ଆସିକାରେ ବୃଦ୍ଧି ପାଇବାରେ ଲାଗିଛି ଚିନିଦର
ଆସିକା (ୱାଇଏନ୍ଏସ୍) : ଗତ କିଛି ଦିନ ହେଲା ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ରୂପେ ପରିଚିତ ଥିବା ଚିନିଦର ଅହେତୁକ ବୃଦ୍ଧି ପାଇବାରେ ଲାଗିଥିବା ଯୋଗୁଁ ଖାଉଟିଙ୍କ ମୁଣ୍ଡରେ ଚଡକ ପଡିଯାଇଥିବା ସଚେତନ ନାଗରିକଙ୍କ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । କେବେ ଏହି ଚିନି ଦର ବୃଦ୍ଧିରେ ବ୍ରେକ୍ ଲାଗିବ ତାହାକୁ ନେଇ ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ପରିଲକ୍ଷିତ ହେଉଛି । ଗତ କିଛି ଦିନ ତଳେ ଆସିକା ଅଞ୍ଚଳରେ ଖୋଲା ବଜାରରେ ଚିନିଦର କିଲୋ ପ୍ରତି ୪୫ ରୁ ୪୮ ଟଙ୍କାରେ ବିକ୍ରୀ ହେଉଥିଲା ବେଳେ ଗତ ୨ ଦିନ ହେଲା ଏହି ଦର ବୃଦ୍ଧି ପାଇ ପ୍ରାୟ ୭୦ ଟଙ୍କାରେ ପହଞ୍ଚିଥିବା ଜଣାପଡିଛି । ଆଗକୁ ପାର୍ବଣ ଋତୁ ଥିବା ବେଳେ ଏବେଠୁ ଚିନି ଦର ଉପର ମୁହାଁ ହେବାରେ ଲାଗିଥିବା ଯୋଗୁଁ ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀର ସାଧାରଣ ଜନତା ଚିନ୍ତାରେ ପଡିଯାଇଥିବା ଦେଖିବାକୁ ମିଳୁଛି । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ଦଶହରା, କାଳୀପୂଜା ଭଳି ବଡ ବଡ ପର୍ବ ରହିଛି । ଏହି ସମୟରେ ମିଠାର ଚାହିଦା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବାର ସମ୍ଭାବନା ରହିଥିବାରୁ ଏହାର ପ୍ରଭାବ ଚିନିଦର ବୃଦ୍ଧି ଉପରେ ପଡିବା ସମ୍ଭାବନାକୁ ମଧ୍ୟ ଏଡାଇ ହେଉନାହିଁ । ପାର୍ବଣ ସମୟରେ ଚିନିଦରକୁ ନେଇ ନାନା ସମସ୍ୟା ଦେଖାଦେବାର ଯଥେଷ୍ଟ ଆଶଙ୍କା ରହିଛି । ସବୁଦିନିଆ ବ୍ୟବହୃତ ଚିନିର ଦରକୁ ନେଇ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳର ଖାଉଟିଙ୍କ ମଧ୍ୟରେ ଚିନ୍ତା ବଢିବାରେ ଲାଗିଛି । ଗତ କିଛି ଦିନ ହେଲା ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଅଧିକାଂଶ ଖାଉଟିଙ୍କୁ ଚିନ୍ତାରେ ପକାଇ ସାରିଲାଣି । ଦରବୃଦ୍ଧିର ମାଡରେ ବହୁ ଖାଉଟି ଅସ୍ତବ୍ୟସ୍ତ ହୋଇପଡିଲେଣି । ରାତି ପାହିଲେ ହାଣ୍ଡିଶାଳକୁ ଘାରୁଛି ମହଙ୍ଗା ମାଡର ଚିନ୍ତା । ଆସିକା ଅଞ୍ଚଳର ପିଆଜର ଦର ବୃଦ୍ଧି ପରେ ଏବେ ଚିନିର ଅହେତୁକ ଦର ବୃଦ୍ଧି ଯୋଗୁଁ ଖାଉଟି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି । ଗତ କିଛି ଦିନ ହେଲା ଅତ୍ୟାଶ୍ୟକୀୟ ସାମଗ୍ରୀ ରୂପେ ପରିଚିତ ଥିବା ଚିନିର ଦର ହୁ ହୁ ହୋଇ ବଢିଚାଲିଛି । ବଜାରରେ ଚିନିର ଦର ଶୁଣି ଗ୍ରାହକ ଚିନ୍ତାରେ ପଡିବା ସହ ବାଧ୍ୟ ବାଧକତାରେ ନିଜ ସକ୍ଷମ ମୁତାବକ ଖୋଲା ବଜାରରୁ କାନମୁଣ୍ଡା ଆଉଁସି ଚିନି କ୍ରୟ କରୁଥିବା ଦେଖିବାକୁ ମିଳୁଛି । ଗ୍ରାମାଞ୍ଚଳ ଗୁଡିକରେ ମଧ୍ୟ ଚିନି ଦର ସହରାଞ୍ଚଳ ଠାରୁ ଅଧିକ ଥିବା ଆଲୋଚିତ ହେଉଛି । ଚିିନିଦର ବୃଦ୍ଧି ସିଧାସଳଖ ପ୍ରଭାବ ଅଧିକାଂଶ ଚା ଦୋକାନୀ ଉପରେ ପଡିଥିବା ଜଣାପଡିଛି । ଗତ କିଛି ଦିନ ହେଲା ଚିନିର ଦର ଆକାଶଛୁଆଁ ହେବାରେ ଲାଗିଥିବା ଯୋଗୁଁ ଗରୀବ ଓ ମଧ୍ୟବିତ୍ତ ପରିବାରଙ୍କୁ ଏହି ଦର ବାଧୁଥିବା ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବର୍ଦ୍ଧିତ ଚିନିଦରକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।


