ରେଳ ସୁରକ୍ଷା ବଳ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ
ବାଲେଶ୍ୱର, (ସରୋଜ ପଣ୍ଡା):ଗତକାଲି ଭୁବନେଶ୍ୱରରୁ ଜରୁରୀ କାମ ସାରି ବିଶିଷ୍ଟ ସମାଜସେବୀ ତଥା ‘ଭିଟାମାଟି ସୁରକ୍ଷା ଆନ୍ଦୋଳନ’ର ନେତା ଅରୁଣ ଜେନା ପୁରୀ-ଆନନ୍ଦବିହାର ନୀଳାଚଳ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍ରେ ଫେରୁଥିବାବେଳେ କାର୍ଯ୍ୟବ୍ୟସ୍ତତାବଶତଃ ଟ୍ରେନ୍ରୁ ବାଲେଶ୍ୱର ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ । ବଗିନଂ ଏସ୍.୬-୪୨ ନଂ ସିଟ୍ରେ ଶ୍ରୀ ଜେନା ବସି ଆସିବାବେଳେ ଭୁଲବଶତଃ ତାଙ୍କର ଏକ କଳା ବ୍ୟାଗ୍ ଟ୍ରେନ୍ରେ ଛାଡ଼ି ଦେଇଥିଲେ ଯେଉଁଥିରେ ତାଙ୍କର ବ୍ୟକ୍ତିଗତ ଡାଏରୀ, ବହୁ ଜରୁରୀ କାଗଜପତ୍ର ଓ ଫାଇଲ୍ ରହିଯାଇଥିଲା । ଶ୍ରୀ ଜେନା ଟ୍ରେନ୍ଟି ବାଲେଶ୍ୱର ଷ୍ଟେସନ ଛାଡ଼ିବା ପରେ ହେତୁ ହେବାରୁ ବ୍ୟାଗ୍ ହଜିଯାଇଛି ବୋଲି ବାଲେଶ୍ୱର ରେଳ ସୁରକ୍ଷା ବଳ ଅଧିକାରୀଙ୍କୁ ଜଣାଇଥିଲେ । ରେଳ ଅଧିକାରୀ ଶ୍ରୀ ଚକ୍ରବର୍ତ୍ତୀ ଏବଂ ହିଜଲି ଆର.ପି.ଏଫ୍ର ଏ.ଏସ୍.ଆଇ ଶ୍ରୀ ଏସ୍ ଏସ୍ ମହାପାତ୍ର, ଅତିରିକ୍ତ ଏ.ଏସ୍.ଆଇ ମାନସ ମାଣିକ, କନେଷ୍ଟବଳ ସରୋଜ କୁମାରୀ ହିଜ୍ଲି ରେଳଷ୍ଟେସନରେ ଗାଡ଼ି ରହିବା ପରେ ଶ୍ରୀ ଜେନା ବସିଥିବା ସିଟ୍ରୁ ବ୍ୟାଗ୍ଟିକୁ ଉଦ୍ଧାର କରି ହିଜ୍ଲି ଆର.ପି.ଏଫ୍. ଅଫିସ୍ରେ ଜମା ଦେଇଥିଲେ । ଆଜି ଶ୍ରୀ ଜେନା ହିଜ୍ଲି ଯାଇ ଆର.ପି.ଏଫ୍. ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ମାନସ ମାଣିକଙ୍କ ଠାରୁ ତାଙ୍କ ବ୍ୟାଗ୍ ଗ୍ରହଣ କରିଥିଲେ । ରେଳସୁରକ୍ଷା ବଳର ଅଧିକାରୀମାନେ ଦାୟିତ୍ୱ ନେଇ ବ୍ୟାଗ୍ଟିକୁ ଶ୍ରୀ ଜେନାଙ୍କୁ ହସ୍ତାନ୍ତର କରିଥିବାରୁ ଶ୍ରୀ ଜେନା ରେଳସୁରକ୍ଷା ବଳର ପଦାଧିକାରୀ ଓ କର୍ମକର୍ତ୍ତାଙ୍କୁ ଗଭୀର କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।


