୩୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆର୍ଆଇ ଓ ଏଆର୍ଆଇ
କଟକ, (ଓ୍ବାଇଏନଏସ): ଏକ ଚାଷ ଜମିର ଘରବାରି କିସମ ପରିବର୍ତନ ପାଇଁ ଆବେଦନକାରୀଙ୍କ ଠାରୁ ୩୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ପିପିଲି ତହସିଲ ଅଧୀନ ସିଉଳା ରାଜସ୍ୱ ନିରୀକ୍ଷକ କଲ୍ୟାଣୀ ଜେନା ଓ ସହ ରାଜସ୍ୱ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା ରଙ୍ଗେହାତ ଧରାପଡ଼ିଛନ୍ତି। ଭିଜିଲାନ୍ସ ବିଭାଗ ଠାରୁ ମିଳିଥିବା ସୂଚନାନୁସାରେ, ଧଉଳି ଅଞ୍ଚଳର ରଶ୍ମି ରଞ୍ଜନ ପଣ୍ଡା ନିଜ ଚାଷ ଜମିର ଘରବାରି କିସମ ପରିବର୍ତ୍ତନ ପାଇଁ ଅନ୍ଲାଇନ୍ ଆବେଦନ କରିଥିଲେ। ନଜର ଆବେଦନର ଅଗ୍ରଗତି ସମ୍ପର୍କରେ ସେ ଉଭୟ ଏଆର୍ଆଇ ଓ ଆର୍ଆଇଙ୍କୁ ସାକ୍ଷାତ କରିଥିଲେ। ତେବେ ଏଥିପାଇଁ ସେମାନେ ୩୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଅଭିଯୋଗକାରି ଶ୍ରୀ ପଣ୍ଡା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଭିତ୍ତିରେ ଦୁର୍ନୀତି ନିବାରଣ ଆଇନର ଧାରା ୭ରେ ୨୦/୫-୯-୨୦୨୬ରେ ମାମଲା ରୁଜୁ କରିଥିଲା। ଯୋଜନା ଅନୁସାରେ ଶ୍ରୀ ପଣ୍ଡା ୩୫ ହଜାର ଟଙ୍କା ଦେବାବେଳେ ପୂର୍ବରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ ଦୁହିଁଙ୍କୁ କାବୁ କରି ନେଇଥିଲା । ଅନ୍ୟପକ୍ଷରେ ରାଜସ୍ୱ ନିରୀକ୍ଷକ ଶ୍ରୀମତୀ ଜେନାଙ୍କର ବ୍ରହ୍ମକୁମୁଡ଼, ଅଚ୍ୟୁତପୁର, ଚନ୍ଦନପୁର, ଭୁବନେଶ୍ୱରର ରସୁଲଗଡ଼ ଘର ଉପରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଏନେଇ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ୨୦/୨୬ରେ ୭ପିସି ଆମେଣ୍ଡମେଣ୍ଡ ୨୦୧୮ ଅନୁସାରେ ଏକ ମାମଲା ରୁଜୁ ହୋଇଛି।


