ରେମୁଣା ତରଫରୁ ଭୋଟର ସଚେତନତା ମହାଅଭିଯାନ ଅନୁଷ୍ଠିତ ହୋଇଯାଇଛି
ବାଲେଶ୍ବର, (ସରୋଜ ପଣ୍ଡା):ରବିବାର ଦିନ ୧୧ ଘଟିକା ସମୟରେ ନୂଆସାହି ଛକ ନିକଟସ୍ଥ ରୟାଲ କ୍ୱୀନ ମଣ୍ଡପରେ ଭାରତୀୟ ଜନତା ପାର୍ଟି ରେମୁଣା ତରଫରୁ ଏକ ବିଶାଳ ଭୋଟର ସଚେତନତା ମହାଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର,ସଦରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ,ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି,ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଉପସ୍ଥିତ ଥିଲେ। ସର୍ବପ୍ରଥମେ ବାଘାଯତୀନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା ଅତିଥି ପରିଚୟ କରିଥିଲେ। ଅତିଥି ପରିଚୟ ପରେ ସମସ୍ତେ ସାଙ୍ଗିକ ବନ୍ଦେ ମାତରଂ ଗାନ କରିଥିଲେ।ସର୍ବପ୍ରଥମେ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କେମିତି ପ୍ରତ୍ୟେକ ବୁଥରେ ନୂତନ ଭୋଟର ଯୁଡ଼ିବେ,ବୁଥ କେମିତି ମଜବୁତ୍ ହେବ , ଭ୍ରଷ୍ଟାଚାରରୁ ମୁକ୍ତି ପାଇଁ ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତ ଅଫିସ୍ ଘେରାଉ କରିବା ପାଇଁ ଆହ୍ବାନ ଦେବା ସହ ୨୦୪୭ ମସିହା ସୁଦ୍ଧା ଭାରତକୁ ବିଶ୍ୱର ଏକ ନମ୍ବର ଦେଶ ଭାବରେ ପରିଗଣିତ କରିବା ମୋଦୀ ଜୀଙ୍କ ଆହ୍ବାନକୁ ସୁଦୃଢ଼ କରିବା ପାଇଁ ସମସ୍ତଙ୍କୁ ଶପଥ ଗ୍ରହଣ କରାଇଲେ।ଏହି ବୈଠକରେ ସମସ୍ତ ନିର୍ବାଚିତ ପ୍ରତିନିଧି,ମଣ୍ଡଳ ସଭାପତି,ବୁଥ ସଭାପତି,ବୁଥ BLA ତଥା ସମସ୍ତ ଶକ୍ତିକେନ୍ଦ୍ର ପ୍ରମୁଖ,ସହପ୍ରମୁଖ ଏବଂ ଅନ୍ୟ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ସର୍ବଶେଷରେ କ୍ଷୀରଚୋରା ମଣ୍ଡଳ ସଭାପତି ମଳୟ କୁମାର ବିଶ୍ବାଳ ଧନ୍ୟବାଦ୍ ଅର୍ପଣ କରିଥିଲେ।


