ଭୀମ୍ ଆର୍ମିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ଆକ୍ରମଣର ଦୃଢ ପ୍ରତିବାଦ ଓ ନିନ୍ଦା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ଦଳିତ ନେତା, ସାମାଜିକ କର୍ମୀ ତଥା ଭୀମ୍ ଆର୍ମିର ମୁଖ୍ୟ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ହୋଇଥିବା ବର୍ବୋରଚିତ ବନ୍ଧୁକ ଆକ୍ରମଣର ଦୃଢ ନିନ୍ଦା କରୁଅଛୁ । ଭାଗ୍ୟବଶତଃ ତାଙ୍କର ଜୀବନହାନୀ ହୋଇନାହିଁ । ପୂର୍ବରୁ ଗୌରୀ ଲଙ୍କେଶ, ନରେନ୍ଦ୍ର ଜାଭେଦକର, ପ୍ରଦୀପ ରାଠୋର, ଇନ୍ଦ୍ର ମେଘୱାଲ, ରୋହିତ ଭେମୁଲା, ପାୟଲ ଦାଦୁଭି, ନିର୍ଭୟା, ବେବିନା ବେହେରା, ଇତିଶ୍ରୀ ପ୍ରଧାନ, କୁନ୍ଦୁଲି ପୀଡ଼ିତା, ଶାନ୍ତିଲତା ଛତ୍ରିଆଙ୍କ ପ୍ରତି ହୋଇଥିବା ପ୍ରତ୍ୟକ୍ଷ ଓ ପରୋକ୍ଷ ଆକ୍ରମଣ ବିଷୟରେ ଆପଣମାନେ ଅବଗତ ଅଛନ୍ତି । ଏ ପ୍ରକାର ଆକ୍ରମଣ ପ୍ରତିକାର ନହେଲେ ଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ବିିଗିଡ଼ିଯିବ । ଆମ୍ଭେ ଏହାର ଦୃଢ ପ୍ରତିବାଦ କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ଓ ଦଣ୍ଡ ବିଧାନ ନିମିତ୍ତ ତ୍ୱରିତ ପଦକ୍ଷେପ ନେବାକୁ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଅଛୁ । ଏହି ସଭାରେ ନାଗରିକ ଏକତା ପରିଷଦ, ମୂଳନିବାସୀ ୟୁନାଇଟେଡ଼ ଫୋରମ, ଭାରତୀୟ ବୌଦ୍ଧ ମହାସଭା, ନିଖିଳ ଉତ୍କଳ ରଜକ ମହାସଭା, ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସମିତି, ଡାଙ୍ଗମାଳ ସେବକ ସଂଘ, ଭୀମ ଆର୍ମି, ଲକ୍ଷେଘର ଗଣ୍ଡା ସମାଜ ଇତ୍ୟାଦି ଅନୁଷ୍ଠାନର ପ୍ରତିିନିଧିମାନେ ଯୋଗ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଭଜମନ ବେହେରା, ଇଂ ଅଲେଖ ଚନ୍ଦ୍ର ମଲ୍ଲିକ, ଶ୍ରୀଯୁକ୍ତ ବିଦ୍ୟାଧର ଦେହୁରୀ, ଶ୍ରୀଯୁକ୍ତ ସୁନାକର ବେହେରା, ଶ୍ରୀଯୁକ୍ତ ଲକ୍ଷ୍ମଣ ମଲ୍ଲିକ, ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସେଠୀ, ଶ୍ରୀଯୁକ୍ତ ଗୋପାଳ ଗୌତମ, ଅବଦୁଲ ୱାଲି, ଧନଞ୍ଜୟ ହେମ୍ରମ, ପ୍ରମୋଦିନୀ ମଲ୍ଲିକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।