ଗୋଚର ଜମିରେ କାମ କରିବାକୁ ନେଇ ଉତେଜନା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ବାଙ୍ଗୋର ପଞ୍ଚାୟତରେ ଏକ ଗୋଚର ଜମିରେ ପଞ୍ଚାୟତ ପକ୍ଷରୁ କାମ ହେଉଥିବାବେଳେ ପ୍ରଶାସନ ପକ୍ଷରୁ ବିରୋଧ କରାଯିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଫଳରେ କାମ ବନ୍ଦ କରିବା ସହିତ କାମରେ ନିୟୋଜିତ ହୋଇଥିବା  ଗାଡିକୁ ଜବତ କରିବାକୁ ଯାଇଥିବା ତହସିଲଦାର ଫେରି ଆସିଛନ୍ତି । ଖବରରୁ ଜଣାଯାଇଛି ଯେ ବାଙ୍ଗୋର ପଞ୍ଚାୟତ ପକ୍ଷରୁ ଗ୍ରାମସଭା ଓ ପଲ୍ଲୀସଭା କରାଯାଇ ଗାଁରେଥିବା ଏକ ଗୋଚର ଜମିକୁ ସମତୁଲ କାମ କରାଯାଉଛି । ଦୀର୍ଘ ଦିନ ଧରି କାମ ଚାଲିଥିବାବେଳେ ଏହି ଗୋଚର ଜମିଟି ପୁର୍ବରୁ ଓଏମସି ୩୦ବର୍ଷ ଜବରଦଖଲରେ ରଖିଥିବାବେଳେ ପଡିଆଟିକୁ ନଷ୍ଟ କରିଦେଇଥିଲା । ଏହି ପଡିଆରେ ଅନେକ ଖାଲଖମା ହୋଇଥିବାବେଳେ ଏହା ସମତୁଲ ହୋଇଗଲେ ଗୋରୁଗାଈ ଚରିପାରିବା ସହିତ ପିଲାମାନେ ଖେଳାଖେଳି କରିବା ସହିତ ଗାଁ ଲୋକଙ୍କ ବ୍ୟବହାରରେ ଲାଗି ପାରିବ । କିନ୍ତୁ କିଛି ଲୋକ ଏଠାରୁ ମୋରମ ଚୋରା ଚାଲାଣ କରାଯାଉଥିବା ନେଇ ଅଭିଯୋଗ କରିବା ସହିତ ଏହି କାମକୁ ବନ୍ଦ କରିବାପାଇଁ ପ୍ରଶାସନ ଉପରେ ଚାପ ପକାଇଥିଲେ । ଆଜି ଅଚାନକ ଭାବେ ହାଟଡିହି ତହସିଲଦାର ଗାୟତ୍ରୀ ସୋରେନ ଓ ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ ପୁଲିସ ଫୋର୍ସ ସହିତ ଉକ୍ତ ସ୍ଥାନରେ ପହଞ୍ଚି ଗୋଚର ଉପରେ ବେଆଇନି ଭାବେ କାର୍ଯ୍ୟ କରୁଥିବା ଦର୍ଶାଇ ମେସିନି ଗୁଡିକୁ ଜବଦ କରିବାକୁ କହିଥିଲେ । ଏହାକୁନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ତହସିଲଦାର ଙ୍କ ସହିତ ଓ ସରପଞ୍ଚ ଓ ସ୍ଥାନୀୟ ଲୋକଙ୍କ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ପଞ୍ଚାୟତ ଗାଇଡ ଲାଇନ ଅନୁସାରେ କାମ ହେଉଥିବାବେଳେ ପଞ୍ଚାୟତର ଗୋଚର ଓ ସ୍ମଶାନ ଜମିର ପରିଚାଳନା ଦାୟିତ୍ୱ ପଞ୍ଚାୟତର ବୋଲି ମାନୁଆଲରେ ଉଲେଖ ଥିବା ମଧ୍ୟ ସରପଞ୍ଚ ଦର୍ଶାଇଥିଲେ । ଏଠାରେ ଗୋଚର ଜମି ଉପରେ ଏକ ବେସରକାରୀ ସ୍କୁଲ କିପରି ନିର୍ମାଣ ହୋଇଛି ଓ ଗତବର୍ଷ ସାଢ଼େ ସାତଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ସରକାରୀ ଅନୁଦାନରେ କିପରି ଖଳା ନିର୍ମାଣ ହେଲା ବୋଲି ସ୍ଥାନୀୟ ଲୋକମାନେ ତହସିଲଦାରଙ୍କୁ ପ୍ରଶ୍ନ କରିଥିଲେ । ଫଳରେ ତହସିଲଦାର ପୁଲିସ ଫୋର୍ସ ସହ ଫେରି ଆସିଥିଲେ । ପଞ୍ଚାୟତରେ ଯାହା କରାଯାଉଛି ତାହା ପଞ୍ଚାୟତର ଗାଇଡଲାଇନ ଅନୁଯାଇ କରାଯାଉଛି ବୋଲି ସରପଞ୍ଚ ସୁପ୍ରଭା ରାଉତ କହିଛନ୍ତି । ଏସବୁ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରାଯାଉଛି ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ତହସିଲଦାରଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରିଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ