ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ଆନ୍ଦୋଳନ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିଖିଳ ଉତ୍କଳ ଶିକ୍ଷକ ମହାସଂଘ କାର୍ଯ୍ୟକାରୀ କମିଟିର ଏକ ଅଧିବେଶନ ୟୁନିଟ୍‌-୯ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଧନଞ୍ଜୟ କେଶରୀ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ସାଧାରଣ ସମ୍ପାଦକ ଦୁଷ୍ମନ୍ତ କୁମାର ନାୟକ ପୂର୍ବ ସଭାର ବିବରଣୀ ଓ ଆଜିକାର ଏଜେଣ୍ଡା ଆଗତ କରିଥିଲେ । ଶିକ୍ଷକ ମହାସଂଘର ‘ଶିକ୍ଷା ସମସ୍ୟା’ର ସମ୍ପାଦକ ପ୍ରଫେସର ଦୁର୍ଯ୍ୟୋଧନ ପରିଡ଼ା ଏବଂ ବିଶ୍ୱ ଶିକ୍ଷକ ସଂଘ (ଫିଜେ)ର ସଭାପତି ଅମୀୟ କୁମାର ମହାନ୍ତି ବିଶଦ୍ ଭାବରେ ଆଲୋଚନା କଲାପରେ ଶିକ୍ଷକ ସଂଗଠନ ତରଫରୁ ବିଭିନ୍ନ ସମସ୍ୟା ଉପସ୍ଥାପନା କରାଯାଇଥିଲା ଯଥା : ଏଲିମେଣ୍ଟାରୀରୁ ଠିକା ପ୍ରଥା ଉଚ୍ଛେଦ, ପୁରୁଣା ପେନସନ ଲାଗୁ କରିବା, ବ୍ଲକଗ୍ରାଣ୍ଟ ପ୍ରଥା ଉଚ୍ଛେଦ, ଚାକିରି ସର୍ତ୍ତାବଳୀ, ପ୍ରାଥମିକ ଶିକ୍ଷକଙ୍କ ଠିକା କାର୍ଯ୍ୟକାଳକୁ ଗଣନା କରି ନୋସନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ, ସବୁପ୍ରକାର ସ୍କୁଲ୍ କଲେଜକୁ ନିୟମିତ ନିଯୁକ୍ତି, ଜିଡ଼ିପିର ୧୦ ପ୍ରତିଶତ ଶିକ୍ଷା ପାଇଁ ଖର୍ଚ୍ଚ କରିବା ଆଦି ଦାବିଗୁଡ଼ିକ ଉପରେ ଆଲୋଚନା ହୋଇଥିଲା । ବର୍ଷିୟାନ ଶିକ୍ଷକନେତା ବିବେକାନନ୍ଦ ଦାଶଙ୍କ ପ୍ରସ୍ତାବ ମତେ ଆଗାମୀ ଅଗଷ୍ଟ ୧୬ ତାରିଖରୁ ଶିକ୍ଷକ ମହାସଂଘ ତରଫରୁ ଗଣଧାରଣା ସହିତ ଏସବୁ ସମସ୍ୟାଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଣାଇବାକୁ ସ୍ଥିର ହେଲା । ଜେଏଫ୍‌ଏମ୍‌ଇ ତରଫରୁ ଆହୂତ ରାଜ୍ୟସ୍ତରରେ ଭୁବନେଶ୍ୱରଠାରେ ଅଗଷ୍ଟ ୧ ତାରିଖ ଏବଂ ଜାତୀୟସ୍ତରରେ ଦିଲ୍ଲୀଠାରେ, ସେପ୍ଟେମ୍ବର ୧୩ ତାରିଖ ଦିନ ଶିକ୍ଷାନୀତିକୁ ବିରୋଧ ଆନ୍ଦୋଳନରେ ଶିକ୍ଷକ ମହାସଂଘ ସକ୍ରିୟ ଅଂଶଗ୍ରହଣ କରିବ ବୋଲି ମତପ୍ରକାଶ ପାଇଥିଲା । ସେହିପର ଆଗାମୀ ସେପ୍ଟେମ୍ବର ୫ ତାରିଖ ଦିନ ଶିକ୍ଷକ ମହାସଂଘର ଜନ୍ମଦିନରେ ଏକ ଶିକ୍ଷା ସେମିନାର ଅନୁଷ୍ଠିତ ହେବା ସହିତ ଶିକ୍ଷକ ମହାସଂଘର ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହେବା ପାଇଁ ଓଡ଼ିଶା ଏଲିମେଣ୍ଟାରୀ ଶିକ୍ଷକ ସଂଘର ସଭାପତି ଧନଞ୍ଜୟ ନାଏକ, ସାଧାରଣ ସମ୍ପାଦକ ପ୍ରବୀଣ କୁମାର ଦାସ, ସଂଗଠନ ସମ୍ପାଦକ ସୁବ୍ରତ କୁମାର ବଡ଼ଜେନା, ନିମ୍ନ ମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ ସଂଘ ତରଫରୁ ବିଧୂଭୂଷଣ ପଟ୍ଟନାୟକ, ଅକ୍ଷୟ ଦାସ, ଦେବରାଜ ପ୍ରଧାନ ପ୍ରମୁଖ ପ୍ରସ୍ତାବ ଦେଇଥିଲେ । ଆଜିର ଏହି ଅଧିବେଶନରେ ବେସରକାରୀ କଲେଜ ଶିକ୍ଷକ ସଂଘ ତରଫରୁ ବୃନ୍ଦାବନ ମହାପାତ୍ର, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ତରଫରୁ ସୁରେଶ ଚନ୍ଦ୍ର ବିଶ୍ୱାଳ, ଓଡ଼ିଶା ଲାଇବ୍ରେରିୟାନ ଶିକ୍ଷକ ସଂଘ, ଡେମୋନଷ୍ଟ୍ରେଟର ଶିକ୍ଷକ ସଂଘ, ଅବସରପ୍ରାପ୍ତ ଶିକ୍ଷକ ସଂଘ, କଳା କ୍ରୀଡ଼ା ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ