ଅଜଣା ରୋଗରେ ପିଡିତ ଅର୍ଜୁନ
ହାଟଡିହିି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଅର୍ଜୁନ ଦାସ(୩୦) ନାମକ ଜଣେ ଯୁବକ ଏବେ ଅଜଣା ରୋଗରେ ପିଡୀତ ହୋଇ ଘରେ ପଡି ରହି ଅନେକ କଷ୍ଟ ପାଉଛନ୍ତି । ଘରେ ବାପା, ମା, ପତ୍ନୀ ଓ ଏକ ଛୋଟ ଶିଶୁପୁତ୍ରକୁ ନେଇ ତାଙ୍କର ପରିବାର । ସେ ଜଣେ ଗରିବ ଶ୍ରେଣୀର ଯୁବକ ହୋଇଥିବାବେଳେ ପରିବାରର ଏକମାତ୍ର ରୋଜ ଗାରକ୍ଷମ ବ୍ୟକ୍ତି ଥିଲେ । କିନ୍ତୁ ଗତ କିଛିମାସ ହେଲା ସେ ଘରେ ଶଯ୍ୟାଶାୟୀ । ତାର ପେଟ ଭିତରେ କିଡିନି, ଫୁସଫୁସ ନିକଟରେ ଅନେକ ଷ୍ଟୋନ ହୋଇ ଯାଇଛି । ତାଙ୍କୁ କଟକ ବଡଡାକ୍ତରଖାନା ନେଇ ଚିକିତ୍ସା କରିଥିବା ବେଳେ ସେଠାରେ ଉପଯୁକ୍ତ ଚିକିତ୍ସା ହୋଇପାରି ନଥିଲା । ଦିନକୁ ଦିନ ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ତାଙ୍କୁ ଅନ୍ୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ସେଠାରେ ଲେଜର ଅପରେସନ ମଧ୍ୟ କରାଇଥିଲେ । କିନ୍ତୁ କିଛି ସୁଫଳ ମିଳିନଥିଲା । ଅର୍ଜୁନ ମଧୁମେହ ରୋଗରେ ପିଡିତ ଥିବା ଓ ତାର ରୋଗ ଠିକ ଭାବେ ଚିହ୍ନଟ ହୋଇପାରୁ ନଥିବାରୁ ଡାକ୍ତରମାନେ ଚିକିତ୍ସା କରିବା ପାଇଁ ମନା କରିଦେବା ସହିତ ତାଙ୍କୁ ହାଇଦ୍ରାବାଦ ନେଇ ଯିବାକୁ ପରାମର୍ଶ ଦେଇଥିଲେ । ଏପରିସ୍ଥଳେ ତାଙ୍କୁ ହାଇଦ୍ରାବାଦ ନେବାକୁ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ଆବଶ୍ୟକତା ଥିବାସ୍ଥଳେ କେଉଁଠୁ ଏତେ ଟଙ୍କା ଆଣିବେ ସେନେଇ ଚିନ୍ତାରେ ପଡି ଯାଇଛନ୍ତି ପରିବାର ଲୋକେ । ତାଙ୍କର ଜମିବାଡି ନଥିବାବେଳେ କେବଳ ଘର ଡିହ ଖଣ୍ଡିକରେ ଏକ ଭଙ୍ଗା ଚାଳଘରେ ତାଙ୍କ ପରିବାର ଲୋକେ ବାସ କରୁଥିବାବେଳେ ଏତେ ଟଙ୍କା କେଉଁଠୁ ଆଣି ଏକମାତ୍ର ପୁଅର ଚିକିତ୍ସା କରାଇବେ ସେନେଇ ଆଶା ଆଶଙ୍କାରେ ଦିନ କାଟୁଛନ୍ତି ପରିବାର ଲୋକେ । ଗ୍ରାମବାସୀମାନେ ପୁର୍ବରୁ ତାଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ନିଜ ନିଜ ଭିତରେ ଆଦାୟ କରି ଖର୍ଚ୍ଚର୍ କରିଥିବାବେଳେ ଏବେ ପ୍ରଶାସନିକ ସହାୟତାକୁ ଅପେକ୍ଷ କରିଛନ୍ତି ଗ୍ରାମବାସୀ । ପ୍ରଶାସନ କିମ୍ବା କେହି ସ୍ୱେଚ୍ଛାସେବୀ ସଂସ୍ଥା ଅର୍ଜୁନଙ୍କ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇବାକୁ ତାଙ୍କ ପତ୍ନୀ ନିବେଦନ କରିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କୁ ସହାୟତା କରିବାକୁ ଚାହାନ୍ତି ତେବେ ସହଦେବ ଦାସ, ଏକାଉଣ୍ଟ ନଂ- ୫୪୨୧୧୮୨୧୦୦୦୫୨୬୮, ଆଇଏଫ ଏସ ସି କୋର୍ଡ- ବିକେଆଇଡି ୦୦୦୫୪୨୧ରେ କିମ୍ବା ଫୋନ ପେ ୭୦୫୮୪୭୦୫୯୦ରେ ସାହାଯ୍ୟ କରିବାକୁ ମା ସୁଲୋଚନା ଦାସ ନିବେଦନ କରିଛନ୍ତି ।