ମୂଳାଷ୍ଟମୀରେ ମା’ ମଙ୍ଗଳା ମନ୍ଦିରରେ ଆରମ୍ଭ ହେଲା ଷୋଡଶ ଉପଚାର ପୂଜା
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ମହାକାଶରେ ବାଜି ଉଠିଛି ମହାଶକ୍ତିର ଶଙ୍ଖ, ମର୍ତ୍ତ୍ୟରେ ବାଜି ଉଠିଛି ଢାକର ବୋଲ। ଶନିବାର ପବିତ୍ର ମୂଳାଷ୍ଟମୀ। ବର୍ଷ ସାରାର ଅପେକ୍ଷାର ଅନ୍ତ ଘଟିଲା। ଶନିବାର ଠାରୁ ହିଁ ଜାଗ୍ରତ ହେଲେ ପୁରୀ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ କୋଟି ଓଡିଆଙ୍କ ଆରାଧ୍ୟା ପ୍ରାଚୀ ନଦୀ ତଟବାସିନୀ ମା’ ମଙ୍ଗଳା । ଶରତର ଆଗମନରେ ପ୍ରକୃତି ଯେମିତି ନୂଆ ରୂପ ଧାରଣ କରିଛି ସେମିତି ମା’ ମଙ୍ଗଳାଙ୍କ ପୀଠ ମଧ୍ୟ ଉତ୍ସବ ମୁଖର ହୋଇ ଉଠିଛି। କାକଟପୁରରେ ଆରମ୍ଭ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ ଷୋଡଶ ଉପଚାର ପୂଜାର ମହାଯାତ୍ରା ଯାହା ଆଗାମୀ ଷୋଳ ଦିନ ଧରି ଚାଲି ବିଜୟା ଦଶମୀରେ ଶେଷ ହେବ। ଏହି ଷୋଳ ଦିନ ମା’ ମଙ୍ଗଳା ସମ୍ପୂର୍ଣ୍ଣ ଜାଗ୍ରତ ଅବସ୍ଥାରେ ଥାନ୍ତି ବୋଲି ବିଶ୍ୱାସ। ମନ୍ଦିର ଟ୍ରଷ୍ଟର ନୀତି ନିର୍ଘଣ୍ଟ ଅନୁଯାୟୀ ଶନିବାର ଦିବା ୧ଘ ୩୦ମିନିଟ ରୁ ୨ଘ ୩୦ ମିନିଟ ମଧ୍ୟରେ ମା’ଙ୍କ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହୋଇଛି। ଏହି ଅଭିଷେକର ସବୁଠୁ ଦିବ୍ୟ ଓ ଭବ୍ୟ ଦୃଶ୍ୟ ଥିଲା ମା’ଙ୍କ ମହାସ୍ନାନ ପର୍ବ। ମନ୍ଦିର ପରିସର ଭିତରେ ରହିଛି ପ୍ରାଚୀନ ପବିତ୍ର ଗଙ୍ଗା କୂପ। ଲୋକବିଶ୍ୱାସ ଅନୁଯାୟୀ ଏହି କୂପ ସ୍ୱୟଂ ଗଙ୍ଗା ଏହାର ଜଳ କେବେ ଶୁଖେନି ଏହା ଅକ୍ଷୟ। ଆଜି ସେହି କୂପ ଚାରିପଟେ ପୂଜକ ସେବାୟତଙ୍କ ଭିଡ ଲାଗିଥିଲା। ବେଦ ମନ୍ତ୍ର, ଶଙ୍ଖ ନାଦ, ଘଣ୍ଟ, ମୃଦଙ୍ଗ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ପୁରା ପରିବେଶ। ସେବାୟତମାନେ ଗୋଟି ଗୋଟି କରି କୂପରୁ ୧୦୮ ଗରା ପବିତ୍ର ଜଳ କାଢୁଥିଲେ। ପ୍ରତି ଗରା ଜଳ ସହ ଗୁଞ୍ଜରି ଉଠୁଥିଲା ମା’ଙ୍କ ୧୦୮ ନାମ। ସେହି ଧ୍ୱନିରେ ପୁରା ପୀଠ ଦୁଲୁକି ଉଠୁଥିଲା। ଏହି ୧୦୮ ଗରା ଜଳରେ ଚନ୍ଦନ, ଅଗୁରୁ, କର୍ପୂର, ହଳଦୀ, କୁଙ୍କୁମ, ଚମ୍ପା, ମଲ୍ଲୀ, କୁସୁମ ପୁଷ୍ପ ମିଶାଇ ପ୍ରସ୍ତୁତ ହେଲା ମହାସ୍ନାନର ଦିବ୍ୟ ଜଳ। ସେହି ଜଳରେ ଯେବେ ମା’ ମଙ୍ଗଳା ସ୍ନାନ କଲେ ଲାଗୁଥିଲା ସତେ ଯେମିତି ସ୍ୱୟଂ ପବିତ୍ର ଗଙ୍ଗା ମା’ଙ୍କ ଚରଣ ଧୋଇ ଦେଉଛନ୍ତି। ଏହି ଅପୂର୍ବ ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ଭକ୍ତ ମନ୍ଦିର ପରିସରରେ ଭିଡ ଜମାଇଥିଲେ। ଭକ୍ତଙ୍କ ଆଖିରେ ଭକ୍ତିର ଲୁହ ମୁହଁରେ ଜୟ ମା’ ମଙ୍ଗଳା ଧ୍ୱନି ଗୁଞ୍ଜରିତ ହେଉଥିଲା। ମହାସ୍ନାନ ପରେ ମା’ ସତେଜ ଓ ପବିତ୍ର ହୋଇ ଷୋଡଶ ପୂଜା ଗ୍ରହଣ ପାଇଁ ପ୍ରସ୍ତୁତ ହେଲେ। ଏହାପରେ ଅନୁଷ୍ଠିତ ହେଲା ଘଟସ୍ଥାପନ ଓ ଦେବ୍ୟୁଥାପନ। ଘଟ ହେଉଛି ବ୍ରହ୍ମାଣ୍ଡର ପ୍ରତୀକ, ସୃଷ୍ଟିର ପ୍ରତୀକ, ଶକ୍ତିର ଆଧାର। ମାଟି କଳସରେ ଶୁଦ୍ଧ ଜଳ, ଆମ୍ର ପଲ୍ଲବ, ନଡିଆ, ସିନ୍ଦୂର, ଦୁବ ରଖି ଦେବୀ ଶକ୍ତିଙ୍କୁ ଆବାହନ କରାଗଲା। ସାଧାରଣ ଦିନରେ ବର୍ଷ ତମାମ ମା’ ମଙ୍ଗଳା ପଞ୍ଚ ଉପଚାରରେ ପୂଜା ପାଇଥାନ୍ତି, ହେଲେ ଏହି ଷୋଡଶ ଦିନ ସେ ବିଭିନ୍ନ ବେଶରେ ଷୋଡଶ ଉପଚାର ପୂଜା ପାଆନ୍ତି। ଏଥିପାଇଁ ମନ୍ଦିରରେ ଦୁଇ ଜଣ ସ୍ୱତନ୍ତ୍ର ପୂଜକ ନିୟୋଜିତ ହୁଅନ୍ତି। ଜଣେ ହେଉଛନ୍ତି ପଞ୍ଚ ଉପଚାର ପୂଜା ପଣ୍ଡା ଓ ଅନ୍ୟ ଜଣେ ହେଉଛନ୍ତି ଷୋଡଶ ଉପଚାର ପୂଜା ପଣ୍ଡା। ଚଳିତ ବର୍ଷ ଷୋଡଶ ଉପଚାର ପୂଜା ପଣ୍ଡା ଭାବେ ସଞ୍ଜୟ କୁମାର ଦୀକ୍ଷିତି ନିୟୋଜିତ ହୋଇଛନ୍ତି। ଏହି ସୂଚନା ଦେଇଛନ୍ତି ମନ୍ଦିର ସେବାୟତ ମହେନ୍ଦ୍ର କୁମାର ଦୀକ୍ଷିତି। ଷୋଡଶ ଉପଚାର ହେଉଛି ଆବାହନ, ଆସନ, ପାଦ୍ୟ, ଅର୍ଘ୍ୟ, ଆଚମନ, ସ୍ନାନ, ବସ୍ତ୍ର, ଆଭୂଷଣ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ବନ୍ଦନା। ପ୍ରତି ଉପଚାରରେ ମା’ଙ୍କ ଅଲୌକିକ ରୂପ ବଦଳୁଛି। ଆଗାମୀ ଷୋଳ ଦିନ ଧରି ମା’ ଷୋଳ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏହି ବେଶ ଦେଖିବା ପାଇଁ ଦୂର ଦୂରାନ୍ତରୁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁବ୍ୟବସ୍ଥିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ରଙ୍ଗ ବେରଙ୍ଗ ଫୁଲ, ଆଲୋକମାଳା, ରଙ୍ଗୋଲିରେ ସଜ୍ଜିତ କରାଯାଇଛି। ଶଙ୍ଖ ନାଦରେ କମ୍ପୁଛି କାକଟପୁର, ମନ୍ତ୍ର ଧ୍ୱନିରେ ପବିତ୍ର ହେଉଛି ଆକାଶ।


