ଓଡ଼ିଶାରେ ବାତ୍ୟା ଆଶଙ୍କା ଅସାଧୁ ବେପାରୀଙ୍କ ପାଇଁ ମଧୁ ମାସ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାକୁ ଆଗାମୀ ୯ ତାରିଖ ବାତ୍ୟା ଆଶଙ୍କା ନେଇ ଗଣମାଧ୍ୟମରେ ପ୍ରଚାର ନ ହେଉଣୁ ବଜାରରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର କୃତ୍ରିମ ଅଭାବ ଦେଖାଦେବା ସଙ୍ଗେ ସଙ୍ଗେ ରାତାରାତି ଦରଦାମ ସବୁ ବଢିଯାଇଛି । ବିଶେଷତଃ ଚାଉଳ, ଅଟା, ଡାଲି, ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦରରେ କିଲୋପିଛା ୩ଟଙ୍କାରୁ ୫ଟଙ୍କା ଭିତରେ ବୃଦ୍ଧି ଘଟିଛି ଏବଂ ବହୁ ଖାଦ୍ୟ ପଦାର୍ଥ ବଜାରରେ କୃତ୍ରିମ ଅଭାବ ସୃଷ୍ଟି ହେବା ସଙ୍ଗେ ସଙ୍ଗେ କଳାବଜାର ହେବାର ଆଶଙ୍କା ଦେଖାଦେଇଛି । ରାଜ୍ୟ ସରକାର ତୁରନ୍ତ ବାତ୍ୟା ପୂର୍ବରୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ସ୍ଥିର ରଖିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, ଘଟଣା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ଏକ ଉଚ୍ଚସ୍ତରୀୟ ବୈଠକ ଡାକନ୍ତୁ, ମୁଖ୍ୟ ଶାସନ ସଚିବ, ଖାଦ୍ୟ ଓ ଯୋଗାଣ ସଚିବ ଏବଂ ବିଭିନ୍ନ ଜିଲ୍ଲାପାଳମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାର ରୋକିବା ପାଇଁ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ଦରଦାମ ସ୍ଥିର ରଖିବାକୁ ପଦକ୍ଷେପ ନିଆଯାଉ । ଖାଦ୍ୟ ସାମଗ୍ରୀର କୃତ୍ରିମ ଅଭାବ ସୃଷ୍ଟି କରୁଥିବା ମହଜୁଦକାରୀ ବେପାରୀଙ୍କ ଉପରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଆବଶ୍ୟକ ପଡ଼ିଲେ ଖାଦ୍ୟ ସାମଗ୍ରୀର କଳାବଜାରୀ କରୁଥିବା ଏହି ବେପାରୀମାନଙ୍କୁ ଗରିଫ କରାଯାଉ ବୋଲି ଶ୍ରୀ ବେହେରା ଦାବି କରିଛନ୍ତି ।