ବିଶ୍ବସ୍ତରୀୟ ହେବ ନନ୍ଦନକାନନ

ଭୁବନେଶ୍ବର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ବସ୍ତରୀୟ କରିବା ନେଇ ଲକ୍ଷ୍ୟ ରଖିଛନ୍ତି। ଏଥି ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ନନ୍ଦନକାନନର ରୂପାନ୍ତର ହେବ। ୫-ଟି ଉପକ୍ରମରେ ଏହାକୁ ଏକ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ଏହାର ରୂପାନ୍ତର କରାଯିବ। ଚୂଡ଼ଙ୍ଗ ଜଙ୍ଗଲ ଅଞ୍ଚଳକୁ ଏଥିରେ ସାମିଲ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରାଜ୍ୟ ବନ ବିଭାଗ ପକ୍ଷରୁ ନନ୍ଦନକାନନର ରୂପାନ୍ତର ପାଇଁ ଏକ ଉପସ୍ଥାପନା ରଖାଯାଇଥିଲା। ଏଥିରେ ନନ୍ଦନକାନନର କାୟାରେ ପରିବର୍ତ୍ତନ ପାଇଁ ଏକ ବିସ୍ତୃତ ଓ ଭବିଷ୍ୟମୁଖୀ ପ୍ରସ୍ତାବ ରଖାଯାଇଛି ।ଏ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହିତ ନନ୍ଦନକାନନରେ ପ୍ଲାଷ୍ଟିକର ବ୍ୟବହାର ସଂପୂର୍ଣ୍ଣ ନିଷେଧ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ ।ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତ ମଇ ୨୩ ତାରିଖରେ ଜଙ୍ଗଲ ବିଭାଗ ସମୀକ୍ଷା ସମୟରେ ନନ୍ଦନକାନନର ରୂପାନ୍ତର ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନୂଆ ଯୋଜନାରେ ପରିଦର୍ଶକମାନଙ୍କ ପାଇଁ ଅତିରିକ୍ତ ଉନ୍ନତ ସୁବିଧା, ଆଧୁନିକ ଫ୍ରଣ୍ଟେଜ ଓ ଲ୍ୟାଣ୍ଡସ୍କେପିଂ, ଟନେଲ ଆକ୍ବାରିଅମ, ୱାଟର ବାର୍ଡ ଆଭିଆରୀ ଦେଶ ବିଦେଶରୁ ନୂତନ ପ୍ରାଣୀ ଓ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷାର ଏକ ସ୍ବତନ୍ତ୍ର ହବ୍‌ ଭାବରେ ବିକାଶ କରିବା ପାଇଁ ବ୍ୟବସ୍ଥା ରହିଛି।ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ରୂପାନ୍ତର କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ୨୦୨୩ ରୁ ୨୦୨୫ ଓ ଦ୍ବିତୀୟ ପର୍ଯ୍ୟାୟ ୨୦୨୫ ରୁ ୨୦୨୮ ମଧ୍ୟରେ କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନର ବିକାଶ ହେବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ଚୂଡଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ। ଏଥିରେ ରାତ୍ରୀ ସଫାରୀ ଓ ସଫାରୀ କମ୍ପଲେକ୍ସର ବିକାଶ କରାଯିବ।ନନ୍ଦନକାନନକୁ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ଏକ ଆକର୍ଷଣୀୟ ହବ୍‌ ଭାବରେ ବିକାଶ କରିବା ପାଇଁ ଯୋଜନା ରହିଛି। ଏଥିରେ ଆକ୍ଟିଭିଟି ଭିତ୍ତିକ ପ୍ରାଣୀ ଉଦ୍ୟାନ, ପ୍ରକୃତି ଶିକ୍ଷା ସହିତ କେତେକ ସ୍ବତନ୍ତ୍ର ସ୍କୁଲରେ ‘ନନ୍ଦନକାନନ କ୍ଲବ’ ଓ ‘ଜୁ ଆମ୍ବାସାଡର’ ଆଦି କାର୍ଯ୍ୟକ୍ରମ ରହିଛି। ଏହାସହିତ ସିଟିଜନେ ସାଇନ୍ସ, ନୋ ୟୋର ଟ୍ରି ଆଦି ବିଭିନ୍ନ ଆକ୍ଟିଭିଟି କରାଯିବ। ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ଇଣ୍ଟର୍ନସିଭ ଓ ଜୁ ଭଲ୍ୟୁଣ୍ଟିଅର ଆଦି କାର୍ଯ୍ୟକ୍ରମ କରାଯିବ।ସୂଚନାଯୋଗ୍ୟ ଯେ ବର୍ତ୍ତମାନ ନନ୍ଦନକାନନରେ ୪୮ଟି ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୭୭ଟି ପ୍ରଜାତିର ପକ୍ଷୀ, ୩୦ଟି ପ୍ରଜାତିର ସରୀସୃପ ଓ ୬ଟି ପ୍ରଜାତିର ଉଭୟଚର ପ୍ରାଣୀ ଅଛନ୍ତି। ସମୁଦାୟ ୧୬୧ ପ୍ରଜାତିର ୪୦୧୨ଟି ପ୍ରାଣୀ ଅଛନ୍ତି । ବର୍ତ୍ତମାନ ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଅଧିକ ପ୍ରାଣୀ ଆଣିବା ପାଇଁ ଯୋଜନା କରାଯାଇଛି । ଦେଶର ଉତ୍ତରପୂର୍ବ ଅଞ୍ଚଳରୁ ହୋଲକ ଗିବନ, ପିଗ୍‌ ଟେଲ୍ଡ ମାକାକ୍ୟୁ, ଏକ ଶିଙ୍ଗି ଗଣ୍ଡା, କ୍ୟାପେଡ ଲଙ୍ଗର, ସ୍ପେକ୍ଟାକ୍ଲିଡ ମଙ୍କି, କ୍ଲାଉଡେଡ ଲିଓପାର୍ଡ ଆଦି ଆଣିବାର ପ୍ରସ୍ତାବ ରହିଛି । ସେହିପରି ଅଷ୍ଟ୍ରେଲିଆରୁ କାସୋଓରି, କଙ୍ଗାରୁ, ୱାଲବି ଆଦି ଆଣିବାର ପ୍ରସ୍ତାବ ମଧ୍ୟ ରହିଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିସନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ। ନନ୍ଦନକାନନର ନିର୍ଦ୍ଦେଶକ ଉପସ୍ଥାପନା ରଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ