ଦୁଇ ଦିନ ହେଲା ପେଟ୍ରୋଲ ଓ ଡିଜେଲ ଯୋଗାଣ ବନ୍ଦ
ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ତିନି ଗୋଟି ପେଟ୍ରୋଲ ପମ୍ପ ରହିଁଛି | ସେଥିମଧ୍ୟରୁ ନାଉଗାଁ ହାଟରେ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଦୁଇ ଦିନ ହେବ ପେଟ୍ରୋଲ ଯୋଗାଣ ବନ୍ଦ ରହିଥିବା ବେଳେ ପାଞ୍ଚ ଦିନ ହେବ ଡିଜେଲ ଯୋଗାଣ ବନ୍ଦ ରହିଛି | ସେହିପରି ଗଂଗଦାହାଟରେ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ଓ ମୁଗେଇ ଛକ ନିକଟରେ ନୟାରା ପେଟ୍ରୋଲ ପମ୍ପ ରହିଛି | ଏହି ନୟାରା ପେଟ୍ରୋଲ ପମ୍ପ ଳରେ ଅଧାଦିନ ପେଟ୍ରୋଲ ଦିଆ ଯାଉଥିଲେ , ଅଧେ ଦିନ ବନ୍ଦ | ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ମାନେ ଚଢ଼ା ଦର ରେ ମନଇଚ୍ଛା ତେଲ ବିକ୍ରି କରୁଥିବାର ଅଭିଯୋଗ ହେଉଛି | ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ବର୍ତ୍ତମାନ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି | ଏହି ସମୟରେ ଟ୍ରାକ୍ଟର ଦ୍ୱାରା ଚାଷୀ ଚାଷ କାର୍ଯ୍ୟ କରିଥାଏ | କିନ୍ତୁ ଡିଜେଲ ଦର ବୃଦ୍ଧି ସାଙ୍ଗକୁ ତେଲର ସଙ୍କଟ ଦେଖାଦେଇଛି | ଫଳରେ ଚାଷୀ ଚାଷ କାର୍ଯ୍ୟକୁ ଆଗେଇ ନେଇ ପାରୁନାହିଁ | ଏହିପରି ତେଲ ସଙ୍କଟ ଯଦି ଲାଗି ରୁହେ ତେବେ ଏବର୍ଷ ଚାଷ କାର୍ଯ୍ୟ ବିଶେଷ ପ୍ରଭାବିତ ହେବ ବୋଲି ଚାଷୀନେତା ତଥା ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଅଶୋକ ସ୍ୱାଇଁ , ପୂର୍ବତନ ସରପଞ୍ଚ ନବକିଶୋର ମହାନ୍ତି ,ପ୍ରଫୁଲ୍ଲ ପରିଡା, ବଂଶୀଧର ବେହେରା , ତୁଷାରକାନ୍ତ ମହାନ୍ତି, କ୍ରିଷ୍ନାନନ୍ଦ ସାହୁ, ସୁନୀଲ ମାଟିଆ ପ୍ରମୁଖ ଉଦବେଗ ପ୍ରକାଶ କରିଛନ୍ତି |


