ବନ୍ଦର ଦେବୀ ମା’ ଚିତ୍ରେଶ୍ୱରୀ ଙ୍କ ପୀଠରେ ପାର୍ବଣ ପୂଜା

ନିମାପଡା, (ସନ୍ତୋଷ ଦାସ):ଧରାପୃଷ୍ଠକୁ ମା’ଙ୍କ ଆଗମନ ଅବସର ରେ ଶକ୍ତିପୀଠ ମାନଙ୍କରେ ଷୋଳପୂଜା ଚାଲୁରହିଛି।ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଅବଦାନ ଗ୍ରାମ ପଞ୍ଚାୟତର ଯଦୁପୁର ଗ୍ରାମରେ ଅବସ୍ଥିତ ମା’ ଚିତ୍ରେଶ୍ୱରୀଙ୍କ ପୀଠରେ ନିଷ୍ଠା ଓ ଭକ୍ତି ର ସହିତ ଚାଲିଛି ଶାରଦୀୟ ପାର୍ବଣ ପୂଜା। ସୂର୍ଯ୍ୟକ୍ଷେତ୍ର ବା ଅର୍କକ୍ଷେତ୍ରର ରକ୍ଷାକର୍ତ୍ତୀ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା’ ଚିତ୍ରେଶ୍ୱରୀ ହେଉଛନ୍ତି ଅନ୍ୟତମ । ଐତିହାସିକ ବିବରଣୀରୁ ଜଣାପଡେ ଯେ,ପ୍ରଥମ ଶତାବ୍ଦୀରେ ଏ ଅଞ୍ଚଳ ଏକ ପ୍ରମୁଖ ନୌବାଣିଜ୍ୟ କେନ୍ଦ୍ର ରୂପେ ଗଢିଉଠିଥିଲା ।କଥିତ ଅଛି ନୌବାଣିଜ୍ୟ କରିବାକୁ ଯାଉଥିବା ସାଧବମାନେ ସିଂହଳ ରୁ ମା’ଙ୍କୁ ଆଣି ଚିତ୍ରୋତ୍ପଳା ନଦୀକୂଳରେ ସ୍ଥାପନ କରି ପୂଜାର୍ଚ୍ଚନା କରୁଥିଲେ । ଚିତ୍ରୋତ୍ପଳା ନଦୀକୂଳରେ ଥିବାରୁ ମା’ଙ୍କୁ ଚିତ୍ରେଶ୍ୱରୀ ନାମରେ ନାମିତ କରାଗଲା । ଏହି ସ୍ଥାନରୁ ସାଧବ ବଣିକମାନେ ସାମୁଦ୍ରିକ ପଥଦେଇ ନୌବାଣିଜ୍ୟ କରିବାକୁ ଗଲାବେଳେ ମା’ ଚିତ୍ରଶ୍ୱରୀଙ୍କ ଠାରୁ ଶୁଭକାମନା କରି ମା’ଙ୍କୁ ବନ୍ଦର ଦେବୀ ଭାବରେ ପୂଜାର୍ଚ୍ଚନା କରିଆସୁଥିଲେ । ମା ସାଧବ ଓ ବଣିକମାନଙ୍କର ଶ୍ରେଷ୍ଠା ଓ ଅଗ୍ରପୂଜ୍ୟା ଦେବୀ ରୂପେ ପରିଚିତ ଥିଲେ । ମା ଚିତ୍ରେଶ୍ୱରୀ ଙ୍କ ମାହାତ୍ମ୍ୟ ସମ୍ପର୍କରେ ସାରଳା ମହାଭାରତ, ପୁରୁଷୋତ୍ତମ ମାହାତ୍ମ୍ୟ, ମାଦଳା ପାଞ୍ଜି ରେ ବର୍ଣ୍ଣିତ ହୋଇଛି। ମା’ ଚିତ୍ରେଶ୍ୱରୀଙ୍କ ପୀଠରେ ଷୋଳଦିନ ବ୍ୟାପି ଦୁଇବେଳା ଚଣ୍ଡୀପାଠ ଓ ଷୋଡ଼ଶ ଉପଚାରରେ ବିଭିନ୍ନ ବେଶ କରାଯାଇ ପୂଜାନୀତି ସମ୍ପନ୍ନ କରାଯାଉଛି । ପ୍ରତ୍ୟହ ମା’ଙ୍କ ପୀଠରେ ଭୋର ୪ ଟାରେ ପହଡ଼ ଖୋଲାଯାଇ ମା’ଙ୍କୁ ସୁବାସିତ ଜଳରେ ସ୍ନାନ ଓ ମାଜଣା କରାଯିବା ପରେ ସକାଳ ୫ ଟାରେ ମଙ୍ଗଳ ଆଳତୀ, ମହାପ୍ରସାଦ, ବଲ୍ଳଭ ଭୋଗ, ଦହି, ଖଇ ଓ ଖେଚୁଡି ଭୋଗ ଲାଗି କରାଯାଉଛି । ପ୍ରାତଃ ସମୟରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ନିମନ୍ତେ ପହଡ଼ ଖୋଲା ରୁହୁଛି । ମଧ୍ୟାହ୍ନରେ ସାଧା ଅନ୍ନ, ମାଛ ବେସର, କାକରା, ଡାଲି, ଖଟା ଓ ଖିରି ଭୋଗ ଲାଗି ହେଉଛି । ମଧ୍ୟାନ୍ନ ଆଳତି ପରେ ଅପରାହ୍ନ ୧୨ଟାରୁ ୧ ଘଟିକା ପର୍ଯ୍ୟନ୍ତ ପହଡ଼ ପଡୁଛି଼ । ପୂନର୍ବାର ୧ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ଲାଗିରହୁଛି । ସନ୍ଧ୍ୟା ୬ ଟାରେ ଆଳତି, ୬ ଟା ୩୦ରେ ସ୍ନାନ ଓ ବାଳଭୋଗ, ରାତି ୧୦ ଟାରେ ଦହିପଖାଳ, ପଣା, କାକରା ଆଦି ଭୋଗ ହେଉଛି । ରାତ୍ର ଭୋଗ ଶେଷରେ କଂସାପାତ୍ର ରେ ପଇଡ଼ ପାଣି କୁ ମଦ୍ୟ ରୂପେ ମାଙ୍କୁ ସମର୍ପଣ କରାଯାଉଛି । ରାତ୍ର ୧୧ ଟାରେ ବଡ଼ସିଂହାର ଧୂପ ଓ ଆଳତି ପରେ ପହଡ଼ ପଢୁଛି଼ । ସକାଳ ମଙ୍ଗଳ ଆଳତି ଓ ରାତିରେ ବଡ଼ସିଂହାର ଧୂପ ଆଳତିକୁ ମିଶାଇ ମାଆଙ୍କ ନିକଟରେ ମୋଟ ୫ ଥର ଆଳତି କରାଯାଉଛି । ମହାଷ୍ଟମୀ ଦିନ ରାତି ୩ ଟାରେ ଘିଅ ସହିତ ୧୦୮ ବେଲପତ୍ରକୁ ହୋମାଗ୍ନିରେ ଆହୁତି କରାଯିବା ର ପରମ୍ପରା ରହିଛି ବୋଲି ସେବାୟତ ମାନେ କହିଛନ୍ତି । ଷୋଳ ପୂଜା ଅବସରରେ ମା’ଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ ଲାଗିରହୁଛି । ମା’ ହେଉଛନ୍ତି ଏ ଅଞ୍ଚଳ ସମୁଦ୍ର ର ରକ୍ଷାକର୍ତ୍ତି ଦେବୀ ।ଏହି ପୀଠର ସାଧାଅନ୍ନ ଓ ମାଛ ବେସର ପ୍ରସିଦ୍ଧ ଭୋଗ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ