ଜିଲ୍ଲା ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ହୋଟେଲ ରୟାଲ କୁଇନ ସମ୍ମୀଳନୀ କକ୍ଷରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏବଂ ରାଜ୍ୟରୁ ପ୍ରେରିତ ବାରିପଦା ଜିଲ୍ଲାର ପୂର୍ବତନ ସଭାପତି ତଥା ରାଜ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଜିଲ୍ଲା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରଣନୀତି ପ୍ରସ୍ତୁତ କରାଯିବା ସହିତ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମର ରୂପରେଖ ବିଷୟରେ ଆଲୋଚନା କରାଯାଇଛି। ପ୍ରଦୀପ ପ୍ରଜ୍ଜ୍ଵଳନ, ସାମୁହିକ ବନ୍ଦେ ମାତରମ୍ ପରେ ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ଭାଷଣରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ବୈଠକର ବିଷୟବସ୍ତୁ ଉପରେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରାଇଥିଲେ । କୃଷ୍ଣଚନ୍ଦ୍ର ମହାପାତ୍ର ତାଙ୍କ ଉଦବୋଧନରେ ସାଂଗଠନିକ ସଂରଚନା ଓ କାର୍ଯ୍ୟ ପଦ୍ଧତି ଉପରେ ପ୍ରେରଣା ଦେଇଥିଲେ । ଏଥିସହିତ ଆସନ୍ତା ଅଗଷ୍ଟ ୯ ରୁ ୧୫ ତାରିଖ ପର୍ଯ୍ୟନ୍ତ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ସମସ୍ତ ପଞ୍ଚାୟତରୁ ମାଟି ସଂଗ୍ରହ କରାଯାଇ ବ୍ଲକ୍ ସ୍ତରରେ ଏକାଠି କରି ଉକ୍ତ ମାଟିକୁ ଦିଲ୍ଲୀ ନେବାର କାର୍ଯ୍ୟକ୍ରମ ରହିଛି । ପ୍ରତି ଗ୍ରାମରେ ଦେଶର ୭୫୦୦୦ ବ୍ଲକରୁ ଆସିଥିବା ମାଟିରେ ସହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦିଲ୍ଲୀରେ ଏକ “ଅମୃତ ବାଟିକା” ପ୍ରସ୍ତୁତ ହେବ , ଯେଉଁଥିରେ ୭୫୦୦୦ ବୃକ୍ଷ ରୋପଣ ହେବ । ଅଗଷ୍ଟ ୧୪ ତାରିଖରେ ପ୍ରତି ପଞ୍ଚାୟରେ “ବିଭାଜନ ବିଭୀଷିକା” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତି ଗ୍ରାମରେ ସହୀଦ/ ସ୍ଵାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଏକ ସୂଚନା ପଟା ପ୍ରସ୍ତୁତ ହୋଇ ପଞ୍ଚାୟତ ଘର/ ଅମୃତ ସରୋବର/ ବିଦ୍ୟାଳୟ ଠାରେ ଲଗାଯିବ । ସୂଚନା ପଟା ଜିଲ୍ଲା ପ୍ରଶାସନ ପ୍ରଦାନ କରିବେ ଏବଂ ସୂଚନା ପଟା ଲଗାଇବା କାର୍ଯ୍ଯ ମନରେଗା ଅଧୀନରେ ହେବ । ପ୍ରତ୍ୟେକ ବ୍ୟକ୍ତି ହାତରେ ପ୍ରଜ୍ଜ୍ଵଳିତ ମାଟି ଦୀପ ଧରି ସେଲ୍ଫି ଉଠାଇ ଏହାକୁ yuva.gov.in ରେ ପୋଷ୍ଟ କରିବେ ।ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ ଅନଲାଇନରେ ପ୍ରମାଣପତ୍ର ମିଳିବ । ପ୍ରତି ପଞ୍ଚାୟତରେ “ବସୁଧା ବନ୍ଦନା” କାର୍ଯ୍ୟକ୍ରମ ଅଧୀନରେ ଅମୃତ ବାଟିକା ପ୍ରସ୍ତୁତ ହେବ, ଯେଉଁଥିରେ ୭୫ ଟି ବୃକ୍ଷ ରୋପଣ ହେବ ।ପ୍ରତି ପଞ୍ଚାୟତରେ ସ୍ଵାଧୀନତା ସଂଗ୍ରାମୀ/ ଶହୀଦଙ୍କ ପରିବାର ବର୍ଗଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଅଗଷ୍ଟ ୧୫ ତାରିଖ ଦିନ ପ୍ରତି ଗ୍ରାମରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜାତୀୟ ସଙ୍ଗୀତ ଗାନ କରିବାର କାର୍ଯ୍ୟକ୍ରମ ରହିଛି । ଉପରୋକ୍ତ କାର୍ଯ୍ୟକ୍ରମ ବିଷୟରେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କ ସହିତ ସବିଶେଷ ଆଲୋଚନା କରାଯାଇଥିଲା ।ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଇଶ୍ଵର ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁଷମା ବିଶ୍ବାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି, ଜିଲ୍ଲା ଉପସଭାପତି କମଲ ଲୋଚନ ଦାସ, କରୁଣାକର ପଣ୍ଡା, କମଳା ବିନ୍ଧାଣୀ, ପ୍ରଦୀପ ପଣ୍ଡା, ପ୍ରବୀର ପ୍ରଧାନ, ଜିଲ୍ଲା ସମ୍ପାଦକ ଆଶିଷ ଘୋଷ, ବିଭୂପଦ ଦାସ, ବିଜୟ କୁମାର ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ମମତା ମହାପାତ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମନୀଷା ବେହେରା, ପିଙ୍କି ପ୍ରଧାନ, ସସ୍ମିତା ଚାନ୍ଦ, ସିପ୍ରା ମହାପାତ୍ର, ସାବିତ୍ରୀ ଜେନା,ଜୋନାଲ ମିଡ଼ିଆ ସଂଯୋଜକ ସତ୍ୟଜିତ ମିଶ୍ର, ଜିଲ୍ଲା ଗଣମାଧ୍ୟମ ସହ ସଂଯୋଜକ ଅରୂପ ଜେନା, ଅନିଲ କୁମାର ମହାନ୍ତି, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ଏସଟି ମୋର୍ଚ୍ଚା ସଭାପତି ବିପିନ ମାରାଣ୍ଡିଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ ଓ ମଣ୍ଡଳ ସଭାପତି ଅଂଶଗ୍ରହଣ କରିଥିଲେ ।


