ସାମାଜିକ ସଦ୍ଭାବନା ପକ୍ଷରୁ ଆଧ୍ୟାତ୍ମିକ ସଂଗଠନ ପ୍ରମୁଖ ସମ୍ମିଳନୀ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଳା ସାମାଜିକ ସଦ୍ଭାବନା ପକ୍ଷରୁ ଜିଲାସ୍ତରୀୟ ଆଧ୍ୟାତ୍ମିକ ସଂଗଠନ ପ୍ରମୁଖ ସମ୍ମିଳନୀ ଇଚ୍ଛାପୁର ରଥଦାଣ୍ଡ ସ୍ଥିତ ଶ୍ରୀବଳଦେବଜୀଉଙ୍କ ଯାତ୍ରୀନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ରାଷ୍ଟ୍ରବାଦୀ ପ୍ରବକ୍ତା ତଥା ସଂସ୍କୃତ ବିଦ୍ୱାନ ବିଦ୍ୟାଭୂଷଣ ଡ଼ ଗୌତମ ମହାରଣା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୀତିନିଷ୍ଠ ଓ ମୂଲ୍ୟବୋଧଭିତ୍ତିକ ସମାଜ ଜାଗରଣରେ ଆଧ୍ୟାତ୍ମିକ ସଂଗଠନ ମାନଙ୍କର ନେତୃତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ତେବେ ପରସ୍ପର ମଧ୍ୟରେ ସଦ୍ଭାବ ଓ ସୌହାର୍ଦ୍ଦ୍ୟ ରକ୍ଷା କରି ଗରୀମାମୟ ଭାରତବର୍ଷର ମୌଳିକ ସଂସ୍କୃତିର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ସମୟର ଆହ୍ୱାନ ବୋଲି ସେ ସୂଚାଇଥିଲେ। ପରିବାର ପ୍ରବୋଧନ, ସମରସ ସମାଜ, ପର୍ଯ୍ୟାବରଣ ସୁରକ୍ଷା, ନାଗରିକ ଶିଷ୍ଟାଚାର ଓ ସ୍ୱ’ର ଜାଗରଣ ପରି ପଞ୍ଚ ପରିବର୍ତ୍ତନକୁ ନିଜ ପରିବାରରେ ଆପଣେଇ ନେଲେ ହିଁ ସମାଜରେ ସୁଧାର ଆସିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଜିଲ୍ଳା ସଂଯୋଜକ ନିର୍ମଳ କୁମାର ସ୍ୱାଇଁ ଏଥିରେ ପୌରହିତ୍ୟ କରିଥିଲେ। କଟକ ବିଭାଗ ସହସଂଯୋଜକ ଇଂ ଅକ୍ଷୟ କୁମାର ପାଣି ଅନ୍ୟତମ ବକ୍ତାଭାବେ ଯୋଗଦେଇ ଋଷିନିର୍ମିତ ଭାରତୀୟ ସଂସ୍କୃତି, ପରମ୍ପରା, ଜୀବନ ଜିଇଁବାର କଳା କୌଶଳ ଆଧାରିତ ଶାସ୍ତ୍ର ଓ ବିଜ୍ଞାନ ସମଗ୍ର ବିଶ୍ୱକୁ ମାର୍ଗଦର୍ଶନ ଦେଇଆସିଛି ବୋଲି ବକ୍ତବ୍ୟରେ କହିଥିଲେ। କେନ୍ଦ୍ରାପଡ଼ା ନଗର ସଂଯୋଜକ ଅଶୋକ କୁମାର ସୁଆର ଅତିଥିବକ୍ତା ତଥା ଆଧ୍ୟତ୍ମିକ ସଂଗଠନ ସଦସ୍ୟମାନଙ୍କର ପରିଚୟ ଦେଇଥିଲେ। ଜିଲ୍ଳା ମାର୍ଗଦର୍ଶକ ଶିକ୍ଷାବିତ୍ ସୁକାନ୍ତ କୁମାର ତ୍ରୀପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିଲ୍ଳାର ବହୁ ପ୍ରମୁଖ ଆଧ୍ୟାତ୍ମିକ ସଙ୍ଗଠନ ପକ୍ଷରୁ ପ୍ରତିନିଧିମାନେ ଯୋଗଦେଇ ସମାଜ ଜାଗରଣରେ ସେମାନଙ୍କର ସାଂପ୍ରତିକ ଭୂମିକା ଉପରେ ଆଲୋକପାତ କରିଥିଲେ। ଦୁର୍ଗାମାଧବ ପଣ୍ଡିତା ବେଦପାଠ କରିଥିବା ବେଳେ ସୁଶ୍ରୀ ସାରଦା ମହାପାତ୍ର, ପ୍ରତ୍ୟୁଷା ଜେନା ଓ ସୌରଭ ମହାପାତ୍ର ଭାରତମାତାଙ୍କ ଆରତୀ ଗାନ କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟୁତ୍ ଖୁଣ୍ଟିଆ, ହିମାଂଶୁ ଶେଖର ଦାସ, ଅକ୍ଷୟ ସେନାପତି, ଶିବ ପ୍ରାସାଦ ପାଣି, ରଞ୍ଜନ କୁମାର, ସଚ୍ଚିଦାନନ୍ଦ ବେହେରା, ବ୍ରହ୍ମାନନ୍ଦ ମହାକୁଡ଼, ରାଜକିଶୋର ନାୟକ, ବିଶ୍ୱନାଥ ସାମନ୍ତ, ମନୋଜ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ।


