ଫକୀରମୋହନ ମେଡିକାଲ୍ କଲେଜର ପ୍ରତିଷ୍ଠା ଦିବସ ପାଳନ
ବାଲେଶ୍ୱର, (ସରୋଜ ପଣ୍ଡା):ଫକୀରମୋହନ ମେଡିକାଲ କଲେଜ୍ର ପ୍ରତିଷ୍ଠା ଦିବସ ଉତ୍ସବ ରବିବାର ଦିନ ଅପରାହ୍ନରେ ରେମୁଣାସ୍ଥିତ ମେଡିକାଲ୍ କଲେଜ୍ ଫାଟକ ସମ୍ମୁଖରେ ପାଳିତ ହୋଇଯାଇଛି । ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ନିରଞ୍ଜନ ପରିଡ଼ା ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ପରିଷଦର ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ଭୁବନେଶ୍ୱର କମିଟିର ସଭାପତି ତଥା କୃଷି ବୈଜ୍ଞାନିକ ଡ. ଅଦ୍ୱୈତ କୁମାର ପାତ୍ର, ପୂର୍ବତନ ସଭାପତି ମମତା ମହାପାତ୍ର, ଜଳେଶ୍ୱର ଅଞ୍ଚଳ କମିଟିର ସଂଯୋଜକ ଦିଲ୍ଲୀପ ଗିରି ପ୍ରମୁଖ ଅତିଥି ଓ ବକ୍ତାଭାବେ ଯୋଗଦେଇ ଗତ ୨୦୦୫ ମସିହାରେ ଗଠିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାଲେଶ୍ୱରରେ ସରକାରୀ ମେଡିକାଲ୍ କଲେଜ୍ ଓ ଅତ୍ୟାଧୁନିକ ହସପିଟାଲ୍ ପ୍ରତିଷ୍ଠା ଦାବି ଓ ଦୀର୍ଘ ସଂଗ୍ରାମର ସ୍ମୃତିଚାରଣ କରିଥିଲେ । ସାଧାରଣ ସଂପାଦକ ପ୍ରଦୀପ ଦାସ ଉପସ୍ଥିତମାନଙ୍କୁ ସ୍ୱାଗତ ଜଣାଇଥିଲେ । ଗତ ୨୦୧୮ ମସିହା ସେପ୍ଟେମ୍ବର ୩ ତାରିଖ ଦିନ ମେଡିକାଲ୍ କଲେଜରେ ଡାକ୍ତରୀ ଶିକ୍ଷାରମ୍ଭ ଦିବସକୁ ସ୍ମରଣୀୟ କରିବାପାଇଁ ପ୍ରତିବର୍ଷ ମେଡିକାଲ୍ କଲେଜ ପରିସରରେ ଏହି ଉତ୍ସବ ପାଳନ ହେଉଥିଲେ ମଧ୍ୟ ଚଳିତବର୍ଷ ନୂତନ ପ୍ରିନ୍ସିପାଲ୍-ଡିନ୍ ଉକ୍ତ ଉତ୍ସବ ପାଳନ ପାଇଁ ମେଡିକାଲ୍ କଲେଜ ପରିସରରେ ଅନୁମତି ନଦେବାରୁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଫାଟକ ସମ୍ମୁଖରେ ଏହି ପାରଂପରିକ ଉତ୍ସବ ପାଳନ ପାଇଁ ବାଧ୍ୟ ହୋଇଛି ବୋଲି କ୍ଷୋଭର ସହ ଶ୍ରୀ ଦାସ ପ୍ରକାଶ କରିଥିଲେ । ମେଡିକାଲ୍ କଲେଜ୍ କର୍ତ୍ତୃପକ୍ଷଙ୍କ ଏତାଦୃଶ ଆଚରଣକୁ ଅତିଥି ଓ ବକ୍ତାମାନେ ନିନ୍ଦା କରିଥିଲେ । ଏହା ଏକ ଉଦ୍ବେଗର ବିଷୟ ବୋଲି ସେମାନେ ମତ ଦେଇଥିଲେ ।କ୍ରିୟାନୁଷ୍ଠାନ କମିଟିର ବରିଷ୍ଠ କର୍ମକର୍ତ୍ତା ସର୍ବଶ୍ରୀ କୁମୁଦ ରଞ୍ଜନ ଗିରି, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଅଜିତ୍ କୁମାର ମହାନ୍ତି, ସରସ୍ୱତୀ ପଣ୍ଡା, ଗିରିଶ ଚନ୍ଦ୍ର ଦତ୍ତ, ତରୁଣ କୁମାର ଦାସ ପ୍ରମୁଖ ମେଡିକାଲ କଲେଜ୍ ପ୍ରତିଷ୍ଠାରେ କ୍ରିୟାନୁଷ୍ଠାନ କମିଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଦ୍ୟାବଧି ଜନମାନସରେ ସ୍ମରଣୀୟ ହୋଇ ରହିଛି ବୋଲି ମତ ଦେଇଥିଲେ । ଫକୀରମୋହନ ମେଡିକାଲ କଲେଜକୁ ସ୍ୱୟଂସଂପୂର୍ଣ୍ଣ କରିବା ଦିଗରେ ଏବେବି କ୍ରିୟାନୁଷ୍ଠାନ କମିଟି ଉଦ୍ୟମ ଅବ୍ୟାହତ ରଖିଛି ବୋଲି ସେମାନେ କହିଥିଲେ । ସଭାକାର୍ଯ୍ୟ ଆରମ୍ଭରେ ଅତିଥିମାନେ ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଡ. କ୍ଷିତୀଶ୍ୱର ଦାଶ ବେଦପାଠ କରିଥିଲେ । ଜନସଂପର୍କ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ମଞ୍ଚ ଆହ୍ୱାନ କରି ଆସନ୍ତା ୫ ତାରିଖ ଦିନ କ୍ରିୟାନୁଷ୍ଠାନ କମିଟିର ପ୍ରେରଣା ଦିବସ ଓ ଏହି ଅବସରରେ ରକ୍ତଦାନ ଶିବିରକୁ ସଫଳ କରିବାକୁ ନିବେଦନ କରିଥିଲେ । ପ୍ରମିତା ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶ୍ୟାମସୁନ୍ଦର ଜେନା, ଯୋଗେନ୍ଦ୍ର ମାହାର୍ଣ୍ଣା, ଦୁଷ୍ମନ୍ତ କୁମାର ଦାସ, କ୍ରିଷ୍ଣା ସାହା ଓ ଜଗତାନନ୍ଦ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରତିକୂଳ ପାଗସତ୍ତ୍ୱେ ଶତାଧିକ ସଦସ୍ୟ, ସଦସ୍ୟା ଉତ୍ସବରେ ଉପସ୍ଥିତ ଥିଲେ ।


