ନକଲି ସୁନା ବନ୍ଧକ ରଖି ୭୦ ଲକ୍ଷ ଟଙ୍କା ଋଣ ନେବା ଘଟଣା

ବାଲେଶ୍ୱର, (ସରୋଜ ପଣ୍ଡା):ବିବେକାନନ୍ଦ ମାର୍ଗ ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବାଲେଶ୍ବର ଶାଖାରେ ନକଲି ସୁନା ଅଳଙ୍କାର ବନ୍ଧକ ରଖି ଋଣ ଆକାରରେ ୭୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ଘଟଣାରେ ବ୍ୟାଙ୍କର ସ୍ଵୀକୃତି ପ୍ରାପ୍ତ ସୁନାରି(ବଣିଆ) ପଦ୍ମଲୋଚନ ରଣା ସମେତ ୬ ଜଣ ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ଏ ନେଇ ଆଜି ଟାଉନ ଥାନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସିଟି ଡି ଏସ ପି ଗାୟତ୍ରୀ ପ୍ରଧାନ। ଡି ଏସ ପି ପ୍ରଧାନ କହିଥିଲେ,ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବାଲେଶ୍ବର ଶାଖାରେ ଗତ ଜୁଲାଇ ମାସ ଠାରୁ ବାଲେଶ୍ୱର ସହର ସମେତ ବିଭିନ୍ନ ଅଞ୍ଚଳରୁ ୧୪ ଜଣ ବ୍ୟକ୍ତି ସେମାନଙ୍କ ସୁନା ଅଳଙ୍କାର ବନ୍ଧକ ରଖି ୬୯ ଲକ୍ଷ ୭ ଶହ ଟଙ୍କାର ଋଣ ନେଇଥିବା ବେଳେ ତାହା ଆଉ ପରିଶୋଧ କରୁନାହାନ୍ତି। ଏନେଇ ବ୍ୟାଙ୍କ ପକ୍ଷରୁ ସେମାନଙ୍କୁ ବାରମ୍ବାର ନୋଟିସ୍ ଜାରି ହେବା ସତ୍ତ୍ବେ ସେମାନଙ୍କ ଉପରେ ପ୍ରଭାବ ନପଡ଼ିବାରୁ ବ୍ୟାଙ୍କ ତରଫରୁ ସେମାନଙ୍କୁ ଶେଷ ନୋଟିସ୍‌ ଜାରି ହେବା ସହ ସେମାନଙ୍କର ବନ୍ଧକ ଥିବା ସମସ୍ତ ସୁନା ଅଳଙ୍କାର ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କର ସ୍ଵୀକୃତି ପ୍ରାପ୍ତ ସୁନାରିଙ୍କୁ ଡକାଇ ବନ୍ଧକ ଥିବା ସୁନା ଅଳଙ୍କାର ଦେଖାଇଥିଲେ। ତେବେ ସବୁ ଅଳଙ୍କାର ନକଲି ଥିବା ରିପୋର୍ଟ ଦେଇଥିଲେ। ଏହି ଘଟଣାରେ ଗତକାଲି ବ୍ୟାଙ୍କ ମ୍ୟାନେଜର ଦୀନେଶ କୁମାର ଟାଉନ ଥାନାରେ ଗତ ତା,୧୦/୦୮/୨୩ ରିଖରେ ଲିଖିତ ଅଭିଯୋଗ କରିବା ପରେ ୨୧୩/୨୩ ମୂଳେ ତୁରନ୍ତ ମାମଲା ରୁଜୁ କରି ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ଏହି ଠକେଇରେ ବ୍ୟାଙ୍କର ସୁନାରି ସଂପୃକ୍ତି ରହିଛି।ବ୍ୟାଙ୍କର ସୁନାରି ରେମୁଣା ଥାନା ମାଧିପୁର ଅଞ୍ଚକର ପଦ୍ମଲୋଚନ ରଣା ଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି।ତେବେ ଏହି ମାମଲାର ଋଣ ନେଇ ଠକିଥିବା ଋଣି ପାଞ୍ଚଜଣ ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ବୋଲି ଡି ଏସ ପି ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।ଅନ୍ୟ ୮ ଜଣ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ