ବାଲିଗୁଡାରେ ଲାଗିରହିଛି ବର୍ଷା, ଧାନଚାଷ ପ୍ରଭାବିତ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଓ ଏହାର ଆଖ ପାଖ ଅଞ୍ଚଳରେ ପୁଣି ମଙ୍ଗଳବାର ସନ୍ଧ୍ୟାରୁ ଝଡ଼ିବର୍ଷା ଲାଗିରହିଛି। ଏହି ଲଗାଣ ବର୍ଷା ଯୋଗୁ ହାତ ବାନ୍ଧି ବସିଛନ୍ତି ବିଭିନ୍ନ ବ୍ୟବସାୟୀ। ଲୋକେ ପଦାକୁ ବାହାରି ପାରୁନାହାନ୍ତି। ଯାହା ଫଳରେ ବେପାର ବଣିଜ ପୁରା ଠପ୍ ହୋଇଯାଇଛି। ଏହି ଭଳି ବର୍ଷା ଯଦି ଆଉ ତିନି ଚାରି ଦିନ ଲାଗି ରହେ ତା’ହେଲେ ଧାନଚାଷ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ବାଲିଗୁଡା ନିକଟସ୍ଥ ଡେଲାରପଦାର ଚାଷୀ ଦୁରା ପ୍ରଧାନ କହିଛନ୍ତି। ବର୍ଷାଜଳ ଚାଷଜମିରେ ଜମି ରହି ଧାନ ଗଛ ପାଚି ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। କିଛି ଚାଷୀ ଧାନଗଛ ବଢ଼ିବା ପାଇଁ ସାର ପିଡିଆ ପକାଇଥିଲେ ଜମିରେ। ତାହା ଅତ୍ୟଧିକ ବର୍ଷା ପାଣିରେ ଭାସି ଯାଇଥିବା ବିଷୟ ମିଡ଼ିଆକିଆ ଗ୍ରାମର ଚାଷୀ ନକୁଳ ମଳିକ କହିଛନ୍ତି।ଏଥିସହ ମୂଷଳ ଧାରାରେ ହେଉଥିବା ବର୍ଷା ଯୋଗୁ ସହରର ବିଭିନ୍ନ ସାହିରେ ମହାଆଡ଼ମ୍ବରରେ ପାଳିତ ହେଉଥିବା ଗଣେଶ ପୂଜା ମଧ୍ୟ ସମ୍ପୂର୍ଣ୍ଣ ଫିକା ପଡ଼ିଯାଇଛି ।


