ଥିତ ଜୟଦେବବିହାର ଅଞ୍ଚଳରେ ‘ସାଇ ଏକାଡେମୀ’ ନାମରେ ଏକ ଅନୁଷ୍ଠାନ ଖୋଲି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଠକୁଥିଲେ । ୨୦୧୫ମସିହା ଠାରୁ ସେମାନେ କୋଟି କୋଟି ଟଙ୍କା ଠକି ନେଇଥିବା ଜଣାଯାଇଛି । ତେବେ ଗତ ୧୪ତାରିଖରେ ବାଲେଶ୍ୱର ସାଇବର ଥାନାରେ ଏଭଳି ଏକ ଘଟଣାର ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ଗୋକୁଳ ଚନ୍ଦ୍ର ନାୟକଙ୍କ ଝିଅ ଯୁକ୍ତଦୁଇ ପାସ କରିବା ପରେ ମେଡିକାଲ ଏଣ୍ଟ୍ରାନ୍ସ ଦେଇଥିଲେ । ୭ଶହ ମାର୍କରୁ ୧୩୭ ମାର୍କ ରଖିଥବା ତାଙ୍କ ଝିଅଙ୍କୁ ଏକ ସରକାରୀ ମେଡିକାଲ କଲେଜରେ ଆଡମିସନ କରାଇବା ପାଇଁ ସେ ଏହି ସାଇ ଏକାଡେମିର ସହଯୋଗ ଲୋଡ଼ିଥିଲେ । ଏହି ଠକ ସଂସ୍ଥା ପକ୍ଷରୁ ତାଙ୍କୁ ୫୦ଲକ୍ଷ ଟଙ୍କା ଦାବି କରାଯାଇଥିଲା ।ମାତ୍ର ଆଲୋଚନା ପରେ ୨୮ଲକ୍ଷ ଟଙ୍କାରେ କଥା ଛିଣ୍ଡିଥିଲା । ବରହମପୁର ସ୍ଥିତ ସରକାରୀ ମେଡିକାଲ କଲେଜରେ ଆଡମିସନ ପାଇଁ ଦୁଇଠକ ପ୍ରତିଶ୍ରୁତି ମଧ୍ୟ ଦେଇ ଶ୍ରୀ ନାୟକଙ୍କଠାରୁ ନଗଦ ରାଶି ଓ ଅନଲାଇନ ପେମେଣ୍ଟ ମାଧ୍ୟମରେ ମୋଟ ୨୧ଲକ୍ଷ ଟଙ୍କା ନେଇଥିଲେ । ମାତ୍ର ତାଙ୍କ ଝିଅଙ୍କୁ ବରହମପୁର ସ୍ଥିତ ମେଡିକାଲ କଲେଜ ନିକଟକୁ ସେଠାରେ ଆଡମିସନ ନ କରାଇ ଅନ୍ୟ ଏକ କଲେଜରେ ଆଡମିସନ କରାଇଥିଲେ । ଫେକ କାଗଜପତ୍ର ପ୍ରଦାନ ସହ ଡାକ୍ତରୀ ପାଠ୍ୟକ୍ରମ ପାଇଁ ସମସ୍ତ ଉପରକଣ ମଧ୍ୟ ପ୍ରଦାନ କରିଥିଲେ । ସେ ଠକାମୀର ଶିକାର ହୋଇଥିବା ଜାଣିବା ପରେ ଶ୍ରୀ ନାୟକ ବାଲେଶ୍ୱର ସାଇବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ୧୨/୨୩ ନଂର ମାମଲା ରୁଜୁ ସହ ତଦନ୍ତ କରି ଏହି ଦୁଇ ପେସାଦାର ଠକଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିବା ଏସପି ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାରେ ପାଖାପାଖି ୭ଜଣ ଛାତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ଆଡମିସନ କରାଇଦେବା କହି ସେମାନଙ୍କ ଠାରୁ ପାଖାପାଖି ୩କୋଟି ଟଙ୍କା ଠକେଇ କରିଥିବା ଗିରଫ ଅଭିଯୁକ୍ତ ଦ୍ୱୟ ପଚରାଉଚୁରା ବେଳେ ପୁଲିସ ଆଗରେ ମାନିଥିବା ଏସପି କହିଛନ୍ତି । ଦୁଇ ଅଭିଯୁକ୍ତଙ୍କ ନାମରେ ଭୁବନେଶ୍ୱରର ଇନଫୋସିସ ଥାନା, ମଂଚେଶ୍ୱର ଥାନା, ଲିଙ୍ଗରାଜ ଥାନା, ଲକ୍ଷ୍ମୀସାଗର ଥାନା, ଝାଡ଼ଖଣ୍ଡ ରାଜ୍ୟର ଗୁମୁଳା ଥାନା, ଭଦ୍ରକ ଟାଉନ ଥାନା ଏବଂ ଯାଜପୁର ଟାଉନ ଥାନାରେ ମିଶାଇ ମୋଟ ୧୨ଟି ମାମଲା ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ଶଶାଙ୍କ ଶେଖର ବେହୁରା, ସାଇବାର ଥାନା ଅଧିକାରୀ ମୀନା ବିନ୍ଧାଣୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ