ମୃତକଙ୍କ ନାମରେ ଚାଉଳ ହଡପ ଘଟଣା
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ନାଉଗାଁ ବ୍ଳକ ଅଲଣା ପଂଚାୟତ ଅନ୍ତର୍ଗତ ବେଣାପଡା ଗ୍ରାମର ରବିନ୍ଦ୍ର ଓଝାଙ୍କ ବାପା ସିଦ୍ଧେଶ୍ୱର ଓଝାଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଥିବା ଅନ୍ତୋର୍ଦୟ କାର୍ଡର ଚାଉଳ ହଡପ ହେଉଥିବାକୁ ନେଇ ରବିନ୍ଦ୍ର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଯୋଗାଣ ବିଭାଗର ଜଗତସିଂହପୁର ସଦର ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ପକ୍ଷରୁ ତଦନ୍ତ କରାଯାଇଥିଲା । ତଦନ୍ତ ପରେ ଉକ୍ତ ତଦନ୍ତ ରିପୋର୍ଟ କୁ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ତଦନ୍ତ ରିପୋର୍ଟ ଆଧାରରେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୩୯୭/ତା୧୦/୧୨/୨୦୧୯ରେ ଉପଜିଲ୍ଲାପାଳଙ୍କ ସ୍ୱାକ୍ଷରରେ ବେଲବଣ ସଂୟ ସହାୟିକା ଦଳକୁ ଯୋଗାଣ ସାମଗ୍ରୀ ବଂଟନ ଦାୟିତ୍ୱରୁ ନିଲମ୍ବନ କରାଯାଇଛି । ହେଲେ ଏଥିରେ ସଂପୃକ୍ତ ଥିବା ଅନ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଜଣାଯାଇଛି । ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ରବିନ୍ଦ୍ର ଓଝାଙ୍କ ବାପା ସିଦ୍ଧେଶ୍ୱର ଓଝାଙ୍କ ନାମରେ ୧୨୦୬୦୧୧୦୩୬୩ ରେ ଅନ୍ତୋର୍ଦୟ କାର୍ଡ ରହିଥିଲା । ତାଙ୍କ ବାପା ସିଦ୍ଧେଶ୍ୱରଙ୍କର ୨୦୧୭ ଅଗଷ୍ଟ ୩ରେ ମୃତ୍ୟୁ ହେବା ପରେ ତାଙ୍କ ପୁଅ ରବିନ୍ଦ୍ର ଉକ୍ତ ରାସନ କାର୍ଡଟି କାଟି ଦେବା ପାଇଁ ବ୍ଲକ ପ୍ରଶାସନକୁ ନିବେଦନ କରିଥିଲେ । କାରଣ ରବିନ୍ଦ୍ରଙ୍କର ନାମରେ ରାସନ କାର୍ଡ ରହିଥିଲା । କିନ୍ତୁ ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ କାର୍ଡକୁ କଟା ନ ଯାଇ ଚାଉଳ ଆଲଟମେଂଟ କରାଯାଉଥିଲା । ଫଳରେ ପଂଚାୟତର ଜୈନିକ ରାଜନେତା ଦାୟିତ୍ୱରେ ଥିବା ଡିଲରଙ୍କୁ ହାତ କରି ଉକ୍ତ ଚାଉଳକୁ ହଡପ କରୁଥିଲେ । ଏପରିକି ଗତ ବାତ୍ୟା ଫନୀରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସହାୟତାକୁ ମଧ୍ୟ ଉକ୍ତ ରାଜନେତା ହାତେଇ ନେଇଥିବା ସେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ନଭେମ୍ବର ମାସ ୧୯ ତାରିଖରେ ଅଭିଯୋଗ କରିଥିଲେ ।