ନାହିଁ ନାହିଁରେ ଚାଲିଛି ଭଞ୍ଜନଗର କେନ୍ଦ୍ରିୟ ବିଦ୍ୟାଳୟ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ନା ଏଠି କିଏ ଅଧ୍ୟକ୍ଷ ଅଛି ନା ଏଠି ସ୍ଥାୟୀ ଶିକ୍ଷକ ଅଛି, ନା ଏଠି ବିଦ୍ୟାଳୟର ନିଜସ୍ୱ ଗୃହ ଅଛି ନା ଏଠି ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ସୁବିଧା ଅଛି । ପ୍ରକାଶଥାଉକି ଏହି ବିଦ୍ୟାଳୟ କେନ୍ଦ୍ର ସରକାରଙ୍କ ଦ୍ୱାରା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଚକରା ବିଷୋୟୀ ହୋଷ୍ଟଲରେ ୨୦୧୦ ମସିହାରେ ଆରମ୍ଭ ହୋଇଥିଲା । ପ୍ରତିଷ୍ଠା ହେବାର ୧୩ବର୍ଷ ବିତି ଯାଇଥିଲା ସୁଦ୍ଧା ଆଜି ପର୍ଯ୍ୟନ୍ତ ନିଜର ସ୍ଥାୟୀ ଗୃହ ହୋଇପାରିନାହିଁ । ବିଦ୍ୟାଳୟରେ ୧ମ ଶ୍ରେଣୀରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫୦୦ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୧୨ଜଣ ସ୍ଥାୟୀ ଶିକ୍ଷକର ଆବଶ୍ୟକ ରହିଛି । କିନ୍ତୁ କେବଳ ୨ଜଣ ଶିକ୍ଷକ ସ୍ଥାୟୀ ଥିବାବେଳେ ଅନ୍ୟମାନେ ସମସ୍ତେ ଚୁକ୍ତି ଭିତିକ ଶିକ୍ଷକ ଅଛନ୍ତି । ଚୁକ୍ତି ଭିତିକ ଶିକ୍ଷକ ଥିବାରୁ ପାଠପଢ଼ା ମଧ୍ୟ ଭଲ ହେଉନାହିଁ ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି । ୨୦୨୨ ଫେବୃୟାରୀ ମାସରେ ଅଧ୍ୟକ୍ଷ ଅବସର ନେବା ପରେ ଆଜି ପର୍ଯ୍ୟନ୍ତ ନୂଆ ଅଧ୍ୟକ୍ଷ ଦାୟୀତ୍ୱ ନେଇନାହାନ୍ତି । ଟିଣ ଘରେ ବିଦ୍ୟାଳୟ ଚାଲିଥିବାବେଳେ ଶ୍ରେଣୀ ଗୃହର ଅବସ୍ଥା ନକହିଲେ ଭଲ । ବସିବା ପାଇଁ ବେଂଚ ଠାରୁ ଆରମ୍ଭ କରି ଶୌଚାଳୟ, ଖେଳପଡ଼ିଆ କୌଣସିର ସୁବିଧା ନାହିଁ । ୫୦୦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧାରରେ । ତେଣୁ ଅଭିଭାବକମାନେ ମିଳିତ ହୋଇ ପ୍ରଶାସନ ଏବଂ ସରକାରଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି ।


