ସୋନିଆଙ୍କୁ ଭେଟିଲେ ଓଡ଼ିଶା କଂଗ୍ରେସ ନେତା, ନେତ୍ରୀ : ପିସିସି ସଭାପତି ପରିବର୍ତ୍ତନ ପାଇଁ ଯୁକ୍ତି ବାଢ଼ିଲେ
ନୂଆଦିଲ୍ଲୀ : ସଂସଦ ଭବନରେ ୨୪ ନମ୍ବର ପ୍ରକୋଷ୍ଠରେ ଅଖିଳ ଭାରତ କଂଗ୍ରେସ କମିଟିର ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ଓଡ଼ିଶା କଂଗ୍ରେସ ନେତା ଓ ମହିଳା ନେତ୍ରୀ । ସୋନିଆଙ୍କୁ ଜନ୍ମ ଦିନରେ ଅଭିନନ୍ଦନ ଜଣାଇବା ସହ ସେମାନେ ଓଡ଼ିଶା କଂଗ୍ରେସର ସାଂଗଠନିକ ସ୍ଥିତି ସମ୍ପର୍କରେ ତାଙ୍କ ସହ ଆଲୋଚନା କରିଥିଲେ । ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ କହିଛନ୍ତି, ଗତ ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ଓ ପରେ ପରେ ଦୁଇଟି ବିଧାନସଭା ଉପନିର୍ବାଚନରେ ଦଳର ଶୋଚନୀୟ ପରାଜୟ କର୍ମୀମାନଙ୍କୁ ନିରାଶ କରିଛି । ଗତ ନିର୍ବାଚନରେ କଂଗ୍ରେସ ଦଳ ରାଜ୍ୟର ତୃତୀୟ ସ୍ଥାନକୁ ଖସିଥିବା ବେଳେ ପ୍ରାୟ ୪୨ ଜଣ ପ୍ରାର୍ଥୀ ୧୦ ହଜାରରୁ କମ୍ ଭୋଟ ପାଇ ଅମାନତ ହରାଇଛନ୍ତି । ମାତ୍ର ୯ ଜଣ ବିଧାୟକ ନିର୍ବାଚନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ନଳ ବିରୋଧୀ ଦଳର ମାନ୍ୟତା ମଧ୍ୟ ହରାଇଛି । ଏପରି ସ୍ଥଳେ ବର୍ତ୍ତମାନର ପିସିସି ସଭାପତି ରାଜ୍ୟରେ କଂଗ୍ରେସର ଅବସ୍ଥା ସୁଧାର ଆଣିପାରିବେ ନାହିଁ । ଅପର ପକ୍ଷରେ ବର୍ତ୍ତମାନ ଜଣେ ଲଢ଼ୁଆ ଯୁବ ନେତା ପିସିସି ସଭାପତି ହେବା ଆବଶ୍ୟକ ବୋଲି ଶ୍ରୀ ଦାସଙ୍କ ସହିତ ଯାଇଥିବା ଅନ୍ୟନେତା ଓ ନେତ୍ରୀମାନେ ମଧ୍ୟ କହିଛନ୍ତି । ପିସିସି ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ଦାସଙ୍କ ସହିତ ପୂର୍ବତନ ମୁଖପାତ୍ର ନିକୁଞ୍ଜ ପଶାୟତ, ପୂର୍ବତନ ସମ୍ପାଦକ ସତ୍ୟାନନ୍ଦ ରାଉତ, ମହିଳା କଂଗ୍ରେସ ନେତ୍ରୀ ସନ୍ଧ୍ୟା ମହାପାତ୍ର, ଶୈଳବାଳା ଜେନା, ଗିରିବାଳା ବେହେରା, ବିଶ୍ୱକଲ୍ୟାଣୀ କର, ଆରତୀ ସ୍ୱାଇଁ ପ୍ରମୁଖ ସୋନିଆଙ୍କୁ ଭେଟିଛନ୍ତି । ସମସ୍ତେ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବାକୁ ଏଆଇସିସି ଅଧ୍ୟକ୍ଷାଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏକ ସ୍ମାରକପତ୍ର ମଧ୍ୟ ଦେଇଛନ୍ତି । ପ୍ରଦେଶ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷା ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଭେଟିବା ପରେ ରାଜ୍ୟ କଂଗ୍ରେସ ନେତ୍ରୀ ଆଶା ବାନ୍ଧିଛନ୍ତି ବୋଲି ଶ୍ରୀ ଦାସ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି ।