କାରରେ ଗଞ୍ଜେଇ ଚୋରା ଚାଲାଣ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗଜପତି ଜିଲ୍ଲା ରୁ କାର ରେ ଅଭିନବ ଉପାୟରେ ପ୍ରତିଦିନ ଗଞ୍ଜେଇ ଚୋରା ଚାଲାଣ କରାଯାଉଛି। ପୋଲିସ ଗଞ୍ଜେଇ ଜବତ କରୁଥିବା ବେଳେ ଅବକାରୀ ବିଭାଗ ନାହି ରେ ତେଲ ଦେଇ ଶୋଇ ରହୁଥିବା ଅଭିଯୋଗ ହେଉଛି। ମାଦକ ଦ୍ରବ୍ୟ ଚୋରା ଚାଲାଣ, କାରବାର ରୋକିବା ଅବକାରୀ ବିଭାଗ ର ଦାୟିତ୍ଵ ହୋଇଥିବା ବେଳେ ପୋଲିସ ଏବେ ଏସବୁ କାମ କରୁଛି। ଦିଗପହଣ୍ଡି ପୋଲିସ ସୋମବାର ସକାଳ ପ୍ରାୟ ସାଢେ ୧୦ ଟା ରେ ଏକ ଗଞ୍ଜେଇ ବୋଝେଇ କାର ନଂ. (ଓଡ଼ି ୦୨ ୱାଇ ୩୦୯୯) କୁ ଜବତ କରିଛନ୍ତି।ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ଗଜପତି ଜିଲା ମୋହନା ଗ୍ରାମର ଗାଡ଼ି ଚାଳକ ଚନ୍ଦନ ମଲ୍ଲିକ ଙ୍କୁ ପୋଲିସ ଗିରଫ କରିଛନ୍ତି। ଥାନା ମାମଲା ନଂ.୨୩୮/୨୩ ଅନୁଯାୟୀ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି। ଅଭିଯୁକ୍ତ ଚନ୍ଦନ ନଜ କାର ରେ ଗଜପତି ଜିଲା ମୋହନା ରୁ ବ୍ରହ୍ମପୁର ଅଭିମୁଖେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଖବର ପୋଲିସ ନିକଟରେ ପହଞ୍ଚି ଥିଲା।ପୋଲିସ ଟିମ୍ ବ୍ରହ୍ମପୁର – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ର ଦିଗପହଣ୍ଡି ବିଦ୍ୟୁତ କାର୍ଯ୍ୟାଳୟ ଠାରେ ଛପି ରହିଥିଲେ। ସେଠାରେ ବ୍ରହ୍ମପୁର ଅଭିମୁଖେ ଦୃତ ଗତି ରେ ଆସୁଥିବା କାର ଟି କୁ ଅଟକାଇ ଯାଞ୍ଚ କରାଯିବା ପରେ ସେଥିରେ ଏକ ଜରି ବସ୍ତାରେ ଗଞ୍ଜେଇ ମିଳିଥିଲା । ଦିଗପହଣ୍ଡି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ସନାତନ ମହାଳିକ ଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରିବାରେ ସେଥିରେ ୮୮ କେ.ଜି ଗଞ୍ଜେଇ ଥିବା ଜଣାପଡିଥିଲା। ଜବତ ଗଞ୍ଜେଇ ର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଘଟଣା କୁ ନେଇ ତଦନ୍ତ ଚାଲିଛି। ମଙ୍ଗଳବାର ଅଭିଯୁକ୍ତ ଚନ୍ଦନ ଙ୍କୁ ବ୍ରହ୍ମପୁର ଜିଲା ଜଜ କୋର୍ଟ କୁ ଚାଲାଣ କରାଯିବ ବୋଲି ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।


