ବି.ଡ଼ି.ଓ. ଏବଂ ଏ.ଇ.ଇ. ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ପୋଲସରା/ବୁଗୁଡା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଭିକାରୀ ଖଣ୍ଡୁଆଳ ଏପ୍ରିଲ ୩୦ ତାରିଖ ଦିନ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ। ମଇ ୩ ତାରିଖ ଦିନ ପୋଲସରା ସମିତି ସଭା ଗୃହରେ ଏକ ଭାବବିହ୍ଵଳ ପରିବେଶ ମଧ୍ୟରେ ଦୁଇ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ଅବସର ପ୍ରାପ୍ତ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଭିକାରୀ ଖଣ୍ଡୁଆଳଙ୍କ ଉତ୍ତମ କର୍ମମୟ ଜୀବନୀ ବିଷୟରେ ବକ୍ତବ୍ୟ ରଖିବା ସହ ଅବସରକାଳୀନ ଜୀବନ ଶାନ୍ତିରେ କଟିବା ପାଇଁ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ତହସିଲଦାର ଭାସ୍କର ଚନ୍ଦ୍ର ସାହୁ, ଏବିଡ଼ିଓ ଧର୍ମରାଜ ପରିଡା, ପୋଲସରା ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ, ବିକ୍ରମ କୁମାର ନାୟକ ଓ ଝୁନୁ ଦାସ ଙ୍କ ସମେତ ବ୍ଳକର ସମସ୍ତ କର୍ମଚାରୀ ଏବଂ ବିଭିନ୍ନ ପଞ୍ଚାୟର ସରପଞ୍ଚ ଓ ସମିତି ମେମ୍ବର ଉପସ୍ଥିତ ଥିଲେ।


