ବ୍ରହ୍ମପୁର ମହାନଗର ନିଗମ ଏକ ଦୁର୍ନିତିର ଗନ୍ତାଘର ପାଲଟିଛି
ବ୍ରହ୍ମପୁର, (ଅନିଲ କୁମାର):ବ୍ରହ୍ମପୁର ମହାନଗରର ଦୁରାବସ୍ଥାରେ ବ୍ରହ୍ମପୁରବାସୀ ହନ୍ତସନ୍ତ ହେଉଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ଏକ ଦୁର୍ନିତିର ଗନ୍ତାଘର ପାଲଟିଛି । ସହରର ଉନ୍ନତିକରଣ ନାଁରେ କୋଟି କୋଟି ଟଙ୍କା ହରଣଚାଳ ଚାଲିଛି, ଏହି ଦୁର୍ନିତିର ମୁଖ୍ୟ ଆୟୁଧ ସାଜିଛି ‘ମୁକ୍ତା’ ଯୋଜନା । ମୁକ୍ତା ଯୋଜନା ମାଧ୍ୟମରେ ଠିକାଦାର ଓ ଅଫିସର ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି । ରାଜ୍ୟରେ ଶାସନାଧିନ ବିଜୁ ଜନତା ଦଳ ସରକାର ବିକାଶର ଆଳ ଦେଖାଇ ବ୍ରହ୍ମପୁର ବାସୀଙ୍କୁ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ନାଁରେ ଭୁଆଁବୁଲାଉଥିବା ବେଳେ ବି.ଏମ୍.ସି ର ବ୍ୟାପକ ଦୁର୍ନିତି ଓ ସାହି ଗଳି କନ୍ଦିର ଦୁରାବସ୍ଥା କାହାକୁ ଅଛପା ନାହିଁ । ଅନ୍ୟପକ୍ଷରେ ମୁକ୍ତା ଯୋଜନାର ସରକାରୀ ନିୟମାବଳୀକୁ ସମ୍ପୂର୍ଣ୍ଣ ଜଳାଂଜଳୀ ଦିଆଯାଇଛି, ସହରରେ ରହିଥିବା ବହୁ ବର୍ଷର ପୁରୁଣା ଗଛଗୁଡିକୁ ବିନା କାରଣରେ ବନ ବିଭାଗର ଅନୁମତି ନନେଇ କାଟିଦିଆଯାଉଛି । ମୁକ୍ତା ଯୋଜନା ନିୟମ ଅନୁସାରେ ପ୍ରଥମେ ସାହି ଏବଂ ୱାଡ୍ କମିଟି ଗଠନ କରାଯାଇ ସେହି ଅଂଚଳର ରାସ୍ତା, ନାଳ, ପରିମଳ ଭଳି ସମସ୍ୟାର ସମାଧାନ ଦିଗରେ କାମ କରିବା କଥା କିନ୍ତୁ ନିୟମାବଳୀର ଖୋଲା ଖୋଲି ଉଳଂଘନ ଚାଲିଛି । ୱାଡ୍ କମିଟି ସହ ଆଲୋଚନା କରିବାତ ଦୂରର କଥା କୌଣସି ଅଂଚଳ ବାସୀଙ୍କୁ ନ ଜଣାଇ ମନଇଚ୍ଛା କାମ ଚାଲିଛି । ନାଳ କାମ ସମୟରେ ବିଦ୍ୟୁତ ଖୁଂଟ ଗୁଡିକୁ ସ୍ଥାନାନ୍ତରଣ କରାନଯାଇ ନାଳ ଭିତରେ ଖୁଂଟି ଥାଇ ନାଳ କାର୍ଯ୍ୟ ସଂପୂର୍ଣ୍ଣ କରାଯାଉଛି । ନୂତନ ଭାବେ ନିର୍ମାଣ କରାଯାଉଥିବା ନାଳର ଚଉଡା ଓ ଗଭୀରତା ପ୍ରତି ଦୁଇ ମିଟରରେ ଠିକାଦାର ଏବଂ ଜେ.ଇ ଙ୍କ ମିଳିତ ଭାଗିଦାରିରେ ବଦଳୁଛି ଯାହାକି ସମ୍ପୂର୍ଣ୍ଣ ନିୟମ ବିରୁଦ୍ଧ । ଏହା ସହ ନୂତନ ଭାବେ ନିର୍ମାଣ ହୋଇଥିବା ନାଳ ଗୁଡିକର କାମ ଅତି ନିମ୍ନ ମାନର ହୋଇଥିବାରୁ ଗୋଟିଏ ବର୍ଷାରେ ନଷ୍ଟ ହୋଇଯାଇଛି ।ପୂର୍ବ ସାମାଜିକ ଚଳନୀ ଅନୁଯାୟୀ ଏବଂ ପୂର୍ବରୁ ମହାନଗର ପାଳିକାର ନିୟମ ଅନୁଯାୟୀ ଗୃହର ମଇଳା ପାଣି ନିଷ୍କାସନ ବ୍ୟବସ୍ଥା ଗୃହର ପଛପଟେ ରହିଅଛି । ନିୟମ ମୁତାବକ ପୂର୍ବରୁ ବାରିପଟେ ରହିଥିବା ନାଳ ଗୁଡିକର ସଫେଇ ଏବଂ ଉଦ୍ଧାର କାର୍ଯ୍ୟ କରାନଯାଇ ବିଜେଡି ଠିକାଦାର ମାନଙ୍କୁ ଲାଭ ଦେବା ଉଦ୍ଦେଶ୍ୟରେ ଅନାବଶ୍ୟକ ଦାଣ୍ଡପଟେ ନାଳ ନିର୍ମାଣ କରାଯାଉଛି । ସାଧାରଣ ଜନତାଙ୍କୁ ଭ୍ରମିତ କରି ପଛପଟ ନାଳ ଗୁଡିକ ଆଗାମୀ ଦିନରେ ବନ୍ଦ କରିଦିଆଯିବ ତେଣୁ ଆଗପଟେ ନାଳ ନିର୍ମାଣ କରାଯାଉଛି ବୋଲି କୁହାଯାଉଛି । ପୂର୍ବରୁ ଘରର ମଇଳା ପାଣି ନିଷ୍କାସନ ବ୍ୟବସ୍ଥା ଘର ପଛ ପଟକୁ କରାଯାଇଥିବା ବେଳେ ଯଦି ଘର ପଛପଟ ନାଳ ଗୁଡିକ ବନ୍ଦ କରିଦିଆଯିବ ତେବେ ଘର ଗୁଡିକର ଚଟ୍ଟାଣ (ଫ୍ଲୋରିଂ) ସଂପୂର୍ଣ୍ଣ ଭାଙ୍ଗିବାକୁ ପଡିବ ଏବଂ ଘରର ନଳା ଗୁଡିକୁ ଦାଣ୍ଡ ପଟେ ବାହାର କରିବାକୁ ପଡିବ ଯାହାକି ସମ୍ଭବ ନୂହେଁ । ଏହିଭଳି ଅନୈତିକ କାମ କେବଳ ବି.ଏମ୍.ସି କର୍ତୃପକ୍ଷ ଏବଂ ଜେଇ ମାନଙ୍କୁ ପି.ସି ଆଧାର ଯୋଗାଇବା ପାଇଁ କରାଯାଉଛି । ସାହିର ଗୋଟିଏ ପାଶ୍ୱର୍ର ନାଳ କାମ ନସରୁଣୁ ଅନ୍ୟପାଶ୍ୱର୍ରେ ସାହି ବାସୀନ୍ଦାଙ୍କ ବିନା ଅନୁମତିରେ ଯୋର ଜବରଦସ୍ତ ନାଳ କାମ ପାଇଁ ଖୋଳି ଦିଆଯାଉଛି, ଏହିଭଳି କାର୍ଯ୍ୟକଳାପ ବି.ଏମ୍.ସିର ବ୍ୟାପକ ଲାଂଚ କାରବାରକୁ ପ୍ରମାଣିତ କରୁଛି । କାମକୁ ଅଧପନ୍ତରିଆ ଭାବେ ମାସ ମାସ ଧରି ପକାଇ ରଖାଯାଉଥିବାରୁ ନିତିଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟିବା ସହ ସାଧାରଣ ଜନତା ପ୍ରତିଦିନ ହନ୍ତସନ୍ତ ହେଉଛନ୍ତି । ମୁକ୍ତା ଯୋଜନାର ନିୟମାବଳୀ ଅନୁଯାଇ କରାଯାଉଥିବା କୌଣସି ବି କାମ ମେସିନ୍ ଦ୍ୱାରା କରାଯାଇପାରିବ ନାହିଁ କିନ୍ତୁ ଏହି ନିୟମକୁ ଉଲଂଘନ କରି ସବୁ ସ୍ଥାନରେ ମେସିନ୍ ଲଗାଇ କାମ କରାଯାଉଛି । ଭୋଜି ବେଳେ ବାଇଗଣ ରୁଆ ଭଳି ବର୍ଷା ଦିନ ଆସିଲେ ନାଳ କାମ କରିବା ଏକ ପ୍ରହସନରେ ପରିଣତ ହୋଇଛି । ବର୍ଷା ଦିନେ ବନ୍ଧ ସଫେଇ ଓ ନିର୍ମାଣ କାର୍ଯ୍ୟ କରି ଟଙ୍କା ଆତ୍ମସାତ କରିବାକୁ ଠିକାଦାର ଏବଂ ବି.ଏମ୍.ସି କର୍ତୃପକ୍ଷଙ୍କ ମଧ୍ୟରେ ଯେଉଁ ମସୁଧା ଚାଲିଛି ତାହାକୁ ଭାରତୀୟ ଜନତା ପାର୍ଟି ବିରୋଧ କରିବା ସହ ତୁରନ୍ତ କର୍ଯ୍ୟ ସାରିବାକୁ ଦାବୀ କରୁଛି । ବ୍ରହ୍ମପୁରବାସୀଙ୍କ ହିତ ଦୃଷ୍ଟିରୁ ବି.ଏମ୍.ସି କର୍ତୃପକ୍ଷ ଏବଂ ଠିକାଦାର ମାନେ ବେନିୟମ କାମକୁ ତୁରନ୍ତ ବନ୍ଦ କରିବା ସହ ଏହି ଭଳି ଅନୈତିକ କାର୍ଯ୍ୟରୁ ନିବୃତ ରୁହନ୍ତୁ ନଚେତ ବିଜେପି ଲୋକଙ୍କୁ ସଚେତନତା କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବ ଏବଂ ବି.ଏମ୍.ସି କର୍ତୃପକ୍ଷ ଏବଂ ଠିକାଦାର ମାନେ ଅଦାଲତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଭାରତୀୟ ଜନତା ପାର୍ଟି ଚେତାବନୀ ଦେଉଛି ।


