ଷଡଙ୍ଗ ହରିଜନ ସାହି ରାସ୍ତା କାଦୁଅ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ହରିଜନ ସାହି ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ଏହି ସାହିରେ ୫୦ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ଗ୍ରାମର ଅନ୍ୟ ରାସ୍ତା ଗୁଡିକ କଂକ୍ରିଟ ରାସ୍ତା ହୋଇଥିବାବେଳେ ପୁର୍ବତନ ସରପଞ୍ଚଙ୍କ ଘର ନିକଟ ଦେଇ ଯାଇଥିବା ରାସ୍ତାଟି କାଦୁଅରେ ପରିପୁର୍ଣ୍ଣ ହୋଇ ଉଠିଛି । ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବା ସହିତ ପାଖରେ ଥିବା ଦୁଇଜଣଙ୍କ ଚାଳଘର ଭାଙ୍ଗି ଦେଲାଣି । ଏହି ସାହିର ଅଙ୍ଗନବାଡି ଛୁଆମାନେ ଯିବା ଆସିବା ପାଇଁ ନାନା ସମସ୍ୟା ଭୋଗ କରୁଥିବାବେଳେ ତାଙ୍କ ଅଭିଭାବକମାନେ ଆସି ସେମାନଙ୍କୁ ରାସ୍ତା ପାର କରାଉଛନ୍ତି । ସେହିପରି ସ୍କୁଲ ଛାତ୍ରଛାତ୍ରୀ ମାନେ ମଧ୍ୟ ପାଣିରେ ପସି ସ୍କୁଲକୁ ଯାଉଛନ୍ତି । ଏନେଇ ଗ୍ରାମବାସୀମାନେ ବାରମ୍ବାର ସରପଞ୍ଚଙ୍କୁ ଜଣାଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନି । ଏହାକୁନେଇ ଆଜି ଭାଗିରଥି ଜେନା, ମାନସ ଜେନା, ସନ୍ତୋଷ ଜେନା, ଦୁଃଶାସନ ଜେନା, ବଉଳ ଜେନା, କମ୍ରେଡ ମିନତୀ ଜେନା, ସ୍ୱାଧିନ ଜେନା, ବିଳାଶିନୀ ଜେନା, ବକ ଜେନା, ମାମି ଜେନା, ଅଭିମନୁ୍ୟ ଜେନ. କମଳ ଲୋଚନ ଜେନା ପ୍ରମୁଖ ଏହି ରାସ୍ତାରେ ଧାନ ତଳିରୋଇ ଏହାର ପ୍ରତିବାଦ କରିଛନ୍ତି । ତୁରନ୍ତ ଉଚ୍ଚ ରାସ୍ତା ନିର୍ମାଣ କରିବା ସହିତ ଜଳନିସ୍କାସନର ବ୍ୟବସ୍ଥା କରାଇବାକୁ ସେମାନେ ଦାବି କରିଛନ୍ତି ।


