ବାଘୁଆ ଗାଁରେ ଦିନ ଦିପହରେ ପସିଲା ହାତୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ କାନପୁର ଅଞ୍ଚଳରେ ଗତ କିଛିଦିନ ହେବ ପୁଣି ହାତୀ ଆତଙ୍କ ଦେଖା ଦେଇଛି । ଆମ୍ବ ପଣସ ପାଚିବା ସମୟ ହୋଇଗଲେ ଗତ ୫ବର୍ଷ ହେବ ଦୁଇଟି ଦନ୍ତା ହାତୀ ହଦଗଡର ହସ୍ତୀ ଅଭୟାରଣ୍ୟ ମଧ୍ୟରୁ ସୋସୋ କାନପୁର ଅଞ୍ଚଳକୁ ପଳାଇ ଆସି ବ୍ୟାପକ କ୍ଷୟକ୍ଷତି ଘଟାଇଥାନ୍ତି । ଏପରିକି ଗତ ଦୁଇବର୍ଷ ତଳେ ଅନେକ ଲୋକଙ୍କୁ ମଧ୍ୟ ଆକ୍ରମଣ କରି ମାରିଦେଇଥିଲେ । ଏବେ ଗତ କିଛିଦିନ ହେବ ଗୋଟିଏ ଦନ୍ତା ହାତୀ ସୋସୋ, କାନପୁର, ନିଉଦାନୀ, ଦନେଇପୁର, ନୁଆଗାଁ, ବାଘୁଆ, ଅଞ୍ଚଳରେ ଚଳପ୍ରଚଳ କରୁଥିବାବେଳେ ଗତକାଲି ଦିନ ଦିପହରେ ହାତୀଟି ବାଘୁଆ ଗାଁ ଭିତରକୁ ପସିଆସିବାରୁ ଗାଁରେ ଘରେ ଘରେ ତାଟି କବାଟ ପଡି ଯାଇଥିଲା । ଏପରିକି ବନ ବିଭାଗ ଘଉଡାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ହାତୀଟି ବାହାରକୁ ନଯାଇ ନିକଟରେ ଥିବା ଆମ୍ବ ପଣଷ ତୋଟା ମାନଙ୍କରେ ରହି ଯାଉଥିବାବେଳେ ରାତିରେ ବୁଲି ଅନେକ କ୍ଷୟକ୍ଷତି ଘଟାଉଛି । ଏପରିକି ନିମିଶକ ମଧ୍ୟରେ ସାଳନ୍ଦୀ ନଦୀ ପାରହୋଇ ସୋସୋ, କାନପୁର, ନିଉଦାନୀ ଓ ବାଘୁଆ ଗାଁ ଭିତରକୁ ପଳାଇ ଆସୁଥିବାରୁ ଗାଁ ଲୋକେ କିପରି ଚଳପ୍ରଚଳ କରିବେ ସେନେଇ ଚିନ୍ତାରେ ପଡି ଯାଇଛନ୍ତି । ଏହାକୁ ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ସନ୍ଧ୍ୟା ହେଲେ ଲୋକମାନେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ତେଣୁ ବନ ବିଭାଗ ତୁରନ୍ତ ହାତୀଟିକୁ ଘଉଡାଇବା ଲାଗି ପଦକ୍ଷେପ ନେଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ