ସାହି ମୁଖିଆ ଙ୍କୁ ହତ୍ୟା ଉଦ୍ୟମ ମାମଲା ଅଭିଯୁକ୍ତ ଗିରଫ ଖଣ୍ଡା,ଷ୍ଟିଲ ଛଡ଼ ଜବତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ବୁଧବାର ତିଳେଶ୍ୱର ଗ୍ରାମର ଲିକନ ପଣ୍ଡା ଏବଂ ଦିଗପାଳ ସ୍ୱାଇଁ ଙ୍କୁ ଥାନା ମାମଲା ନଂ. ୧୪୪/୨୩ ଦଫା – ୩୪୧/୩୮୬/୩୦୭/୫୦୬/୩୪ ଆଇ ପି ସି ଏବଂ ଆର୍ମ୍ସ ଆକ୍ଟ୍ ର ଧାରା – ୨୭ ଅନୁଯାୟୀ ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି।ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ୱୟ ଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ସୋମବାର ସନ୍ଧ୍ୟା ପ୍ରାୟ ୭ ଟା ରେ ଅଭିଯୁକ୍ତ ଦ୍ୱୟ ଖଣ୍ଡା,ଭୁଜାଲି ଏବଂ ଷ୍ଟିଲ ଛଡ଼ ହାତରେ ଧରି ମଳାଭଞ୍ଜା ରାଧାନଗର ଗ୍ରାମର ସାହି ମୁଖିଆ ଏମ.ଆକାଶ ପାତ୍ର ଙ୍କୁ ପ୍ରତି ମାସରେ ୧୦ ହଜାର ଟଙ୍କା ଲେଖାଏଁ ଦାଦା ବଟି ଦେବା ପାଇଁ ବାଧ୍ୟ କରିବା ସହ ହତ୍ୟା ଉଦ୍ୟମ କରିଥିଲେ।ଅଭିଯୁକ୍ତ ଦ୍ୱୟ ତାଙ୍କ ଘର ପାଖକୁ ଯାଇ ଧମକ ଚମକ ଦେବା ବେଳେ ଏମ.ଆକାଶ ଙ୍କ ପାଟି ଶୁଣି ସାହି ବାସିନ୍ଦା ତାଙ୍କ ଘର ପାଖରେ ପହଞ୍ଚି ଉଭୟ ଅଭିଯୁକ୍ତ ଙ୍କୁ ଅଟକ ରଖି ଦିଗପହଣ୍ଡି ଥାନା କୁ ଖବର ଦେଇଥିଲେ।ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଦ୍ୱୟ ଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଖଣ୍ଡା,ଷ୍ଟିଲ ଛଡ଼ ପ୍ରଭୃତି ମାରଣାସ୍ତ୍ର ଜବତ କରି ଥାନା କୁ ନେଇଥିଲେ।ପରେ ଏମ.ଆକାଶ ଙ୍କ ଏତଲା ଭିତ୍ତିରେ ପୋଲିସ ଅଭିଯୁକ୍ତ ଦ୍ୱୟ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଶ୍ରମିକ ଠିକାଦାର ଭାବେ କାମ କରୁଥିବା ଏମ.ଆକାଶ ତାଙ୍କ ସାହିର ମୁଖିଆ ଥିବାବେଳେ ଅନ୍ୟସାହି ବାସିନ୍ଦା ତାଙ୍କୁ କିଛିବର୍ଷ ହେଲା ବିଭିନ୍ନ କାରଣକୁ ନେଇ ବିରୋଧ କରି ଆସୁଛନ୍ତି।ଏନେଇ ଦୁଇ ସାହି ମଧ୍ୟରେ ବିବାଦ ଲାଗି ରହିଛି। ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି କିଛି ବର୍ଷ ପୂର୍ବେ ଏମ.ଆକାଶ ଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟ ସାହି ର କିଛି ବାସିନ୍ଦା ଙ୍କୁ ଆକ୍ରମଣ କରାଯାଇଥିଲା। ଏନେଇ ଦିଗପହଣ୍ଡି ଥାନା ରେ ଏତଲା ହୋଇଥିଲା। ଏହାର ପ୍ରତିଶୋଧ ପାଇଁ ଅନ୍ୟ ସାହି ବାସିନ୍ଦା ଏମ.ଆକାଶ ଙ୍କୁ ମରଣାନ୍ତକ ଆକ୍ରମଣ କରିବା ଉଦ୍ଦେଶ୍ୟ ରେ ଅଭିଯୁକ୍ତ ଦ୍ୱୟ ଙ୍କୁ ସୁପାରିି ଦେଇ ଏଭଳି ଘଟଣା ଘଟାଇଥିବା ପୋଲିସ ର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଅଭିଯୁକ୍ତ ଦିଗପାଳ ପୁରୀ ରେ ଉଠା ଦୋକାନ କରି ବ୍ୟବସାୟ କରୁଥିବା ସହ ଅସାମାଜିକ କାର୍ଯ୍ୟକଳାପ ରେ ସମ୍ପୃକ୍ତ ଥିବା ବେଳେ ଲିକନ ଗାଁ ରେ ରହି ଛୋଟ ବଡ଼ ଅପରାଧ ରେ ଲିପ୍ତ ଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସ.ଆଇ ଗୌତମ ସାହୁ କହିଛନ୍ତି।


