ମଞ୍ଚା ରେ ଉଜାଗର ରହି ଜଗୁଛନ୍ତି ଚାଷୀ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ବିଭିନ୍ନ ସ୍ଥାନରେ ଏବେ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ ଚାଷୀ ଙ୍କ ଆଖିରୁ ନିଦ ହଜାଇ ଦେଇଛି।ଦିନରେ ମାଙ୍କଡ,ରାତିରେ ହରିଣ ଓ ବାରହା ମାନେ ସଙ୍ଗବଦ୍ଧ ହୋଇଆସି ଧାନ, ପନିପରିବା ଚାଷ ଖାଇଥିବା ସହ ବ୍ୟାପକ କ୍ଷତି ଘଟାଉଛନ୍ତି।ରାସ୍ତାଘାଟରେ ମାଙ୍କଡଦଳ ରାଜ କରୁଥିଲାବେଳେ ବାଡ଼ିବଗିଚାରେ ପଶି ଫଳ ,ପନିପରିବା ନଷ୍ଟ କରୁଛନ୍ତି।ଉପକୂଳ ଜଙ୍ଗଲରେ ହରିଣ ଓ ବାରହା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେମାନଙ୍କ ପାଇଁ ଯଥେଷ୍ଟ ପରିମାଣ ର ଖାଦ୍ୟ ମିଳୁନଥିବାରୁ ସେମାନେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇ ଫସଲ ନଷ୍ଟ କରୁଛନ୍ତି । ଢିପ ଜମିରେ କିଛି କିଷମର ଧାନ ପାଚି ଅମଳ ଅପେକ୍ଷାରେ ଥିଲା ବେଳେ ସମୁଦ୍ର ନିକଟବର୍ତ୍ତୀ ଜଙ୍ଗଲରେ ବାସ କରୁଥିବା ହରିଣ ପଲ୍ଲ ରାତିରେ ଆସି ପାଚିଲା ଧାନ କିଆରୀକୁ ନଷ୍ଟ କରୁଛନ୍ତି। ଅସ୍ତରଙ୍ଗ ବ୍ଲକ ର ସହନ,ମାଣ୍ଡୁକି,କେନ୍ଦ୍ରାପାଟି,ମାଳଦା ପ୍ରଭୃତି ଗାଁ ଗଣ୍ଡାକୁ ରାତିରେ ହରିଣ ଓ ବାରହା ପଲ୍ଲ ପ୍ରବେଶ କରି ବିଲ ବାଡିରେ ଥିବା ବେଣାମୂଳ, ବିଭିନ୍ନ ପ୍ରକାର ଗଛ ମୂଳ, ସାରୁ ଓ ପନିପରିବା ଖାଇବା ପାଇଁ ମାଟି ଖୋଳିପକାଉଛନ୍ତି। ଏପରିକି ଜଙ୍ଗଲ ଠାରୁ ବହୁ ଦୂରରେ ଥିବା ନଈଗୁଆଁ ପଞ୍ଚାୟତର ବିନାୟକପୁର ଓ ଖଣ୍ଡାସାହି ବିଲ ଗହୀରକୁ ବି ଏମାନେ ପ୍ରବେଶ କରି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଦିନବେଳା ଏମାନଙ୍କ ଦେଖା ମିଳୁନଥିବାବେଳେ ରାତିରେ ଏମାନେ ଦଳବଦ୍ଧ ଭାବେ ଆସୁଛନ୍ତି ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି। ଜଙ୍ଗଲୀ ଜନ୍ତୁ ଙ୍କ ଆସିବା ଦେଖି ଲୋକେ ଭୟଭିତ ହେବା ସହିତ ଘଉଡାଇବା ପାଇଁ ବାଣ ଫୁଟାଉଛନ୍ତି। କିନ୍ତୁ କୌଣସି ସୁଫଳ ମିଳୁନାହିଁ। ବାଧ୍ୟହୋଇ ଚାଷୀ ମାନେ ରାତିରେ ବିଲରେ ମଞ୍ଚା,ପଲା କରି ରହିବା ସହିତ ନିଆଁ ହୁଳା ଓ ଟିଣ, ଘଣ୍ଟ ବାଡେଇ ଏମାନଙ୍କୁ ଘଉଡାଉଛନ୍ତି। ବନବିଭାଗ ଏ ଦିଗରେ ତତ୍ପର ହୋଇ ବିହିତ ପଦକ୍ଷେପ ନେବାକୁ ଚାଷୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ