ବାଲେଶ୍ୱରରେ ପାଳିତ ହେଲା ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ମହକୁମାସ୍ଥିତ ରିଜର୍ଭ ପୋଲିସ ପ୍ୟାରେଡ଼ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ଯୋଗ ଦେଇ ସକାଳ ଘ୯.୧୫ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ଦବୋଧନ ଦେଇଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବାଲେଶ୍ୱର ଜିଲ୍ଲାର ଅବଦାନ ଉପରେ ଆଲୋକପାତ କରି ନୀଳଗିରି ପ୍ରଜାମଣ୍ଡଳ ବିଦ୍ରୋହ, ଇଂଚୁଡି ଲୁଣମରା ଆନ୍ଦୋଳନ, ତୁଡିଗଡିଆ ଆନ୍ଦୋଳନ, ବାଘା ଯତୀନ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତିଚାରଣ କରିଥିଲେ। ସେହିପରି ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ସ୍ୱତନ୍ତ୍ର ଭାଷାଭିତିକ ଓଡ଼ିଶା ପ୍ରଦେଶ ଗଠନ ପାଇଁ ବ୍ୟାସକବି ଫକୀରମୋହନ ସେନାପତି, ଉକ୍ରଳଗୌରବ ମଧୁସୂଦନ ଦାସ, କବିବର ରାଧାନାଥ ରାୟ ପ୍ରମୁଖଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ । ବାହାନଗା ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟ ପାଇଁ ଆଗେଇ ଆସିଥିବା ସ୍ଥାନୀୟ ଲୋକଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଉତ୍ସର୍ଗୀକୃତ ସେବା ପାଇଁ ମାନ୍ୟବର ମନ୍ତ୍ରୀ ବାହାନଗାବାସୀଙ୍କ ସହିତ ଜିଲ୍ଲା ପ୍ରଶାସନର ଭୁରି ଭୁରି ପ୍ରସଂଶା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମ ରାଜ୍ୟରେ ଏବେ ବିକାଶର ଧାରା ଜାରି ରହିଥିବା ବେଳେ ଆମ ରାଜ୍ୟର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ବିକାଶ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇପାରିଥିବା ସେ କହିଥିଲେ । ୫-ଟି ଉପକ୍ରମରେ ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ସୃଷ୍ଟି କରାଯାଇଥିବା ଶୈକ୍ଷିକ ପରିବେଶ, ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ରାଜ୍ୟରେ ଲକ୍ଷ- ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରାଯାଇଥିବା, ମୋ ଘର ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଇତ୍ୟାଦି ଉପରେ ଆଲୋକପାତ କରି ଏହା ଦ୍ୱାରା ରାଜ୍ୟର ପ୍ରଗତିର ଧାରା ବେଶ ଆଗକୁ ଯାଇପାରିଥିବା ସେ କହିଥିଲେ । ବାଲେଶ୍ୱର ଜିଲ୍ଲାରେ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଏବଂ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଦ୍ୱାରା ଜିଲ୍ଲା ତଥା ରାଜ୍ୟର ପ୍ରଗତି ତ୍ୱରାନ୍ୱିତ ହୋଇପାରିଥିବା ମାନ୍ୟବର ମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦତାତ୍ରୟ ଭାଉସାହେବ ଶିନ୍ଦେ, ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ସାଗରିକା ନାଥ, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀଯୁକ୍ତ କୁନାଲ ମୋତିରାମ ଚୌହାନଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇଟି ପୋଲିସ କଂଟିଜେଣ୍ଟ, ଗୋଟିଏ ପୋଲିସ ବ୍ୟାଣ୍ଡ, ଏନ.ସି.ସି ଓ ସିଭିଲିଆନ ଦଳ ମିଶାଇ ମୋଟ ୪୫ଟି ପ୍ଲାଟୁନ ଅଂଶଗ୍ରହଣ କରିଥିଲେ । ରିଜର୍ଭ ଇନସପେକ୍ଟର ଶ୍ରୀ ବିରେନ କୁମାର ବେହେରା ମାର୍ଚ୍ଚ ପାଷ୍ଟର ନେତୃତ୍ୱ ନେବା ସହିତ ମୁଖ୍ୟ ଅତିଥିଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ ସେକେଣ୍ଡ-ଇନ-କମାଣ୍ଡ ଶ୍ରୀ ରାଜୀବ ମାର୍ଣ୍ଡି । ଜିଲ୍ଲାସ୍ତରୀୟ ସମାରୋହ ଅବସରରେ ବିଭିନ୍ନ ବର୍ଗର ୧୩ ଜଣ ଯଥା ଓଡ଼ିଶା ପ୍ରଶାସନିକ ପରୀକ୍ଷାରେ ଜିଲ୍ଲାରେ ଶ୍ରେଷ୍ଠ ହୋଇ ଥିବା ଜଣେ ସଫଳ ଵୃତ୍ତିଧାରୀ, ୨ଜଣ ବରିଷ୍ଠ ସାମ୍ବାଦିକ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ୫ ଜଣ କୃତୀ ଛାତ୍ରଛାତ୍ରୀ, ଜାତୀୟ ସ୍ତରରେ ପଦକ ହାସଲ କରିଥିବା ୩ ଜଣ କ୍ରୀଡ଼ାବିତ, ୨ ଜଣ ସଫଳ ଏନ.ସି.ସି କ୍ୟାଡେଟଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ୟାରେଡ଼ରେ ଅଂଶଗ୍ରହଣ କରିଥିବା ଏନ.ସି.ସି, ସ୍କାଉଟ ଗାଇଡ଼ ଏବଂ ସିଭିଲିଆନ ଦଳମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଟ୍ରୁପମାନଙ୍କୁ ଶିଲ୍ଡ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ମାନ୍ୟବର ମନ୍ତ୍ରୀ ପ୍ୟାରେଡ଼ ପଡ଼ିଆରେ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ପ୍ରିୟଦର୍ଶିନୀ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ଜନ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।ସ୍ୱାଧୀନତା ଦିବସ ଅବସରରେ ରୋଗୀ କଲ୍ୟାଣ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ କରାଯାଇଥିଲା । ନେହେରୁ ଯୁବ କେନ୍ଦ୍ର ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଅନୁରୂପ ଭାବେ ରୋଟାରୀ କ୍ଲବ ବାଲେଶ୍ୱର ତରଫରୁ ରାଣୀପାଟଣା ସ୍ଥିତ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଆୟୋଜନ ହୋଇଥିଲା ଓ ହ୍ୟାଣ୍ଡିକେପଡ ୱେଲଫେୟାର ଇନଷ୍ଟିଚୁ୍ୟଟରେ ଫଳ ଓ କେକ୍ ବଣ୍ଟନ କରାଯାଇଥିଲା । ଲାୟନ୍ସ କ୍ଲବ, ବାଲେଶ୍ୱର ପକ୍ଷରୁ ଜିଲ୍ଲା କାରାଗାରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ବାଲେଶ୍ୱର ପୌରପାଳିକା ତରଫରୁ ଉତ୍କଳ ବାଳାଶ୍ରମରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ବାଲେଶ୍ୱର ପୌରାଞ୍ଚଳରେ ରାମଧୂନ ପରିବେଷଣ କରାଯାଇଥିଲା । ସକାଳେ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନମାନଙ୍କରେ ପତାକା ଉତ୍ତୋଳନ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ୱର ପୌରାଞ୍ଚଳ ଅବସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଅପରାହ୍ନ ଘ୩ଟା ରେ ପରମିଟ ପଡ଼ିଆ ଠାରେ ନାଗରିକ ଏକାଦଶ ଓ ଜିଲ୍ଲା ପ୍ରଶାସନ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୁର୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନ ଘ.୪ଟା ସମୟରେ ଜିଲ୍ଲା ପ୍ରଶାସନରେ କାର୍ଯ୍ୟରତ ବିଭିନ୍ନ ମହିଳା ଅଧିକାରିଣୀ, ସାମ୍ବାଦିକା, ସମାଜସେବିକାମାନଙ୍କୁ ନେଇ ମ୍ୟୁଜିକ ଚେୟାର ପ୍ରତିଯୋଗିତା ହୋଇଥିଲା । ସନ୍ଧ୍ୟା ଘ. ୬ ଘଟିକା ସମୟରେ ଗାନ୍ଧୀସ୍ମୃତି ଭବନ ଠାରେ ସ୍କୁଲ ଓ କଲେଜ ସ୍ତରର ବିଭିନ୍ନ ପ୍ରତିଯୋଗିତାର କୄତ୍ତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ ସହ ମହିଳାମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତାର ବିଜୟିନୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ ଯୋଗଦାନ କରିଥିଲେ । ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଭାଗୀତା କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ଵିନୀ ରାଉତ। କାର୍ଯ୍ୟକ୍ରମ ପରିଚାଳନାରେ ପୁରୁଷୋତମ ସେଠୀ, ରାହୁଲ ସିଂ, ସତ୍ୟସାଗର ମଣ୍ଡଳ, କାର୍ତ୍ତିକ ବେହେରା, ମାଳତୀ କିସ୍କୁ, ସୁଚିସ୍ମିତା ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ