ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ବାଲେଶ୍ୱର,(ସରୋଜ ପଣ୍ଡା): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଶନିବାର ବାଲେଶ୍ୱର ସଦର ଓ ରେମୁଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ପ୍ରଥମେ ସେ ବାଲେଶ୍ୱର ସଦର ବିଧାନସଭା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତର ବାହାର୍ଦା ଓ ତେଲଡିହ ଗ୍ରାମ, ଏବଂ ପରୀଖି ପଞ୍ଚାୟତର ବୁଦ୍ଧିଗଡ଼ିଆ ଗ୍ରାମରେ ପହଞ୍ଚି ବନ୍ୟା ପ୍ରପୀଡ଼ିତଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ। ଏହାସହ ଚାଷଜମିର କ୍ଷୟକ୍ଷତିର ମଧ୍ୟ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ସଦର ବିଧାୟକ ମାନସ ଦତ୍ତ, ସଦର ବିଡିଓ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ରହି ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରିବା ସହ ପୀଡ଼ିତ ଲୋକଙ୍କ ପାଇଁ ଆବଶ୍ୟକ ରିଲିଫ୍ ଓ ସହାୟତା ବ୍ୟବସ୍ଥା ସୁନିଶ୍ଚିତ କରିବା ନେଇ ଆଲୋଚନା କରିଥିଲେ। ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ, ବନ୍ୟା ଦୁର୍ଦ୍ଦଶା ଭୋଗୁଥିବା ପ୍ରତ୍ୟେକ ପରିବାରଙ୍କୁ ଯଥାଶୀଘ୍ର ସରକାରୀ ସ୍ତରରେ ସମସ୍ତ ପ୍ରକାର ସହାୟତା ଓ ସହଯୋଗ ଯୋଗାଇ ଦିଆଯିବା ପାଇଁ ପଦକ୍ଷେପ ନିଆଯିବ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ