ସବୁଜ ହେବ ରେଭେନ୍ସା ବିଶ୍ବବିଦ୍ୟାଳୟ: ପ୍ରତି ଶନିବାର କ୍ୟାମ୍ପସ ଭିତରେ ଯାନବାହନ ଚଳାଚଳ ଉପରେ କଟକଣା
କଟକ, (ଓ୍ବାଇଏନଏସ): ପରିବେଶ ସୁରକ୍ଷା କୁ ନେଇ ଆଗକୁ ଆସିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ। କେବଳ ପାଠପଢ଼ା ନୁହେଁ, କ୍ୟାମ୍ପସକୁ ପରିବେଶ ଅନୁକୂଳ କରିବାକୁ ନିଆଯାଉଛି ଏକାଧିକ ବଡ଼ ପଦକ୍ଷେପ। ଉଭୟ କ୍ୟାମ୍ପସରେ ସୋଲାର୍ ପ୍ୟାନେଲ୍, ବର୍ଷାଜଳ ସଂରକ୍ଷଣ, ଅଧିକ ବୃକ୍ଷରୋପଣ, ଇ-ରିକ୍ସାର ବ୍ୟବହାର ବଢ଼ାଇବା ସହ ପ୍ରତି ଶନିବାର କ୍ୟାମ୍ପସରେ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯିବ। କିଛି ଏଭଳି ଯୋଜନା ସହ ସବୁଜ କ୍ୟାମ୍ପସ ଦିଗରେ ଆଗକୁ ବଢ଼ୁଛି ବିଶ୍ୱବିଦ୍ୟାଳୟ। ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଭୟ କ୍ୟାମ୍ପସକୁ ସବୁଜ କ୍ୟାମ୍ପସରେ ପରିଣତ କରିବାକୁ ଗୁରୁତ୍ୱ ଦିଆଯାଉଛି। ପ୍ରତିବର୍ଷ ବୃକ୍ଷରୋପଣ କରାଯିବା ସହ ସବୁଜ ଶକ୍ତିର ଉତ୍ସକୁ ଅଧିକ ପ୍ରୋତ୍ସାହନ ଦିଆଯିବ।ଏହାସହ ଉଭୟ କ୍ୟାମ୍ପସରେ ସବୁଜ କରିଡର୍ ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱ ରହିଛି। ଏପରି ପଦକ୍ଷେପ ନେଉଥିବା ଓଡ଼ିଶାର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ରେଭେନ୍ସା ଆଗକୁ ବଢ଼ିବାକୁ ଯୋଜନା କରୁଛି। ସବୁଜ ଶକ୍ତିକୁ ଗୁରୁତ୍ୱ ଦେଇ ଉଭୟ କ୍ୟାମ୍ପସରେ ସୋଲାର୍ ପ୍ୟାନେଲ୍ ଲଗାଯିବ। କେବଳ ନିର୍ଦ୍ଦିଷ୍ଟ ସ୍ଥାନ ନୁହେଁ, ପ୍ରତ୍ୟେକ ବିଭାଗରେ ମଧ୍ୟ ସୋଲାର୍ ପ୍ୟାନେଲ୍ ଲଗାଇବାକୁ ଯୋଜନା ରହିଛି। ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ ୫୫ କିଲୋୱାଟ୍ କ୍ଷମତାର ସୋଲାର୍ ପ୍ୟାନେଲ୍ ଲାଗିଛି। ଆଗାମୀ ଦିନରେ ଅଧିକ ସ୍ଥାନରେ ଏହି ବ୍ୟବସ୍ଥା କରାଯିବ। ଏହା ଦ୍ୱାରା ପରିବେଶ ସୁରକ୍ଷା ସହ ବିଶ୍ୱବିଦ୍ୟାଳୟର ବିଦ୍ୟୁତ ଖର୍ଚ୍ଚ ମଧ୍ୟ କମାଇବାର ଲକ୍ଷ୍ୟ ରହିଛି। ବର୍ତ୍ତମାନ ବିଶ୍ୱବିଦ୍ୟାଳୟର ବାର୍ଷିକ ବିଦ୍ୟୁତ ବିଲ୍ ୩ କୋଟି ଟଙ୍କାରୁ ଅଧିକ ଆସୁଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅର୍କ କେଶରୀ ଦାସ ମହାପାତ୍ରଙ୍କ କହିବା ଅନୁସାରେ, ଉଭୟ କ୍ୟାମ୍ପସକୁ ସବୁଜ କ୍ୟାମ୍ପସ କରିବା ପାଇଁ ଏହି ସବୁ ପଦକ୍ଷେପ ନିଆଯାଉଛି। ସବୁଜ କ୍ୟାମ୍ପସ ଯୋଜନାର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ପ୍ରତି ଶନିବାର କ୍ୟାମ୍ପସ ଭିତରେ ଯାନବାହନ ଚଳାଚଳ ଉପରେ କଟକଣା। ଅର୍ଥାତ୍, ଶନିବାର କ୍ୟାମ୍ପସ ଭିତରେ ସାଧାରଣ ଯାନବାହନ ଚଳାଚଳ କରିବ ନାହିଁ। ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ଅନ୍ୟମାନେ କ୍ୟାମ୍ପସ ଭିତରେ ଚାଲି ଚାଲି ଯାତାୟାତ କରିବେ।ଯେଉଁମାନେ ଗାଡ଼ି ନେଇ କ୍ୟାମ୍ପସକୁ ଆସିବେ, ସେମାନଙ୍କୁ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନରେ ଗାଡ଼ି ରଖିବାକୁ କୁହାଯିବ। ତେବେ ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ଇ-ରିକ୍ସାର ବ୍ୟବହାରକୁ ଅନୁମତି ମିଳିବ।ବର୍ତ୍ତମାନ ରେଭେନ୍ସା କ୍ୟାମ୍ପସରେ ୬ଟି ଇ-ରିକ୍ସା ଚାଲୁଛି। ଆଗାମୀ ଦିନରେ ଏହାର ସଂଖ୍ୟା ବଢ଼ାଯିବ। ବିଶେଷକରି ବୟସ୍କ ଓ ଦିବ୍ୟାଙ୍ଗଙ୍କ ଯାତାୟାତରେ ଏହା ସହାୟକ ହେବ। କେବଳ ସୋଲାର୍ ଶକ୍ତି କିମ୍ବା ଯାନବାହନ ନିୟନ୍ତ୍ରଣ ନୁହେଁ, ବର୍ଷାଜଳ ସଂରକ୍ଷଣ ପାଇଁ ମଧ୍ୟ ବିଶ୍ୱବିଦ୍ୟାଳୟ ପଦକ୍ଷେପ ନେବ। ବର୍ଷା ସମୟରେ ମିଳୁଥିବା ଜଳକୁ ସଂରକ୍ଷଣ କରି ଏହାର ଉପଯୋଗ କରିବା ଦିଗରେ ବ୍ୟବସ୍ଥା କରାଯିବ। ଏହା ଜଳ ସଂରକ୍ଷଣ ସହ ପରିବେଶ ସୁରକ୍ଷାରେ ମଧ୍ୟ ସହାୟକ ହେବ। ସେହିପରି କ୍ୟାମ୍ପସର ବିଭିନ୍ନ ବିଲ୍ଡିଂରେ ଅନାବଶ୍ୟକ ବିଦ୍ୟୁତ ବ୍ୟବହାର ନ କରିବା ପାଇଁ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ସମସ୍ତ ଶ୍ରେଣୀଗୃହରେ ଏନେଇ ସଚେତନତା ପୋଷ୍ଟର ଲଗାଯାଇଛି। ଆବଶ୍ୟକ ନଥିଲେ ଲାଇଟ୍ ଓ ଫ୍ୟାନ୍ର ସୁଇଚ୍ ଅଫ୍ କରିବାକୁ ପୋଷ୍ଟର ମାଧ୍ୟମରେ ବାର୍ତ୍ତା ଦିଆଯାଉଛି।ଏହାସହ ଦିନ ସମୟରେ ଶ୍ରେଣୀଗୃହରେ କୃତ୍ରିମ ଆଲୋକର ଆବଶ୍ୟକତା କମାଇବାକୁ କବାଟ ଓ ଝରକାରେ କାଚ ବ୍ୟବହାର କରାଯିବ। ନୂଆ କ୍ୟାମ୍ପସରେ ଏହି ସମସ୍ୟା ନଥିବାବେଳେ ପୁରୁଣା କ୍ୟାମ୍ପସର ବହୁ ବର୍ଷ ପୁରୁଣା କୋଠା ହୋଇଥିବାରୁ ସେଠାରେ କବାଟ ଓ ଝରକା ପରିବର୍ତ୍ତନ କରାଯିବ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପକୁ ଛାତ୍ରଛାତ୍ରୀମାନେ ମଧ୍ୟ ସ୍ୱାଗତ କରିଛନ୍ତି। ରେଭେନ୍ସାର ଏହି ପଦକ୍ଷେପ କେବଳ ଏକ କ୍ୟାମ୍ପସକୁ ସବୁଜ କରିବାର ଯୋଜନା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ପରିବେଶ ସଚେତନତାର ଏକ ବଡ଼ ବାର୍ତ୍ତା ସମାଜ ପାଖରେ ପହଞ୍ଚାଇବାର ପ୍ରୟାସ। ସୋଲାର୍ ଶକ୍ତି, ବର୍ଷାଜଳ ସଂରକ୍ଷଣ, ବୃକ୍ଷରୋପଣ, ଇ-ରିକ୍ସା ଓ ‘ନୋ ଭେହିକଲ୍ ଶନିବାର’, ଏସବୁ ପଦକ୍ଷେପ ଯଦି ଯୋଜନାବଦ୍ଧ ଭାବେ କାର୍ୟ୍ୟକାରୀ ହୁଏ, ତେବେ ରେଭେନ୍ସା କ୍ୟାମ୍ପସ ଶିକ୍ଷା ସହ ପରିବେଶ ସୁରକ୍ଷାର ମଧ୍ୟ ଏକ ଉଦାହରଣ ହୋଇପାରିବ।


