ତେଜୁଛି ବାମପଦା ଛକ ଓଭର ବ୍ରିଜ ନିର୍ମାଣ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା):୧୬ ନଂ ଜାତୀୟ ରାଜପଥର ବାମପଦା ଛକଠାରେ ବଢ଼ୁଥିବା ଦୁର୍ଘଘଟଣା ଓ ଜୀବନହାନିର ସ୍ଥୟୀ ପ୍ରତିକାର ତଥା ଅନ୍ୟାନ୍ୟ ଦାବି ନେଇ ଜିଲାପାଳଙ୍କଠାରେ ଗୁରୁବାର ଫେରାଦ ହୋଇଛି ବାମପଦା ସୁରକ୍ଷା ମଞ୍ଚ । ସଭାପତି ବିଶ୍ୱଜିତ ଘୋଷ, ସମ୍ପାଦକ ଅନଙ୍ଗ କୁମାର ପଟ୍ଟନାୟକ, ସରସ୍ୱତୀପୁର ସରପଞ୍ଚ କୌଳାସ ଚନ୍ଦ୍ର ସ୍ୱାଇଁ, ସୂତେଇ ସରପଞ୍ଚ କବିତା ମହାନ୍ତି, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ପୂର୍ବତନ ଜିଲା ପରିଷଦ ସଦସ୍ୟ ବିପିନ ମାରାଣ୍ଡି ଓ ସୀତାରାମ ପଣ୍ଡା, ଧୀରେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ବାମପଦା ସୁରକ୍ଷା ମଞ୍ଚର ପ୍ରତିନିଧି ଦଳ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କୁ ସାକ୍ଷାତ ସହ ୧୬ ନଂ ଜାତୀୟ ରାଜପଥର ବାମପଦା ରେଳ ଲେଭେଲ କ୍ରସିଂ ଓଭର ବ୍ରିଜ ନିର୍ମାଣ ସମ୍ପର୍କିତ ପ୍ରତିଶ୍ରୁତି କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ଏହି ବାମପଦା ଛକ ଏବେ ଏକ ବିପଦପୂର୍ଣ୍ଣ ଡେଥ ଜୋନ ପାଲଟିଥିବା ମଞ୍ଚର ପ୍ରତିନିଧିମାନେ କହିଥିଲେ । ରେଳ କର୍ତ୍ତୃପକ୍ଷ ଓ ଜାତୀୟ ରାଜପଥ ପ୍ରଧିକରଣ (ଏନଏଚଏଆଇ) ପ୍ରତିନିଧିଙ୍କ ସହ ହୋଇଥିବା ତ୍ରିପାକ୍ଷିକ ଆଲୋଚନା ବୈଠକକୁ ଦୀର୍ଘ ଦିନ ବିତି ଯାଇଥିଲେ ବି ଜାତୀୟ ରାଜପଥର ବାମପଦା ଛକ ସ୍ଥିତ ରେଳ ଲେଭେଲ କ୍ରସିଂ ଉପରେ ବ୍ରିଜ ନିର୍ମାଣ ନିଷ୍ପତି କାର୍ଯ୍ୟକାରୀ ବାବଦରେ ଅଦ୍ୟାବଧି କୌଣସି ପଦକ୍ଷେପ ନିଆ ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି । ସେହିପରି ୧୬ ନଂର ଜାତୀୟ ରାଜପଥର ସେରଗଡ଼ରୁ ନହରପାଟଣା ମଧ୍ୟରେ ରାସ୍ତା କ୍ରମଶଃ ଖରାପ ହୋଇ ଚାଲିଥିବା ବେଳେ ଏହାର ମରାମତି ଓ ଡ୍ରେନେଜ ବ୍ୟବସ୍ଥା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଅନ୍ୟପକ୍ଷରେ ବାମପଦା ଛକଠାରେ ନିର୍ମାଣଧୀନ କଲଭର୍ଟର ମନ୍ଥର କାର୍ଯ୍ୟ ଦୁର୍ଘଟଣାର ଅନ୍ୟଏକ କାରଣ ହୋଇଛି ବୋଲି ସୁରକ୍ଷା ମଞ୍ଚର କର୍ମକର୍ତ୍ତାମାନେ କହିଛନ୍ତି । ତୁରନ୍ତ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ, ଶେରଗଡ଼ରୁ ନହରପାଟଣା ପର୍ଯ୍ୟନ୍ତ ଡ୍ରେନେଜ ସହ ରାଜପଥ ମରାମତି ଓ ନିର୍ମାଣଧୀନ କଲଭର୍ଟ କାର୍ଯ୍ୟ ଶେଷ କରା ନଗଲେ ଆସନ୍ତା ଜୁନ ମାସ ୧୯ ତାରିଖରେ ବାମପଦା ଛକଠାରେ ବିକ୍ଷୋଭ ସହ ରାଜପଥ ରୋକ କରାଯିବ ବୋଲି ମଞ୍ଚର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ