ଯୁଦ୍ଧ ତୁରନ୍ତ ବନ୍ଦ ହେଉ
ଏଥିରେ ବୋଧହୁଏ କେହି ଅସହମତ ହେବେ ନାହିଁ ଯେ, ଚଳିତ ଶତାବ୍ଦୀରେ ବିଶ୍ୱ ଏବେ ଯୁଦ୍ଧ ମଧ୍ୟକୁ ଠେଲିି ହୋଇଯାଇଛି । ନିଜର ସ୍ୱାଧୀନତା, ସାର୍ବଭୌମତ୍ୱ ରକ୍ଷା ଲାଗି ରୁଷ-ୟୁକ୍ରେନ ଯୁଦ୍ଧ ଏବେ ଦେଢ ବର୍ଷ ଅତିକ୍ରମ କରିଛି । ଯୁଦ୍ଧର ଅବସାନ କେବେ ଘଟିବ, ତାହା ଆକଳନ କରିବା ମୁସ୍କୁଲି ଏଇଥିପାଇଁ ଯେ, ନାଟୋ ମେଂଟର ଅସ୍ତ୍ରଶସ୍ତ୍ର ଓ ଆର୍ଥୀକ ସହାୟତାରେ ୟୁକ୍ରେନ ନିଜର ସାର୍ବଭୌମତ୍ୱ ରକ୍ଷା କରିବାକୁ ସଂକଳ୍ପ ନେଇ ଯୁଦ୍ଧ ଜାରି ରଖିଛି । ସେହିପରି ଏକଦା ବିଶ୍ୱର ବୃହତ ଶକ୍ତି ଭାବେ ପରିଚିତ ଥିବା ରୁଷ ଆଣବିକ ଯୁଦ୍ଧ ପାଇଁ ବାରମ୍ବାର ଧମକ ଦେଇଛି । ଯୁକ୍ରେନକୁ ସପ୍ତାହକ ମଧ୍ୟରେ ପରାସ୍ତ କରିବା ନେଇ ଆକଳନ କରିଥିବା ରୁଷ ନିଜର ପରାଜୟକୁ ସ୍ୱୀକାର ନକରି ଆଣବିକ ଶକ୍ତିର ବଡିମା ଦେଖାଇ ଯୁଦ୍ଧ ଜାରି ରଖିଛି । ରୁଷ-ୟୁକ୍ରେନ ଯୁଦ୍ଧ ବିଶ୍ୱକୁ ସଂକଟ ମଧ୍ୟକୁ ଠେଲି ଦେଇଥିବାବେଳେ ଏବେ ଇସ୍ରାଏଲ-ହମାସ ମଧ୍ୟରେ ଲଢେଇ କେବଳ ସଂକଟକୁ ଦ୍ୱିଗୁଣିତ କରିନାହିଁ, ବିଶ୍ୱକୁ ଜାତିଆଣ ଯୁଦ୍ଧ ମଧ୍ୟକୁ ଠେଲି ଦେଇଛି । ଯୁଦ୍ଧ ଇହୁଦି-ମୁସଲିମ ଲଢେଇରେ ପରିଣତ ହୋଇଛି । କହିବା ବାହୁଲ୍ୟ ଯେ, ଆମେରିକା, ବ୍ରିଟେନ ସମେତ ସମସ୍ତ ଖ୍ରୀଷ୍ଟିଆନ ବହୁଳ ରାଷ୍ଟ୍ର ଇସ୍ରାଏଲକୁ ସମର୍ଥନ କରିଥିବା ବେଳେ ମୁସଲିମ ରାଷ୍ଟ୍ରଗୁଡିକ ହମାସ’କୁ ସମର୍ଥନ କରିଛନ୍ତି । ବିସ୍ତୃତ ବିଶ୍ୱ ଏବେ ଦୁଇଭାଗରେ ପରିଣତ ହୋଇଛି ବୋଲି କହିଲେ ଭୁଲ ହୋଇନପାରେ । କେବଳ ଏତିକି ନୁହେଁ ଆମେରିକା, ବ୍ରିଟେନ ପ୍ରତ୍ୟକ୍ଷ ଭାବେ ଇସ୍ରାଏଲ ସପକ୍ଷରେ ଯୁଦ୍ଧରେ ସାମିଲ ହୋଇଥିବାବେଳେ ଲେବାନନ, ଇରାନ ପାଲେଷ୍ଟାଇନ ସପକ୍ଷରେ ଯୁଦ୍ଧ ପାଇଁ ଧମକ ଦେଇଛନ୍ତି । ଆହୁରି ମଧ୍ୟ ଇସ୍ରାଏଲର ଗାଜା ଅବରୋଧ ବିରୁଦ୍ଧରେ ଏବଂ ପାଲେଷ୍ଟାଇନ ସପକ୍ଷରେ ବିଶ୍ୱବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ଆତଙ୍କବାଦୀ ସଂଗଠନ ବ୍ୟବହାର କରିଥିବା ରକେଟ ଓ ଅସ୍ତ୍ରଶସ୍ତ୍ର ଉତରକୋରିଆର ବୋଲି ଜଣାଯାଇଛି, ଯାହାକି ଅତ୍ୟନ୍ତ ଉଦବେଗଜନ ଏବଂ ଚିନ୍ତାଜନକ । ଆତଙ୍କବାଦୀଙ୍କୁ ଉତର କୋରିଆର ଅସ୍ତ୍ରଶସ୍ତ୍ର ଯୋଗାଣ କେବଳ ଇସ୍ରାଏଲ ପାଇଁ ନୁହେଁ, ସମଗ୍ର ମାନବ ପାଇଁ ବିପଦର କାରଣ । କିନ୍ତୁ ଭାରତ ଏହି ଯୁଦ୍ଧରେ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛି, ତାହା ସ୍ୱାଗତଯୋଗ୍ୟ । ଭାରତ ଆତଙ୍କବାଦକୁ ବିରୋଧ କରି ଇସ୍ରାଏଲକୁ ସମର୍ଥନ କରିଥିବାବେଳେ ପାଲେଷ୍ଟାଇନ ନୀତିକୁ ଅପରିବର୍ତିତ ରଖିଛି । କହିବା ବାହୁଲ୍ୟ ଯେ, ଭାରତ ଆତଙ୍କବାଦ ବିରୁଦ୍ଧରେ ବର୍ଷ ବର୍ଷ ଧରି ଲଢେଇ ଜାରି ରଖିଛି । ଆତଙ୍କବାଦକୁ ନିନ୍ଦା କରି ଆସିଛି । ‘ହମାସ’ର ନୃଶଂସ କାର୍ଯ୍ୟକୁ ଭାରତ କଟୁ ଭାଷାରେ ନିନ୍ଦା କରିବା ସହ ଇସ୍ରାଏଲକୁ ସମବେଦନା ଜଣାଇଛି । ଉଲ୍ଲେଖଯୋଗ୍ୟ ଯେ, ଇସ୍ରାଏଲରେ ଏବେ ୧୮ହଜାରରୁ ଅଧିକ କର୍ମଜୀବୀ ଏବଂ ଛାତ୍ରଛାତ୍ରୀ ରହିଥିବାବେଳେ ଅପରେସନ ଅଜୟ ଦ୍ୱାରା ସ୍ୱତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ଉଦ୍ଧାର କରି ସ୍ୱଦେଶକୁ ଫେରାଇ ଆଣିବା ଜାରି ରଖିଛି । ଉଲ୍ଳେଖଯୋଗ୍ୟ ଯେ, ପାଲେଷ୍ଟାଇନ ନେଇ ଇସ୍ରାଏଲ ବିରୁଦ୍ଧରେ ଜାରି କଟକଣା ପ୍ରତ୍ୟାହୃତ ହେବା ପରେ ୧୯୯୨ ମସିହାରେ ଭାରତ ପୂର୍ଣ୍ଣ କୁଟନୈତିକ ସମ୍ପର୍କ ପୁନଃ ପ୍ରତିଷ୍ଠା କରିଥିଲା । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସୁସମ୍ପର୍କ ଅଧିକ ଦୃଢୀଭୂତ ହେବା ସହ ବାଣିଜ୍ୟ, ବୈଷୟିକ ସହଯୋଗିତା, ସାମରିକ ଅସ୍ତ୍ରଶସ୍ତ୍ର କ୍ରୟ, ଆତଙ୍କବାଦ ବିରୁଦ୍ଧରେ ସହଯୋଗିତା ବୃଦ୍ଧି ପାଇଥିଲା । ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ୨୦୧୭ରେ ଇସ୍ରାଏଲ ଗସ୍ତ କରିଥିବାବେଳେ ପ୍ରଥମ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାବେ ନେତ୍ୟାନୁହ ଭାରତ ଗସ୍ତରେ ୨୦୧୮ ରେ ଆସିଥିଲେ । ଅନ୍ୟପକ୍ଷରେ ଭାରତ ସମଗ୍ର ଜେରୁଜେଲମ ରୁ ଇସ୍ରାଏଲ ରାଜଧାନୀ ଭାବେ ଘୋଷଣା ପାଇଁ ଆମେରିକା ଓ ଇସ୍ରାଏଲ ପକ୍ଷରୁ ଆଗତ ପ୍ରସ୍ତାବ ବିରୁଦ୍ଧରେ ଭୋଟ ଦେଇ ଭାରତ ବିଶ୍ୱ ଦରବାରରେ ନିଜର ନିରପେକ୍ଷତା ପ୍ରର୍ଦାନ କରିଥିଲା । ପାଲେଷ୍ଟାଇନ୍ ପ୍ରତି ଭାରତ ତାର ପୂର୍ବ ଅଭାମୁଖ୍ୟ ନୀତିକୁ ଅପରିବର୍ତିତ ରଖିଥିବା ପ୍ରମାଣ ଦେଇଥିଲା । ଏବେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ ଭାରତ ନିଜର ପାଲେଷ୍ଟାଇନ୍ ନୀତି ଅପରିବର୍ତିତ ରଖିଥିବା ଦୋହରାଇଛି । ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ୱରେ ଖାଦ୍ୟ ସଂକଟ ମୁହାଁ ହେବା ସହ ବହୁ ରାଷ୍ଟ୍ର ଅର୍ଥନୈତିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିବାବେଳେ ପଶ୍ଚିମ ଏସୀୟାରେ ଉତେଜନା, ଯୁଦ୍ଧ ବିଶ୍ୱକୁ ପୁଣି ଗୁରୁତ୍ୱର ସଂକଟ ମଧ୍ୟକୁ ଠେଲି ଦେଇଛି । ଯେଉଁଭଳି ଭାବେ ଇସ୍ରାଏଲ-ହମାସ ଯୁଦ୍ଧ ଇହୁଦି-ମୁସଲିମ୍ ଯୁଦ୍ଧ ରୂପ ନେଉଛି, ଏôତରେ ତୃତୀୟ ବିଶ୍ୱଯୁଦ୍ଧ ଆଶକାଙ୍କୁ ଅଣଦେଖା କରାଯାଇନପାରେ । କେବଳ ଏତିକି ନୁହେଁ ପଶ୍ଚିମ ଏସୀୟାରେ ଯୁଦ୍ଧ ଯୋଗୁଁ ବିଶ୍ୱରେ ଗୁରୁତର ତୈଳ ସଂକଟ ସୃଷ୍ଟି ହେବା ସହ ପେଟ୍ରୋଲ, ଡିଜେଲର ମୂଲ୍ୟ ମଧ୍ୟ ବଢିପାରେ । ଆମ ଦେଶରେ ନିର୍ବାଚନ ସମୟରେ ମଧ୍ୟ ତୈଳ ତଥା ପେଟ୍ରୋଲ, ଡିଜେଲର ମୂଲ୍ୟ ପୁଣି ବଢିବା ଆଶଙ୍କା ସୃଷ୍ଟି ହେଲାଣି । ଏହା ସତ୍ୟ ଯେ, ଯୁଦ୍ଧ ହେଉଛି ବିନାଶକାରୀ । ତୁରନ୍ତ ରୁଷ-ୟୁକ୍ରେନ ଏବଂ ଇସ୍ରାଏଲ -ହମାସ ଯୁଦ୍ଧ ବନ୍ଦ କରିବାକୁ ମିଳିତ ଜାତିସଂଘ ପଦକ୍ଷେପ ଗ୍ରହଣ କରିବା ଜରୁରୀ । ଅନ୍ୟଥା ତୃୀୟ ବିଶ୍ୱଯୁଦ୍ଧକୁ ଏଡାଇ ଦିଆଯାଇନପାରେ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୯୪୩୭୯୯୪୩୭୯


