ଅଗଷ୍ଟ ୧୧ରେ ଧାରଣା ଦେବ ବରିଷ୍ଠ ନାଗରିକ ମଞ୍ଚ
ବାଲେଶ୍ୱର, (ସରୋଜ ପଣ୍ଡା):ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ଦାବିନେଇ ଆସନ୍ତା ଅଗଷ୍ଟ ୧୧ ତାରିଖରେ ଜିଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣଧାରଣା ପାଇଁ ଗୁରୁବାର ପୂର୍ବାହ୍ନରେ ଉପ-ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବରିଷ୍ଠ ନାଗରିକଙ୍କ ଦାବିକୁ ରାଜ୍ୟ ଓ କେନ୍ଦ୍ର ସରକାର ଅଣଦେଖା କରୁଥିବା ବେଳେ ପ୍ରଶାସନିକ ଅବହେଳାରୁ ସେମାନଙ୍କ ସାମାଜିକ ସୁରକ୍ଷାରେ ପ୍ରଣୀତ ଆଇନ କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି ମଞ୍ଚର ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରା ଅଭିଯୋଗ କରିଥିଲେ । ସେହିଭଳି ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ ମଞ୍ଜୁରୀପ୍ରାପ୍ତ ଆଇଆଇସି ବହୁମୁଖୀ ପ୍ରକଳ୍ପ ନିର୍ମାଣ ନିମନ୍ତେ ତିନିବର୍ଷ ଧରି ଜମି ଚିହନଟ ନହେବା, ୬୦ବର୍ଷ ପରେ ବାର୍ଦ୍ଧକ୍ୟଭତ୍ତା ପ୍ରଦାନର ନିୟମ ଥିଲେ ମଧ୍ୟ ଆବେଦନ କରିବା ପରେ ବି ୭୦/୭୫ ବର୍ଷ ବୟସ ପର୍ଯ୍ୟନ୍ତ ଭତ୍ତା ନମିିଳିବା, ବରିଷ୍ଠ ନାଗରିକଙ୍କ ଆପତ୍ତି ଅଭିଯୋଗର ବିଚାର ପାଇଁ ଜିଲାସ୍ତରୀୟ ଟ୍ରିବ୍ୟୁନାଲ ନିୟମିତ କାର୍ଯ୍ୟକାରୀ ନହେବା, ବରିଷ୍ଠ ନାଗରିକ ରେଳଯାତ୍ରୀଙ୍କୁ ପୂର୍ବରୁ ମିଳୁଥିବା ରିଆତି ଏବେ ଦିଆ ନଯିବା ଆଦି ବିଭିନ୍ନ ଦାବି ପୂରଣରେ ସରକାରୀ ତଥା ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି ବରିଷ୍ଠ ନାଗରିକମାନେ । ଏନେଇ ଆସନ୍ତା ଅଗଷ୍ଟ ୧୧ ତାରିଖ ଦିନ ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଧାରଣରେ ବସିବା ସାଙ୍ଗକୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯିବା ପାଇଁ ସ୍ଥିର ହୋଇଛି । ଆଜିର ଏହି ବୈଠକରେ ଡ. ପଦ୍ମଲୋଚନ ପାତ୍ର, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଦାମୋଦର ନାୟକ, ଲକ୍ଷ୍ମୀନାରାୟଣ ଘୋଷ, ବିଷ୍ଣୁ ପ୍ରସାଦ ମହାନ୍ତି, ଗୌରାଙ୍ଗ ପାଣିଗ୍ରାହୀ, ଯଶୋଦା ନନ୍ଦନ ଆଶ ଓ ନିରଞ୍ଜନ ପରିଡ଼ା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


