ଅଙ୍ଗନୱାଡ଼ି କର୍ମୀଙ୍କ ବଦଳି ଦାବିରେ ଗ୍ରାମବାସୀ ଙ୍କ ଧାରଣା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ କଇଠଡା ପଞ୍ଚାୟତ ଅଧିନସ୍ଥ କଇଠଡ଼ା ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଦୀର୍ଘଦିନ ଧରି ଲାଗିରହିଥିବା ଅବ୍ୟବସ୍ଥା ର ତଦନ୍ତ ଏବଂ ଅଙ୍ଗନୱାଡ଼ି କର୍ମୀ ଙ୍କ ବଦଳି ଦାବି ରେ   ସୋମବାର ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ ଗ୍ରାମବାସୀ ପକ୍ଷରୁ ଧାରଣା ଦିଆଯାଇଥିଲା । ଦିଗପହଣ୍ଡି ପୋଲିସ ପ୍ରଶାସନ ର ହସ୍ତକ୍ଷେପ ପରେ ମାମଲାର ସମାଧାନ ହୋଇଥିବା ଜଣାପଡିଛି । ଅଙ୍ଗନୱାଡ଼ି କର୍ମୀ ଏମ.ସଂଯୁକ୍ତା ରେଡ୍ଡୀ ଙ୍କ ଉପରେ ଅସନ୍ତୁଷ୍ଟ ଥିବା କଇଠଡା ଗ୍ରାମର  ଗୋଟିଏ ଗୋଷ୍ଠୀ  ନିଜ ନିଜର ଛୁଆ ପିଲା ଙ୍କୁ ପାଠ ପଢ଼ାଇବା ପାଇଁ କେନ୍ଦ୍ରକୁ  ଛାଡୁନଥିଲେ । ବିଭିନ୍ନ କାରଣରୁ ଗ୍ରାମର ଗୋଟିଏ ଗୋଷ୍ଠୀ ଅଙ୍ଗନୱାଡ଼ି କର୍ମୀ ଙ୍କୁ  ବିରୋଧ କରି ଆସୁଥିଲେ ।  ସରକାରଙ୍କ ପକ୍ଷରୁ ପିଲାମାନଙ୍କୁ ଦିଆଯାଉଥିବା ରାସନ୍ ସାମଗ୍ରୀ ମଧ୍ୟ ଅଭିଭାବକ ମାନେ ନେଉନଥିଲେ ।  ସିଡିପିଓ ପୁଷ୍ପାଞ୍ଜଳୀ ଶତପଥୀ ୩ ଥର କେନ୍ଦ୍ରକୁ ଯାଇ ଅଙ୍ଗନୱାଡ଼ି କର୍ମୀ ଓ କିଛି ଗ୍ରାମବାସୀ ଙ୍କ ମଧ୍ୟରେ ଥିବା ବିବାଦର  ସମାଧାନ ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ସୋମବାର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଉକ୍ତ ଅଙ୍ଗନୱାଡ଼ି କର୍ମୀ ଙ୍କୁ ଅନ୍ୟତ୍ର ବଦଳି କରାଯାଉ ଏବଂ ଗ୍ରାମବାସୀ ଙ୍କ ବିରୋଧରେ ଥାନାରେ ହୋଇଥିବା ମାମଲା ପ୍ରତ୍ୟାହାର ଦାବି ନେଇ ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଥିଲେ । ଖବରପାଇ ସିଡିପିଓ  ଓ ଥାନା ଏସ. ଆଇ ସ୍ବର୍ଣ୍ଣଲତା ପାତ୍ର , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼ ଅଙ୍ଗନୱାଡ଼ି କେନ୍ଦ୍ରରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏପରିକି କେନ୍ଦ୍ର ପରିଦର୍ଶନ ଓ ତଦାରଖ ନିମନ୍ତେ ୭ ଜଣିଆ ଯାଞ୍ଚ କମିଟି ଗଠନ କରାଯାଇଥିଲା । ମଙ୍ଗଳବାର ଠାରୁ ଅଙ୍ଗନୱାଡ଼ି କର୍ମୀ ଙ୍କ ଦାୟିତ୍ଵରେ ପିଲା ପାଠ ପଢିବେ ଏବଂ ସମସ୍ତ କାର୍ଯ୍ୟ ସଠିକ ଭାବେ କରାଯିବା ସହ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଘୋଷଣା କରିଥିଲେ । ଦ୍ୱିପାକ୍ଷିକ ବିବାଦସମାଧାନ ସମୟରେ ଦିଗପହଣ୍ଡି ବ୍ଲକ ଅଙ୍ଗନୱାଡ଼ି ସଂଘ ସଭାନେତ୍ରୀ ବନିତା ପାତ୍ର ଓ ସମ୍ପାଦିକା ସୁଲୋଚନା ରଥ ପ୍ରମୁଖ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ