ରୋଟାରୀ ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଭୁବନେଶ୍ୱରସ୍ଥିତ ରେଲ୍ୱେ ଷ୍ଟାଡ଼ିୟମରେ ରୋଟାରୀ ପ୍ରିମିୟମ ଲିଗ୍ ଆୟୋଜିତ ହୋଇଯାଇଅଛି । ପୂର୍ବାହ୍ନରେ ଆୟୋଜିତ ଏହି ଦିବସ ବ୍ୟାପୀ ମ୍ୟାଚ୍କୁ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନା ଧାବିକା ଦୂତୀ ଚାନ୍ଦ, ରୋଟାରୀ ଡ଼ିଜି ଦେବାଶିଷ ମିଶ୍ର, କେନ୍ଦ୍ରୀ ରାଜସ୍ୱ ଆୟୁକ୍ତ ଅନିଲ୍ ସାମଲ, ମିଡ଼ିଆ ସେଲ୍ ଚେୟାର ବିଭୂତି ଭୂଷଣ କର, ପିଡ଼ିଜି ରବି ନନ୍ଦ, ମ୍ୟାଚ୍ ଉପଦେଷ୍ଟା ସଞ୍ଜୟ ଚୌଧୁରୀ, ଆଇପିପି ପ୍ରଦୀପ ଦାସ, ଡ଼ିଏସ୍ଜି ପ୍ରସନ୍ନ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ । ଏଥିରେ ରୋଟାରୀ ଜିଲ୍ଲା ୩୨୬୨ ଅନ୍ତର୍ଗତ ଭୁବନେଶ୍ୱର, ବାଲେଶ୍ୱର, ପୁରୀ ଓ କଟକ ଜୋନର ଟିମ୍ ଭାଗ ନେଇଥିଲେ । ପ୍ରଥମ ରାଉଣ୍ଡରେ ପୁରୀ ଜୋନ୍ କଟକ ଜୋନକକୁ ୯ ୱିକେଟରେ ହରାଇଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ବାଲେଶ୍ୱର ଜୋନ୍ ନିର୍ଦ୍ଧାରିତ ୧୦ ଓଭରରେ ମାତ୍ର ୧ ୱିକେଟ ବିନିମୟରେ ୮୦ ରନ ସଂଗ୍ରହ କରି ଭୁବନେଶ୍ୱର ଜୋନ୍କୁ ୯ ୱିକେଟରେ ପରାସ୍ତ କରିଥିଲା । ଦ୍ୱିତୀୟ ରନର୍ସ ଅପ ପାଇଁ ସଂଗଠିତ ମ୍ୟାଚରେ ଭୁବନେଶ୍ୱର ଜୋନ୍ ୩ ୱିକେଟ ବିନିମୟରେ ୬୯ ରନ୍ ସଂଗ୍ରହ କରିଥିଲା ବେଳେ ନିର୍ଦ୍ଧାରିତ ୬ ଓଭରରେ ପୁରୀ ଜୋନ୍ ୪ ୱିକେଟ ବିନିମୟରେ ୩୩ ରନ୍ କରି ପରାଜୟ ବରଣ କରିଥିଲା । ଶେଷରେ ବାଲେଶ୍ୱର ଓ କଟକ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ବାଲେଶ୍ୱର ଜୋନ୍ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୬୭ ରନ୍ କରିଥିଲା ବେଳେ କଟକ ଜୋନ୍ ନିର୍ଦ୍ଧାରିତ ୧୦ ଓଭରରେ ୩ ୱିକେଟ ହରାଇ ୬୮ ରନ୍ ସଂଗ୍ରହ କରି ଚମ୍ପିୟାନ ହୋଇଥିଲା । ସମ୍ପୃକ୍ତ ଲିଗ୍ ମ୍ୟାଚ୍କୁ ଆୟୋଜନ କରିବାରେ ସମାଜସେବୀ ରୋଟାରୀୟାନ ଅର୍ଜୁନ ସାହୁ ପ୍ରମୁଖ ଭୂମିକା ନିର୍ବାହ କରିଥିବା ବେଳେ ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢୀ ଯୋଗ ଦେଇ ବିଜୟୀ କ୍ଲବ କଟକ ଜୋନ୍କୁ ଚମ୍ପିୟାନ ଟ୍ରଫି ଓ ବାଲେଶ୍ୱର ଜୋନ୍କୁ ପ୍ରଥମ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜୋନ୍କୁ ଦ୍ୱିତୀୟ ରନର୍ସ ଅପ ଟ୍ରଫି, ପ୍ରଥମ ମ୍ୟାଚ ଅଫ୍ ଦି ମ୍ୟାଚ ରଶ୍ମୀରଞ୍ଜନ ଦାସ, ଦ୍ୱିତୀୟ ମ୍ୟାନ୍ ଅଫ ଦି ମ୍ୟାଚ୍ ସବ୍ୟସାଚୀ ଦାସ, ତୃତୀୟ ମ୍ୟାନ୍ ଅଫ ଦି ମ୍ୟାଚ୍ ଅର୍ଜୁନ କୁମାର ସାହୁ, ବେଷ୍ଟ ବ୍ୟାଟ୍ସ ମ୍ୟାନ ଭାବେ ସବ୍ୟସାଚୀ ଦାସ, ବେଷ୍ଟ ବୋଲର ଭାବେ ନେତ୍ରାନନ୍ଦ ପରିଡ଼ାଙ୍କୁ ସିଲ୍ ଓ କପ୍ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମରେନ୍ଦ୍ର ପରିଜା, ରୟାଲ କ୍ଲବ ପ୍ରତିଷ୍ଠାତା ସଭାପତି ଦେବବ୍ରତ ପଟ୍ଟନାୟକ, ଆଜାଦହିନ୍ଦ ପାଣିଗ୍ରାହୀ, ଆଶିଷ ପରିଡ଼ା ପ୍ରମୁଖ ମ୍ୟାଚ୍ ପରିଚାଳନା କରିଥିଲେ ।