ବନ୍ଦ ହେବକି ଏଡେଡ ଓ ବ୍ଲକଗ୍ରାଣ୍ଟ ସ୍କୁଲ, ୫-ଟି କାମ କାହା ସ୍ୱାର୍ଥରେ
ହାଟଡ଼ିହି, (ବିକାଶ ବିଶ୍ୱାଳ):ରାଜ୍ୟ ସରକାର ଓ ରାଜ୍ୟ ଶିକ୍ଷା ବିଭାଗର ଦୁରଦୃଷ୍ଟିର ଅଭାବ ଯୋଗୁଁ ଏବେ ବ୍ଲକ ଗ୍ରାଣ୍ଟ ସ୍କୁଲ ଗୁଡିକ ବନ୍ଦ ହେବାକୁ ବସିଛି, ସେପଟେ ସରକାର ଏହି ସ୍କୁଲ ଗୁଡିକୁ ୫-ଟିରେ ସାମିଲ କରାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସୌନ୍ଦର୍ଯ୍ୟ କରଣ କରିବା ସହିତ ଅଧିକରୁ ଅଧିକ ଶ୍ରେଣୀଗୃହ ସବୁ ନିର୍ମାଣ କରୁଛନ୍ତି । ଯଦି ବିଦ୍ୟାଳୟ ଗୁଡିକୁ ବନ୍ଦ କରିବାପାଇଁ ସରକାର ଯୋଜନା କରିଛନ୍ତି ତେବେ ଏହାକୁ ୫-ଟିରେ ସାମିଲ କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି କାହା ସ୍ୱାର୍ଥରେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ଗୋଟିଏ ପଟେ ଶିକ୍ଷକ ନଥିବାବେଳେ ଏହିସବୁ ଶ୍ରେଣୀଗୃହ ଓ ସୌନ୍ଦର୍ଯ୍ୟ କରଣ କଣପାଇଁ ବୋଲସି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି । ଖବରରୁ ଜଣାଯାଇଛି ଯେ ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଅଧିକାଶଂ ହାଇସ୍କୁଲ ନଥିବା ପଞ୍ଚାୟତରେ ଗ୍ରାମବାସୀ ଓ ବୁଦ୍ଧିଜିବୀ ମାନଙ୍କ ଦ୍ୱାରା ହାଇସ୍କୁଲ ସ୍ଥାପନ କରାଯାଇଥିଲା । ଏହାଦ୍ୱାରା ସେ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ସହଜରେ ମାଟ୍ରିକ ଶିକ୍ଷା ଶେଷ କରିପାରିଥିଲେ । ପୁର୍ବପରି ଏହି ସ୍କୁଲ ଗୁଡିକୁ ସରକାର ହାତକୁ ନେଇ ଶିକ୍ଷକ ଦରମା ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ସମସ୍ତ ଦାୟିତ୍ୱ ସରକାର ବୁଝିବେ ବୋଲି ଆଶା କରାଯାଉଥିଲା । ମାତ୍ର ସରକାର ପୁର୍ବ ନିୟମକୁ ପ୍ରଚଳନ ନକରି ବିଦ୍ୟାଳୟ ଗୋଟିଏ କୁ ନିୟମ ଗୋଟିଏ ଭଳି ନୁତନ ନିୟମ ଲାଗୁ କରିଦେବା ଦ୍ୱାରା ଏହି ବିଦ୍ୟାଳୟ ଗୁଡିକରେ ଅନିଶ୍ଚିତତା ଲାଗି ରହିଥିଲା । ଏବେ ରାଜ୍ୟ ସରକାର ଏହି ସବୁ ସ୍କୁଲ ଗୁଡିକୁ ଏଡେଡ ସ୍କୁଲ ଓ ବ୍ଲକ ଗ୍ରାଣ୍ଟ ସ୍କୁଲର ମାନ୍ୟତା ଦେଇ କେବଳ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଦରମା ଦେଇ ଖୁସି କରିଦେଲେ ସିନା କିନ୍ତୁ ସ୍କୁଲକୁ ହାତକୁ ନେଲେନି । ଯେଉଁ ଶିକ୍ଷକମାନେ ସେତେବେଳେ ନିଯୁକ୍ତି ପାଇଥିଲେ ଏବେ ସେଥିମଧ୍ୟରୁ ଅନେକ ଅବସର ନେଲେଣି ତ ଆଉ କିଏ ମୃତୁ୍ୟ ବରଣ କରିସାରିଲେଣି । ସରକାରଙ୍କ ନିୟମାନୁଯାଇ ଏହିସବୁ ବିଦ୍ୟାଳୟ ମାନଙ୍କରେ ଆଉ ଶିକ୍ଷକ ନିଯୁକ୍ତି କରାଯାଇପାରୁ ନାହିଁ । ଫଳରେ ସେହିସବୁ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନରେ ଘୋର ବାଧା ଦେଖାଦେଇଛି । ଏପରିକି ଆଉ ଦିନ କେଇଟା ଭିତରେ ଏହିସବୁ ସ୍କୁଲ ବନ୍ଦ ହେବାକୁ ବସିଛି । ଗୋଟିଏ ଗୋଟିଏ ବିଦ୍ୟାଳୟରେ ୨/୩ ଜଣ ଶିକ୍ଷକ ଓ କର୍ମଚାରୀ ଥିବାରୁ କିପରି ଶିକ୍ଷାଦାନ ହେଉଥିବ ତାହା ସହଜରେ ଅନୁମେୟ । ଉଦାହରଣ ସ୍ୱରୁପ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକଇଞ୍ଚୋଳ ହାଇସ୍କୁଲ ମସିହାରେ ସ୍ଥାପନ ହୋଇଥିବାବେଳେ ଏଠାକାର ପୁର୍ବତନ ଛାତ୍ରଛାତ୍ରୀ ମାନେ ଏଠାରୁ ଶିକ୍ଷାଲାଭ କରି ଏବେ ଅନେକ ବଡ ବଡ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ଏହି ବିଦ୍ୟାଳୟ ସ୍ଥାପନ ସମୟରେ ଜଣେ ପ୍ରଧାନ ଶିକ୍ଷକ, ଦୁଇଜଣ ଆର୍ଟସ ଶିକ୍ଷକ, ଦୁଇଜଣ ବିଜ୍ଞାନ ଶିକ୍ଷକ, ଜଣେ ସଂସ୍କୃତ, ଜଣେ ହିନ୍ଦି, ଜଣେ ଖେଳ ଶିକ୍ଷକ, ଜଣେ କିରାଣୀ ଓ ତିନିଜଣ ଚତୁର୍ଥଶ୍ରେଣୀ କର୍ମଚାରୀ ଏହିପରି ମୋଟ ୧୨ଜଣ ଶିକ୍ଷକ ଶିକ୍ଷତ୍ରୀ ଓ କର୍ମଚାରୀ ନିଯୁକ୍ତି ପାଇଥିଲେ । କିନ୍ତୁ ଗତ କିଛିବର୍ଷ ମଧ୍ୟରେ ଶିକ୍ଷକମାନେ ଅବସର ନେବାପରେ ଦିନକୁ ଦିନ ଶିକ୍ଷକ ଓ କର୍ମଚାରୀଙ୍କ ସଂଖ୍ୟା କମି କମି ଯାଉଛି । ଏବେ ଜଣେ ବିଜ୍ଞାନ ଶିକ୍ଷକ ଓ ଜଣେ ହିନ୍ଦି ଶିକ୍ଷକ ଏବଂ ଜଣେ କ୍ଲର୍କ ରହିଛନ୍ତି । ଏହି ବିଦ୍ୟାଳୟରେ ଶହଶହ ଛାତ୍ରଚାତ୍ରୀ ଅଧ୍ୟୟନ କରୁଥିବାବେଳେ ଶିକ୍ଷକ ଅଭାବକୁ ନେଇ ଅନେକ ଅଭିଭାବକ ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ଏଠାରେ ଶିକ୍ଷାଦାନ କରିବାକୁ ଉଚିତ ନମଣି ଭିନ୍ନ ସ୍କୁଲରେ ଶିକ୍ଷାଲାଭ କରାଉଛନ୍ତି । ଏପରିକି ଅନେକ ଛାତ୍ରଛାତ୍ରୀ ଦୁର ଦୁରାନ୍ତ ସ୍କୁଲକୁ ନଯାଇ ଅଧାର ପାଠ ଛାଡି ଦେଲେଣି । ଏବେ ଦୁଇଟି ଶ୍ରେଣୀରେ ୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଥିବାବେଳେ ଶିକ୍ଷକ ଅଭାବ ଯୋଗୁଁ ପ୍ରାୟତ ଅନେକ ବିଷୟରେ ଶିକ୍ଷାଦାନ ଆରମ୍ଭ ହୋଇନି । କିନ୍ତୁ ଏହି ହାଇସ୍କୁଲକୁ ୫-ଟିରେ ରୁପାନ୍ତରିତ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ କରାଯାଇଛି । କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଶ୍ରେଣୀଗୃହ ନିର୍ମାଣର ବ୍ୟବସ୍ଥା କରାଯାଉଛି । ଏଠାରେ ଶିକ୍ଷାଦାନ କିପରି ହେବ କଣ ଶ୍ରେଣୀ ଘର ଗୁଡିକ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବକି ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ସେହିପରି ଶାଳଣିଆଁ ହାଇସ୍କୁଲର ମଧ୍ୟ ସମାନ ଅବସ୍ଥା । ଏହା ଏକ ଆଡେଡ ସ୍କୁଲ ହୋଇଥିବାବେଳେ ଏଠାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଶହେରୁ ଉର୍ଦ୍ଧ । କିନ୍ତୁ ୧୨ଜଣ ଶିକ୍ଷକ କର୍ମଚାରୀଙ୍କ ମଧ୍ୟରୁ ଏଠାରେ ମାତ୍ର ୪ଜଣ ଅଛନ୍ତି । ଜଣେ ବିଜ୍ଞାନ ଶିକ୍ଷକ, ଜଣେ ସଂସ୍କୃତ ଶିକ୍ଷକ ଜଣେ ଖେଳ ଶିକ୍ଷକ ଓ ଅନ୍ୟ ଜଣେ ପିଅନ ଥିବାବେଳେ ଏଠାରେ ପ୍ରଧାନଶିକ୍ଷକଙ୍କ ସମେତ ଦୁଇଜଣ କଳା ଶିକ୍ଷକ, ଜଣେ ବିଜ୍ଞାନ ଶିକ୍ଷକ, ହିନ୍ଦି ଶିକ୍ଷକ, କିରାଣୀ ଓ ଜଣେ ପିଅନ ଓ ଜଣେ ୱାଚମ୍ୟାନ ପଦବି ଖାଲି ପଡିଛି । ତେଣୁ ଉପଯୁକ୍ତ ଶିକ୍ଷାଦାନ ହେଉନଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ବିଦ୍ୟାଳୟକୁ ୫-ଟି ବିଦ୍ୟାଳୟରେ ସାମିଲ କରାଯାଇ ବିଦ୍ୟାଳୟ ସୌନ୍ଦର୍ଯ୍ୟ କରଣ ଓ ନୁତନ ଶ୍ରେଣୀଗୃହ ନିର୍ମାଣ ଚାଲିଛି । କିନ୍ତୁ ଶିକ୍ଷକ ନଥାଇ କେବଳ ସୌନ୍ଦର୍ଯ୍ୟକରଣ ଓ ଶ୍ରେଣୀଗୃହ ନିର୍ମାଣ ଦ୍ୱାରା କଣ ଶିକ୍ଷାଦାନ ହୋଇଯିବ ଏହା ୫-ଟି ସଚିବ ବୁଝିବା ଦରକାର ବୋଲି ଅଭିଭାବକମାନେ କହିଛନ୍ତି । ସେହିପରି ପନ୍ଦାଡୋ ପଞ୍ଚାୟତର ଏକମାତ୍ର ହାଇସ୍କୁଲ ଖୋଲାଯିବା ସମୟରେ ଜଣେ ପ୍ରଧାନ ଶିକ୍ଷକ, ଦୁଇଜଣ ଆର୍ଟସ ଶିକ୍ଷକ, ଦୁଇଜଣ ବିଜ୍ଞାନ ଶିକ୍ଷକ, ଜଣେ ସଂସ୍କୃତ, ଜଣେ ହିନ୍ଦି, ଜଣେ ଖେଳ ଶିକ୍ଷକ, ଜଣେ କିରାଣୀ ଓ ତିନିଜଣ ଚତୁର୍ଥଶ୍ରେଣୀ କର୍ମଚାରୀ ନିଯୁକ୍ତି ପାଇଥିଲେ । କିନ୍ତୁ ଗତ କିଛିବର୍ଷ ମଧ୍ୟରେ ଶିକ୍ଷକଙ୍କ ବଦଳି ଓ ଜଣେ ଶିକ୍ଷକଙ୍କ ମୃତୁ୍ୟ ପରେ ଏବେ ମାତ୍ର ଦୁଇଜଣ ଶିକ୍ଷକଙ୍କୁ ନେଇ ଚାଲିଛି ବିଦ୍ୟାଳୟ । ଜଣେ ବିଜ୍ଞାନ ଶିକ୍ଷକ ଓ ଜଣେ ହିନ୍ଦି ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ଫଳରେ କଣ ଶିକ୍ଷାଦାନ ହେଉଥିବା ତାହା ସମସ୍ତେ ଜାଣିପାରୁଥିଲେ । ଏହି ବିଦ୍ୟାଳୟରେ ଅଧିକାଶଂ ଛାତ୍ରଛାତ୍ରୀ ଅନୁସୁଚିତ ଜାତି ଓ ଜନଜାତିର ହୋଇଥିବାବେଳେ ଏବେ ଆଉ ପାଠପଢ଼ିବାକୁ ଆଗ୍ରହ ଦେଖାଉ ନାହାନ୍ତି । ବିଦ୍ୟାଳୟରେ ମୋଟ ୮ଜଣ ଶିକ୍ଷକ ଶିକ୍ଷାଦାନ କରିବାକୁ ଥିବାବେଳେ ୨ଜଣ ଶିକ୍ଷକରେ କିପରି ଶିକ୍ଷାଦାନ ହେବ ତାହା ସରକାର ବୁଝିବା କଥା ବୋଲି ଗ୍ରାମବାସୀମାନେ ୫-ଟି ସଚିବଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ନିଶାକର ହାଇସ୍କୁଲ ମଉଦାରେ ମଧ୍ୟ ସମାନ ଅବସ୍ଥା । ସେଠାରେ ୮ଜଣ ଶିକ୍ଷକ ଓ ୪ଜଣ କର୍ମଚାରୀ ଥିବାବେଳେ ଏବେ ଜଣେ କଳା ଶିକ୍ଷକ, ଜଣେ ବିଜ୍ଞାନ ଶିକ୍ଷକ ଓ ଜଣେ ହିନ୍ଦି ଶିକ୍ଷକଙ୍କୁ ନେଇ ଚାଲିଛି ବିଦ୍ୟାଳୟ । ଏବେ ବ୍ଲକଗ୍ରାଣକଟ ସ୍କୁଲ ଗୁଡିକୁ ମଧ୍ୟ ୫-ଟିରେ ସାମିଲ କରାଯାଉଛି । ଶିକ୍ଷକ ନିଯୁକ୍ତି ନକରି ୫-ଟିରେ ସାମିଲ କରିବା କେତେଦୁର ଯଥାର୍ଥ ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି । ଆଉ କିଛିବର୍ଷ ଭିତରେ ହାଟଡିହି ବ୍ଲକରେ ଏପରି ୧୫ରୁ ଉର୍ଦ୍ଧ ସ୍କୁଲରେ ଶିକ୍ଷକ ପଦବୀ ଖାଲି ହୋି ବିଦ୍ୟାଳୟ ସବୁ ବନ୍ଦ ହେବାକୁ ବସିଥିବାବେଳେ ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ଉପରେ କୌଣସି ଚିନ୍ତା ନକରିବା ପରିତାପର ବିଷୟ ବୋଲି ଶିକ୍ଷକ ସଂଘ ନେତାମାନେ ମତପ୍ରକାା କରିଛନ୍ତି । ସେମାନଙ୍କ ଯୁକ୍ତି ଯେ ବାରମ୍ବାର ଏହିସବୁ ସ୍କୁଲରେ ଶିକ୍ଷକ ନିଯୁକ୍ତି ନେଇ ଆମେ ଦାବି କରିଆସୁଛୁ । ସରକାର କୌଣସି ପଦକ୍ଷେପ ନେବାତ ଦୁରର କଥା ଏନେଇ ମୁହଁ ମଧ୍ୟ ଖୋଲୁ ନାହାନ୍ତି । ଖାଲି ବ୍ଲକଗ୍ରାଣ୍ଟ କିମ୍ବା ଆଡେଡ ହାଇସ୍କୁଲ ନୁହଁ ହାଟଡିହି ବ୍ଲକରେ ୮ଟି ଆଡେଡ ଏମ.ଇ ସ୍କୁଲ ବନ୍ଦ ହୋଇ ଗଲାଣି । ଏଣୁ ମଠ ମନ୍ଦିରକୁ ଅନୁଦାନ ଯୋଗାଇ ମନ୍ଦିର ସୌନ୍ଦର୍ଯ୍ୟ କରଣକୁ ଗୁରୁତ୍ୱ ଦେଉଥିବା ନବୀନ ସରକାର ମଣିଷ ତିଆରି ମନ୍ଦିର ର ବିକାଶ ପାଇଁ ଚିନ୍ତା କରିବାକୁ ଅଭିଭାବକ ମହଲରେ ଦାବି ହେଉଛି ।


