ପ୍ରବୀଣ ଶିକ୍ଷାବିତ୍ ହଳଧର ସୁତାରଙ୍କ ସ୍ମୃତିଚାରଣ ସଭା
ହାଟଡିହି, (ବିକାଶ ବିଶ୍ୱାଳ ) : ଫକୀରପୁର ସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଶିଷ୍ଟ ଶିକ୍ଷାବିତ୍ ତଥା ଜନପ୍ରିୟ ଲେଖକ ଦିବଂଗତ ହଳଧର ସୁତାରଙ୍କ ସ୍ମୃତିଚାରଣ ସଭା ବହୁଜନାସରରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ସରୋଜ କୁମାର ସାହୁଙ୍କ ଅଧ୍ଯକ୍ଷତାରେ ଅତିଥି ମାନେ ସ୍ୱର୍ଗତ ହଳଧର ସୁତାରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସଭାରମ୍ଭରେ ଦିବଂଗତ ସୁତାରଙ୍କ ସାନଝିଅ ଶିକ୍ଷିକା ତଥା ସ୍ୱର ସଙ୍ଗୀତ ଗବେଷିକା ଇତିଶ୍ରୀ ନିବେଦିତା ସ୍ମୃତିସଙ୍ଗୀତ ଗାନ କରିବା ସହ ତାଙ୍କ ବାପାଙ୍କ ରଚିତ ଏବଂ ବହୁ ପ୍ରସାରିତ ସଙ୍ଗୀତ ମାନ ଗାନକରି ଥିଲେ। ଏଥିରେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ରମାକାନ୍ତ ନାୟକ , ବରିଷ୍ଠ ଶିଶୁ ସାହିତ୍ୟିକ ରତ୍ନାକର ଦାସ ଓ ଓଡ଼ିଆ ସାହିତ୍ୟ ଗବେଷକ ନିରଞ୍ଜନ ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ସୁତାର ଙ୍କ ବହୁମୂଲ୍ଯ ସୃଷ୍ଟି ଯେ ଓଡ଼ିଆ ସାହିତ୍ୟ ଓ ସଙ୍ଗୀତ ଜଗତରେ ଭବ ଓ ଭାବର ମଧୁର ସମନ୍ୱୟ ଘଟାଇ ପାରିଛି ବୋଲି ଦର୍ଶାଇଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ଇଂ. ଅଭୟ ସୂତାର ଯୋଗଦେଇ ସ୍ୱର୍ଗତ ହଳଧର ସୁତାର ଥିଲେ ଫକୀରପୁର ମାଟିର ଗର୍ବ ଏବଂ ତାଙ୍କ କୃତୀ ଓ କୀର୍ତ୍ତି ଆଗାମୀ ପୀଢି ପାଇଁ ଗଢି ତୋଳିଛି ଏ ଭୁଇଁରେ ସୃଜନର ପର୍ବ। କବି କୀର୍ତ୍ତନ ସାହୁ, ରାମଚନ୍ଦ୍ର ସୁର ଓ ବାଞ୍ଛାନିଧି ସାହୁ ,ଶ୍ରୀକାନ୍ତ ପଟ୍ଟନାୟକ , ଚତୁର୍ଭୁଜ ଜେନା, ହରିହର ନାଥ ଓ ହରିହର ପଣ୍ଡା ପ୍ରମୁଖ ଯୋଗଦେଇ ସୂତାର ସାର୍ ଙ୍କର ସାହିତ୍ୟ କୃତୀ ଏ ଅଞ୍ଚଳର ସୃଜନାକାଂକ୍ଷୀ ଯୁବପିଢ଼ି ଙ୍କୁ ଆଜି ଯେତିକି ପାଠକୀୟ ପରିବର୍ତ୍ତନ କରିଛି ତାଙ୍କ ଛାତ୍ରବତ୍ସଳ ଅଧ୍ଯାପନା ତା’ଠୁ ଅଧିକ ମାନବୀୟ ବିବର୍ତ୍ତନ ଘଟାଇଛି ବୋଲି ମତବ୍ୟକ୍ତ କରିଥିଲେ। । ସାନଭାଇ ଶିକ୍ଷାବିତ୍ ବୈଲୋଚନ ସୁତାର, ଝିଅ ସୁଲେଖିକା ଦୀପ୍ତି ଦେବଦର୍ଶିନୀ ସୁତାର ଅକ୍ଷୟ ଗୁଇଁ , ଉମାକାନ୍ତ ନାୟକ, ଧ୍ରୁବ ଚରଣ ମିଶ୍ର, ଗାୟିକା ଉମା ପାଢ଼ୀ, ସୁଭଦ୍ରା ସ୍ୱାଇଁ, ବିଦ୍ୟୁତପ୍ରଭା ଦେଓଙ୍କ ପରି ଶତାଧିକ କବି ଓ କବୟିତ୍ରୀ ଦିବଂଗତ ସୃଷ୍ଟି ପ୍ରାଣ ସୁତାରଙ୍କ ସ୍ମୃତି ଗାନ କରିବା ସହିତ ସ୍ୱରଚିତ କବିତାମାନ ପାଠ କରିଥିଲେ। ସଂସଦର ସଂପାଦକ କବି ଅନିଲ୍ କୁମାର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ ।


